ବାରିପଦା- ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍(୨) ସମର ବିଳାସ ବେହେରା ଆଜି ଜୀବନରୁ ମାରି ଦେବା ନିମନ୍ତେ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ବଡ଼ସାହି ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବାବାଜୀ ନାୟକ(୫୪)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୦୭ ଅନୁସାରେ ୭ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଏହା ଅନାଦେୟରେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନରେ ଥିବା ହରିପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ମାର୍ଣ୍ଡିଙ୍କ ଘର ନିକଟରେ ହାଣ୍ଡିଆ ବିକ୍ରି ହେଉଥାଏ । ସେଠାରେ ଗୋବିନ୍ଦ ଚନ୍ଦ୍ର ମାର୍ଣ୍ଡି ହାଣ୍ଡିଆ ପିଉଥିବା ସମୟରେ ଉକ୍ତ ଗ୍ରାମର ଅଭିଯୁକ୍ତ ବାବାଜୀ ନାୟକଙ୍କ ସହିତ ହାଣ୍ଡିଆ ପିଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏଥିରେ ବାବାଜୀ କ୍ରୋଧାନ୍ୱିତ ହୋଇ ଗୋବିନ୍ଦକୁ ଜୀବନରୁ ମାରି ଦେବାର ଧମକ ଦେଇ ଚାଲି ଯାଇଥିଲା । ଏହାର କିଛି ମାସ ପରେ ୨୦୧୪ ଅପ୍ରେଲ ୯ ଦିନ ୧୨ଟା ସମୟରେ ବାବାଜୀ ଉକ୍ତ ହାଣ୍ଡିଆ ଭାଟି ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ସେଠାରେ ଗୋବିନ୍ଦ ଏକାକୀ ବସି ହାଣ୍ଡିଆ ପିଉଥିବାର ଦେଖିବାକୁ ପାଇ ଏକ ଛୁରୀରେ ଗୋବିନ୍ଦର ବେକକୁ କାଟି ଦେଇଥିଲା । ପାଟିତୁଣ୍ଡ ଶୁଣି ସ୍ଥାନୀୟ ହାପନ୍ନା ଟୁଡ଼ୁ ଓ ଚନ୍ଦ୍ରା ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଯିବାରୁ ବାବାଜୀ ସେଠାରେ ଗୋବିନ୍ଦକୁ ଛାଡ଼ି ଦେଇ ଦୌଡ଼ି ପଳାଇଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୋବିନ୍ଦକୁ ଦେଖି ତାର ଘରକୁ ଖବର ଦେବାରୁ ଗୋବିନ୍ଦର ପୁଅ ଆସି ପହଁଞ୍ଚି ଥିଲା ଏବଂ ଗୋବିନ୍ଦକୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ତାକୁ ବଡ଼ସାହି ଡ଼ାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ । ଗୋବିନ୍ଦ ଏହି ବିଷୟକୁ ନେଇ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ୪୩/୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ଥିବା ୮ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରିଥିଲେ ।