ଦରକାର ନାହିଁ ଆମର ଏ ମଣିଷ ମରା ମେଡିକାଲ କଲେଜ , ଆମକୁ ଫେରାଇ ଦିଅ ମହାରାଜାଙ୍କ ସମୟର ଜେନାନେ ହସପିଟାଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ସମୟରେ ଗତ ୯ ଜୁନ ପୁଣି ଥରେ ଚିକିତ୍ସାରେ ଅବହେଳା କାରଣରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଚାନ୍ଦୁଆ ଥାନା ଅନ୍ତର୍ଗତ ଚାଲୁଣିଆ ଗ୍ରାମର ବୀରେନ୍ଦ୍ର ପାତ୍ରଙ୍କ ୧୬ ବର୍ଷିୟା ନାବାଳିକା ଝିଅ ରଞ୍ଜିତା ପାତ୍ରଙ୍କ ମୃତୁ୍ୟ ହୋଇଥିବାର ଅଭିଯୋଗକୁ ୫ ଦିନ ନ ପୁରୁଣୁ ଜୁନ ୧୪ରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଘଣ୍ଟଶିଳା ଗ୍ରାମର ଦାଶରଥୀ ମୁର୍ମୁଙ୍କ ସ୍ତ୍ରୀ ପ୍ରସୂତୀ ବାଙ୍କି ମୁର୍ମୁଙ୍କ ଚିକିତ୍ସା ଅବହେଳାରୁ ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଛି । ପ୍ରସୂତୀ ବାଙ୍କିର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଜୁନ ୧୧ରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସପିଟାଲରେ ଡ଼ାକ୍ତର ତାଙ୍କୁ କୌଣସି ଚିକିତ୍ସା ଯୋଗାଇ ଦେଇନଥିଲେ । କିନ୍ତୁ ଜୁନ ୧୩ରେ ବାଙ୍କିର ପେଟ ଅଧିକ ଯନ୍ତ୍ରଣା ହେବାରୁ ତାର ଅଲଟ୍ରାଉଣ୍ଡ କରାଯିବାରୁ ପେଟ ଭିତରେ ମୃତ ଜାଆଁଳା ସନ୍ତାନ ରହିଥିବାର ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ମଧ୍ୟ ଡ଼ାକ୍ତର ପ୍ରସୂତୀକୁ ତୁରନ୍ତ ଚିକିତ୍ସା କିମ୍ବା ଅପରେସନ କରାଇବାର ବ୍ୟବସ୍ଥା କରିନଥିଲେ । ଫଳରେ ଉକ୍ତ ଜୁନ ୧୩ ଅପରାହ୍ନ ପ୍ରାୟ ଦେଢ଼ଟା ସମୟରେ ତାର ମୃତୁ୍ୟ ହୋଇଥିଲା । ଏତିକିରେ କଥା ଶେଷ ହୋଇନଥିଲା, ମୃତ ବାଙ୍କିର ଶବ ବ୍ୟବଚ୍ଛେଦ କରାଇବା ପରେ ଘରକୁ ଶବ ନେବା ନିମନ୍ତେ ମହାପ୍ରାଣାୟ ରଥକୁ ମଧ୍ୟ ଦେଇନଥିଲେ ବୋଲି ସ୍ୱାମୀ ଦାଶରଥୀ ଅଭିଯୋଗ କରିଛନ୍ତି । ଏହା ଖବର ଜଣାପଡ଼ିବା ପରେ ଦାଶରଥୀଙ୍କ ଆତ୍ମୀୟ ପରିଜନ, ବନ୍ଧୁବାନ୍ଧବ ଓ ଗ୍ରାମବାସୀମାନେ ମୃତ ବାଙ୍କିର ଶବକୁ ପରିବାରର ସଦସ୍ୟମାନେ ଆଜି ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁÂାନ ସହ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ବାରିପଦା ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପି କେ ମହାପାତ୍ର, ବାରିପଦା ତହସିଲଦାର ଓ ବାରିପଦା ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ପହଁଞ୍ଚି ଆନେ୍ଦାଳନକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଙ୍କିର ଅନ୍ତେଷ୍ଟିକ୍ରିୟା ନିମନ୍ତେ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଓ ବିଧାୟକ ଶ୍ରୀସୋରେନ ବ୍ୟକ୍ତିଗତ ଭାବେ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ସହ ସ୍ୱର୍ଗରଥରେ ଶବକୁ ଘଣ୍ଟଶିଳା ଗ୍ରାମକୁ ପଠାଇ ଦିଆଯାଇଥିଲା । ସିଡ଼ିଏମଓ ଶ୍ରୀମହାପାତ୍ର ଏକ ତଦନ୍ତ କମିଟି ମାଧ୍ୟମରେ ଘଟଣାର ତଦନ୍ତ କରି ଡ଼ାକ୍ତର ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।
