ସମଗ୍ର ଓଡ଼ିଆ କଳାଜଗତ ସ୍ତବ୍ଧ, ଆଖି ବୁଜିଦେଲେ ସମସ୍ତଙ୍କ ବିଜୟ ମହାନ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) : ସମସ୍ତେ ମିଛରେ ଗୋଟାଏ ଚର୍ଚ୍ଚା କରିଥିଲେ ସେ ଚାଲିଗଲେ ବୋଲି | ସମସ୍ତେ ଭାବିଲେ ଏଭଳି ମିଛ ପ୍ରଚାର ତାଙ୍କ ଆୟୁଷକୁ ବଢ଼ାଇ ଦେଲା | ହେଲେ ସେମିତି କିଛି ହେଲାନି | ମିଛ ଚର୍ଚ୍ଚା ସତ ହେଇଗଲା | ସମସ୍ତଙ୍କ ଆଖିପତା ଓଦା କରି ନିଜ ଅଭିନୟ ସାରି ବାହୁଡ଼ି ଗଲେ ଓଡ଼ିଆ ଚଳଚିତ୍ର ଜଗତର ବାଦଶାହ , ଅଭିନେତା, ନିର୍ଦ୍ଦେଶକ ବିଜୟ ମହାନ୍ତି | ଦୀର୍ଘଦିନ ଧରି ଅସୁସ୍ଥ ରହିବ ପରେ ଶେଷରେ ସେ ଆଖି ବୁଜିଦେଇଛନ୍ତି | ତାଙ୍କ ଦେହାନ୍ତ ଓଡ଼ିଆ ଅଭିନୟ ଜଗତରେ ଏକ ବିଶାଳ ତଥା ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଦେଇଛି | ସବୁ ଆଡୁ ଛୁଟିଛି ସମବେଦନାର ସୁଅ, କଳା ଜଗତ ଶୋକରେ ମ୍ରିୟମାଣ |
ଏହି ବର୍ଷିଆନ ଲୋକପ୍ରିୟ ଅଭିନେତାଙ୍କ ବିୟୋଗରେ ଶୋକାଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।"
ସେହିପରି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜଣାଇଛନ୍ତି ଏହି ମହାନ କଳାକାରଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି | ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କରିଛନ୍ତି " ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ପିଢି ପରେ ପିଢି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି କଷ୍ଟକର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।"
ଓଡ଼ିଆ ଅଭିନୟ ଜାଗ୍ରତରେ ସଫଳତାର ସ୍ଵାକ୍ଷରର ଅନ୍ୟନାମ ଥିଲା ବିଜୟ ମହାନ୍ତି | ଆସୁଚି ମୋ କାଳିଆ ସୁନା , ଶାସ୍ତି , ଚକା ଆଖୀ ସବୁ ଦେଖୁଚି , ମମତାର ଡୋରି, ସାଗର,ଯାହାକୁ ରାଖିବ ଅନନ୍ତ, ପୁଅ ମୋର କଳା ଠାକୁର, କସ୍ତୁରୀ, ସୁନା ଚଢେଇ, ଥିଲି ଝିଅ ହେଲି ବୋହୁ, ବାସନ୍ତୀ ଆପା, ତୁଣ୍ଡ ବାଇଦ, ଏଇ ତ ଦୁନିଆ, ଭୁଲି ହୁଏନା, ମାଣିକ, ଚକା ଭଉଁରୀ, ଏଇ ଆମ ସଂସାର, ସତ କେବେ ଲୁଚି ରହେନା, ମମତା ମାଗେ ମୁଲ, ସହରୀ ବାଘ, ହାକିମ ବାବୁ,ସଂଖା ସିନ୍ଦୁର, ପୂଜା ଫୁଲ,ଜାଗା ହାତରେ ପଘା, ପର ଝିଅ ଘର ଭାଙ୍ଗେନା, ଜାଇଫୁଲ,କାବେରୀ,ଜନନୀ,ଡୋରା,ଦଣ୍ଡା ବାଳୁଙ୍ଗା, ସ୍ବପ୍ନ ସାଗର, ରାମ ରହୀମ, ଅସ୍ତରାଗ, ସମୟ ବଡ ବଳବାନ୍, ଟିକେ ହସ ଟିକେ ଲୁହ, ଆରତୀ, କିଏ ଜିତେ କିଏ ହାରେ, ସଉତୁଣୀ, ପତି ପତ୍ନୀ, ସମର୍ପଣ, ପିପାସା, ଚିଲିକା ତୀରେ, ସୁନା ସଂସାର, ନାଗ ଫାଶ ସମେତ ପ୍ରାୟ ୧୭୫ରୁ ଉର୍ଧ୍ଵ ଚଳଚିତ୍ର ତଥା ଅନେକ ଧାରାବାହିକରେ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଓଡ଼ିଶାର ସମଗ୍ର କଳାଜଗତ ସ୍ତବ୍ଧ | ସମସ୍ତେ ମର୍ମାହତ | ଶ୍ରୀ ମହାନ୍ତିଙ୍କ ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ତନ୍ଦ୍ରା ରାୟ ଓ ତାଙ୍କ ଝିଅ ଉପସ୍ଥିତ ଥିଲେ |
