ବାଲେଶ୍ୱର,(ଉଜ୍ଜ୍ୱଳ କର) : ଗିଲାଯୋଡ଼ି ଅଞ୍ଚଳର ଗର୍ଭବତୀ ତଥା ପିଡ଼ୀତା ନାବାଳିକାଙ୍କୁ ନ୍ୟାୟ ପ୍ରଦାନରେ ସିଂଲା ଥାନାଧିକାରୀଙ୍କ ଉଦାସୀନତା ବିରୋଧରେ ଜିଲ୍ଲା ନାରୀସଂଘର କର୍ମକର୍ତ୍ତାମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସିଂଲା ଥାନା ଅନ୍ତର୍ଗତ ଗଲାଯୋଡ଼ି ଅଞ୍ଚଳର ନାବାଳିକା ପଡେ଼ାଶୀ ତାପସ ଜେନାଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହେବା ଘଟଣାରେ ଅଭିଯୁକ୍ତଙ୍କୁ ଥାନାଧିକାରୀଙ୍କ ସହଯୋଗକୁ ନାରୀ ସଂଘର କର୍ମକର୍ତ୍ତାମାନେ ତୀବ୍ର ନିନ୍ଦା କରିଛନ୍ତି । ନାବାଳିକାଙ୍କୁ ନାନା ପ୍ରକାର ଧମକ ଚମକ ଦେଇ ଷ୍ଟେଟମେଣ୍ଟ ପରିବର୍ତ୍ତନ କରାଇବା ଓ ମାମଲାର ଦିଗ ପରିବର୍ତ୍ତନରେ ସାହାଯ୍ୟ କରିଥବା ଥାନାଧିକାରୀଙ୍କ ବିରୋଧରେ ସେମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ଦାବି କରିଥିଲେ । ତେବେ ସିଂଲାଥାନା ଅଧିକାରୀଙ୍କ ଚଞ୍ଚକତାପୂର୍ଣର୍ କାର୍ଯ୍ୟ ସମ୍ପର୍କରେ ଅବଗତ ସହ ଏସପି ବି ଯୁଗଲ କିଶୋର ଉଦ୍ବେଗ ପ୍ରକାଶ କରିଥିଲେ । ଅତିରିକ୍ତ ଏସପି ରମେଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ ସହ ଏହାକୁ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ନାରୀ ସଂଘ କର୍ମକର୍ତ୍ତାମାନେ ଧାରଣାରୁ ନିବୃତ ହୋଇଥିଲେ । ଏନେଇ ସଂଘ ପକ୍ଷରୁ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ଗୋପାମୂଦ୍ରା ମହାପାତ୍ର, ଉପ-ସଭାପତି ଅପର୍ଣ୍ଣା ମହାପାତ୍ର, ବାସନ୍ତି ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଅଘଟଣ
ୠର୍ଭବତୀ ନାବାଳିକାଙ୍କୁ ନ୍ୟାୟ ପ୍ରଦାନ ଦାବି : ଜିଲ୍ଲା ନାରୀ ସଂଘର ଏସପି ଅଫିସ ଆଗରେ ଧାରଣା
- Hits: 830