ଏହି ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ମୃତୁ୍ୟକୁ ନେଇ ଜିଲ୍ଲା ଯୁବ କଂଗ୍ରେସ ସଭାପତି ତଥା ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରକାଶ ଆମର ଦରକାର ନାହିଁ ତୁମର ମଣିଷ ମରା ଅତ୍ୟାଧୁନିକ ମେଡ଼ିକାଲ କଲେଜ ଓ ହସପିଟାଲ । ଆମକୁ ଫେରାଇ ଦିଅ ଆମର ପୂର୍ବ ଜେନାନା ହସପିଟାଲ । ଆମେ ପୂର୍ବରୁ ବହୁତ ଭଲରେ ରହିଥିଲୁ । ମହାରାଜାଙ୍କ ଜେନାନା ହସପିଟାଲରୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇ ଆସୁଥିଲୁ । ମହାରାଜା ଓ ରାଜପରିବାରର ସଦସ୍ୟମାନେ ଏହି ହସପିଟାଲରେ ଚିକିତ୍ସା ହେଉଥିଲେ । ଏହାର ସୁନାମ ରହିଥିବାରୁ ଏଠାକୁ ଝାଡ଼ଖଣ୍ଡ, ବେଙ୍ଗଲ , ବିହାର ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ରୋଗୀ ଛୁଟି ଆସୁଥିଲେ । ମାତ୍ର ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ହୋଇ ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ପରେ ମଧ୍ୟ ଏହା ତାର ସୁନାମକୁ ବଜାଇ ରଖିଆସିଥିଲା । କିନ୍ତୁ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ଆସିବାର ପରବର୍ତ୍ତି ସମୟଠାରୁ ଜେନାନେ ହସପିଟାଲ ତାର ପୂର୍ବ ଗୌରବ ହରାଇ ବସିଛି । ରାଜ୍ୟ ସରକାର ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହେବା ଫଳରେ ଆଦିବାସୀମାନେ ଗୁଣିଗାରେଡ଼ି ଉପରେ ଅଧିକ ବିଶ୍ୱାସ କରି କୁସଂସ୍କାରକୁ ଆପଣେଇବାକୁ ସରକାର ସେମାନଙ୍କୁ ପରୋକ୍ଷରେ ଏକପ୍ରକାରର ବାଧ୍ୟ କରାଇଛନ୍ତି । ଫଳରେ ଡ଼ାହାଣୀ ଭଳି ଅନ୍ଧ ବିଶ୍ୱାସ କାରଣରୁ ପ୍ରତ୍ୟେକ ବର୍ଷ ଏକାଧିକ ନିରୀହ ଆଦିବାସୀମାନଙ୍କ ଜୀବନ ଯାଉଛି । ଜିଲ୍ଲାବାସୀ ଅତ୍ୟାଧୁନିକ ସ୍ୱାସ୍ଥସେବା ପାଇବା ଆଶାରେ ମେଡ଼ିକାଲ କଲେଜ ଓ ହସପିଟାଲ ପାଇଁ ଆନେ୍ଦାଳନ କରିବା ପରେ ସରକାର ମେଡ଼ିକାଲ କଲେଜ ଓ ହସପିଟାଲ ଖୋଲିଲେ । କିନ୍ତୁ, ସାରକାରଙ୍କ ଅପାରଗତା, ଡ଼ାକ୍ତରମାନଙ୍କ ଅର୍ଥ ଉପାର୍ଜନର ଲାଳସା, ସ୍ୱାସ୍ଥ୍ୟ ସେବୀକାମାନଙ୍କ ଦୌରାତ୍ମ୍ୟ କାରଣରୁ ଅତ୍ୟାଧୁନିକ ସ୍ୱାସ୍ଥସେବା ମିଳିବା ଦୂରର ବିଷୟ ସାଧାରଣ ସ୍ୱାସ୍ଥ୍ୟସେବା ସ୍ୱପ୍ନରେ ପରିଣତ ହୋଇଯାଇଛି । ଫଳରେ ପ୍ରତ୍ୟେକ ଦିନ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ଜୀବନ ଯାଉଥିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖା ଦେଉଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଆନ୍ତରିକତାର ଘୋର ଅଭାବ ଥିବା ପରିଲକ୍ଷିତ ହୋଇଛି । ଫଳରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ସମୟର ଜେନାନେ ହସପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟସେବାକୁ ଜନସାଧାରଣ ମନେ ପକାଇ ସେହି ଯୁଗକୁ ଫେରିଯିବା ନିମନ୍ତେ ଦାବି କରିଛନ୍ତି ବୋଲି ଭଞ୍ଜସେନା କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ ମତପୋଷଣ କରିଛନ୍ତି ।