୧୯୫୦ ମସିହା ଏପ୍ରିଲ ୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ପାଣ୍ଡିରିରେ ଜନ୍ମିତ ବିଜୟ ମହାନ୍ତି ମୟୂରଭଞ୍ଜର ବାରିପଦାଠାରେ ପାଳିତ ହୋଇଥିଲେ। ସେ ନାସିରୁଦ୍ଦିନ ଶାହା, ରାଜ ବାବର, ଓମ ପୁରୀ ଇତ୍ୟାଦି ସହପାଠୀମାନଙ୍କ ସହ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ସଫଳତାର ସହ ପାସ୍ କରିଥିଲେ। ଓଡ଼ିଶାକୁ ଫେରିବା ପରେ ସେ ନାଟକ ନିର୍ଦ୍ଦେଶନାରେ ନିଜକୁ ଉତ୍ସର୍ଗ କରିଥିଲେ। ୧୯୭୭ ମସିହାରେ, ସେ ଚିଲିକା ତୀରେ ଚଳଚ୍ଚିତ୍ର ସହିତ ଓଡିଆ ଚଳଚ୍ଚିତ୍ର ଜଗତରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଯାହା ସେହି ବର୍ଷ ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲା | ପ୍ରାରମ୍ଭରେ ତାଙ୍କୁ ମୁଖ୍ୟତଃ ଖଳନାୟକ ଭୂମିକା ପାଇଁ ଚୟନ କରାଯାଇଥିଲା | ଏହି ଭୂମିକାରେ ନାଗଫାଶ , ସମୟ ବଡ ବଳବାନ୍, ଦଣ୍ଡା ବାଲୁଙ୍ଗା, ସହରୀ ବାଘ, ଚକ ଭଉଁରୀ ଏବଂ ଚକା ଆଖି ସବୁ ଦେଖୁଛି ପ୍ରମୁଖ ସ୍ମରଣୀୟ ଚଳଚିତ୍ର | ହେଲେ ଅଭିନୟର ସବୁ ଦିଗରେ ଦକ୍ଷତା ରଖିଥିବା ଅଭିନୟ ପଟୁ ବିଜୟ ମହାନ୍ତି କିଛି ବର୍ଷ ପରେ ସେ ହିରୋ, ଭିଲେନ୍, ହାସ୍ୟ ଅଭିନେତା, ଚରିତ୍ର ଭୂମିକା ଇତ୍ୟାଦି ଠାରୁ ପ୍ରାୟ ସମସ୍ତ ପ୍ରକାରର ଭୂମିକାରେ କରି ପାଲଟିଯାଇଥିଲେ ଓଡ଼ିଆ ଅଭିନୟ ଜଗତର ବାଦଶାହ | କେବଳ ଅଭିନୟ ନୁହେ, ସେ ଭୁଲି ହୁଏନା ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ସ୍ବର୍ଗତ ମହାନ୍ତି | ସେ ୧୯୭୭ ମସିହାରେ ଉତ୍କଳ ସଂଗୀତ ମହା ବିଦ୍ୟାଳୟର ନାଟକ ବିଭାଗରେ ଯୋଗ ଦେଇଥିଲେ ଓ ସେଠାରୁ ସେ ଅନୁଷ୍ଠାନର ପ୍ରଫେସର ଭାବରେ ଅବସର ନେଇଥିଲେ।
ଅଭିନୟ ଜଗତରେ ତାଙ୍କ ସାମଗ୍ରିକ କୃତି ପାଇଁ ୨୦୧୪ରେ ଓଡ଼ିଆ ଚଳଚିତ୍ର କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ଜୟଦେବ ପୁରସ୍କାର ପାଇଥିଲେ | ପୂର୍ବରୁ ଆରତୀ (୧୯୮୧), ମମତା ମାଗେ ମୁଲ (୧୯୮୫), ଏଇ ଆମ ସଂସାର(୧୯୮୬), ଆମ ଘର ଆମ ସଂସାର (୧୯୯୧), ଭୀଷ୍ମ ପ୍ରତିଜ୍ଞା(୧୯୯୩) ଏବଂ ଭାଇ ହେଲା ଭଗାରୀ (୧୯୯୪) ପାଇଁ ଛ ଥର ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ |
ଅଭିନୟରେ ସଫଳତାର ଶୀର୍ଷରେ ପହଁଚିଥିବା ଶ୍ରୀ ମହାନ୍ତି ରାଜନୀତିରେ ବି ତାଙ୍କ ଭାଗ୍ୟ ପରଖିଥିଲେ | ୨୭ ଫେବୃଆରୀ ୨୦୧୪ ରେ ବିଜୟ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ସଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ପରାଜିତ ହୋଇଥିଲେ | ସେ ସାଧାରଣ ନିର୍ବାଚନ ପରେ ରାଜନୀତିରେ ସକ୍ରିୟ ଭାବେ ଜଡିତ ନଥିବା ଦର୍ଶାଇ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ।