ହେଡଲାଇନସ୍:

ବାରିପଦା ସହରରେ ପ୍ରଥମ ଘଟଣା : ପୁଲିସର ଅପାରଗତା ପାଇଁ ଗୋଟାଏ ରାତିରେ ଦୁର୍ବୁତ ୪ ଏଟିଏମରୁ ଲୁଟିଲେ ୧୫ ଲକ୍ଷରୁ ଅଧିକ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଅତୀତର ବାରିପଦାରେ ଗାନ୍ଧିଜୀଙ୍କର ରାମ ରାଜ୍ୟର ପରିକଳ୍ପନାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଥିଲା । ଆସ୍ତେ ଆସ୍ତେ ବାରିପଦା ସହର ବାହାର ଜିଲ୍ଲା ଓ ରାଜ୍ୟରୁ ଜନସାଧାରଣଙ୍କ ପ୍ରବେଶ ଓ ଅନୁପ୍ରବେଶ ଆଦି ବିଭିନ୍ନ କାରଣରୁ ସହର ଦିନକୁ ଦିନ ଅଶାନ୍ତ ହୋଇଯାଇଛି । ହତ୍ୟା, ଚୋରୀ, ଛକାୟତି, ରାହାଜାନି, ଛିନତାଇ ଓ ଠକେଇ ଆଦି ନିତି ଦିନିଆ ଘଟଣାରେ ପରିଣତ ହୋଇ ସାରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ାବାରେ ଲାଗିଛି । ଏହି ସମୟରେ ପୁଲିସ ଜନତା ଓ ଧନସମ୍ପତ୍ତିକୁ ସୁରକ୍ଷା ଦେବା ବଦଳରେ ନିଶରେ ତେଲମାରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୟନ କରିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚା ଜଣାପଡ଼ିଛି । ଏହି ପ୍ରକାରର ପରିସ୍ଥିତି ମଧ୍ୟଦେଇ ବାରିପଦା ସହର ଗତି କରୁଥିବା  ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ ସମୟରେ ବାରିପଦା ପୌରପରିଷଦରେ ଗୋଟାଏ ରାତିରେ ଗୋଟାଏ ଢ଼ଙ୍ଗରେ ୪ଟି ଏଟିଏମକୁ ଦୁର୍ବୁତମାନେ ଗ୍ୟାସ କଟ୍ଟରରେ କାଟି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଯାଇଛନ୍ତି  ଓ ଏହା ବାରିପଦା ସହରରେ ପ୍ରଥମ ଥର ନିମନ୍ତେ ଘଟିଥିବାର କୁହାଯାଉଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜୁଲାଇ ୨୧ ଶନିବାର ବିଳମ୍ବିତ ରାତିରେ ସହରର ପାଲବଣିସ୍ଥିତ ୟୁନାଇଟେଡ଼ ବ୍ୟାଙ୍କ, ତୁଳସିଚୌରା ଆକ୍ସିସ ବ୍ୟାଙ୍କ, ଷ୍ଟେସନ ବଜାର ଆକ୍ସିସ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ପୋଡ଼ାଅସ୍ତିଆ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଦୁର୍ବୁତ୍ତମାନେ ଗ୍ୟାସ କଟ୍ଟରରେ କାଟି ମେସିନ ଭିତରେ ରହିଥିବା ସମସ୍ତ ଟଙ୍କା ଲୁଟି ନେଇଯାଇଛନ୍ତି । ଏହି ସମୟରେ ଲୁଟେରାମାନେ ଏଟିଏମରେ ରହିଥିବା ସିସି ଟିଭିରେ ଧରାପଡ଼ିଯିବା ଭୟରେ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଲୁଗାରେ ଘୋଡ଼ାଇ ହୋଇଥିବାର କୁହାଯାଉଛି । ରବିବାର ସକାଳରେ ଏହି ଲୁଟ ଘଟଣା ପଦାକୁ ଆସିବା ପରେ ସମ୍ପୃକ୍ତ ବ୍ୟାଙ୍କ ଓ ପୁଲିସ ଏଟିଏମରେ ପହଁଞ୍ଚି ଥିଲେ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଉକ୍ତ ଏଟିଏମ ଲୁଟକୁ ନେଇ ବ୍ୟାଙ୍କ ପକ୍ଷରୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବାର ଜଣାପଡ଼ିଛି । ତେବେ ପବିତ୍ର ରଥଯାତ୍ରା ଉପଲକ୍ଷେ ବାରିପଦା ସହରରେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ଚଳପ୍ରଚଳ ଲାଗି ରହିଥିଲା । ଶନିବାର ରାତିରେ ବାରିପଦା ଟାଉନ ଥାନା ପକ୍ଷରୁ ଶନିବାର ରାତିରେ ପୁଲିସ ଓ ସିଭିଲ ସ୍କ୍ୱାଡର଼୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା ହୋଇ ନ ଥିବାରୁ ଲୁଟେରାମାନେ ଏହାର ସୁଯୋଗ ନେଇ ସୁରୁଖୁରୁରେ ୧୫ ଲକ୍ଷ ଲୁଟି ନେଇଯାଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଅତୀତରେ ବାରିପଦା ସହରରେ ପିସିଆର, ଥାନା ପେଟ୍ରୋଲିଂ ଗାଡ଼ି ରାତିରେ ସହରରେ  ପଇଁତରା ମାରୁଥିବା ବେଳେ ଏସଡ଼ିପିଓ, ଡ଼ିଏସପି ଓ ଏସପି ମଧ୍ୟ ରାତିରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଥିଲେ । ମାତ୍ର ଏହି ବ୍ୟବସ୍ଥା ବନ୍ଦ ହେବା ହେବା ପରେପରେ ସହରରେ ଅପରାଧ ସଂଖ୍ୟା ବୃଦ୍ଧି ପାଇଥିବାର କୁହାଯାଉଛି । ଏ ବିଷୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ସେଲ ନମ୍ବର ୯୪୩୮୧୫୩୩୦୮ରେ ଯୋଗାଯୋଗ ଉଦ୍ୟମ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । 

 

 

 

0
0
0
s2sdefault