ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ଆବାସ : ଧନୀକୁ ଦୋହରା, ଗରିବକୁ ମିଳୁନି ବାସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡିଆରଡିଏର ଅବସରପ୍ରାପ୍ତ ଜୁନିଅର କ୍ଲର୍କଙ୍କୁ ମିଇଲା ଘର, ଗରୀବ ବାଦ

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ନିମନ୍ତେ ନିର୍ଦ୍ଧିଷ୍ଟ କେତେକ ଗାଇଡ଼ ଲାଇନ ରହିଥିବା ବେଳେ ଚୟନ ପ୍ରକ୍ରିୟା ସମୟରେ ଧର୍ମକୁ ଆଖିଠାର ମାରି ଆଇନର ପଛ ଦ୍ୱାର ଦେଇ ଘୋଟାଲ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଫଳରେ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ଏଥିରୁ ଫାଇଦା ଉଠାଉଥିବାର ଅଭିଯୋଗ ହେଉଛି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଭାତହାଣ୍ଡିରୁ ଗୋଟାଏ ଭାତ ପରଖିବା ଭଳି ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ୧୮ ନମ୍ବର ୱାଡର଼୍ ଭଞ୍ଜପୁରରେ ବସବାସ କରୁଥିବା ଖୁଣ୍ଟା ଥାନା ଅଞ୍ଚଳର ତଥା ବାରିପଦା ଡ଼ିଆରଡ଼ିଏ କାର୍ଯ୍ୟାଳୟର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଭଗବାନ କଟୁଆଳଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ ନିମନ୍ତେ ବାରିପଦା ପୌରପରିଷଦ ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି  ଏବଂ ଶ୍ରୀବେହେରା ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ୩ କିସ୍ତିରେ ୧ଲକ୍ଷ ୬୦ ହଜାର ଟଙ୍କାର ବିଲ ନେଇ ସାରିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ଚାଲିଥିବା ବାସଗୃହ ଦ୍ୱିତଳ କୋଠାକୁ ରୂପାନ୍ତରିତ ହୋଇସାରିଥିବାର ପରିଲକ୍ଷିତ ହୋଇଛି । ତେବେ ଦୁଇ ମହଲା କୋଠା ନିର୍ମାଣ କରିବାରେ ସାମର୍ଥ୍ୟ ରଖିଥିବା ବ୍ୟକ୍ତିଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇ ପାରିଲା ତାହା ଏବେ ଜନସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଯାଇଛି । 

          ଏବିଷୟରେ ହିତାଧିକାରୀ ଭଗବାନ କଟୁଆଳ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତ କାରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ସର୍ତ୍ତାବଳୀ ଅନୁସାରେ ଆବାସ ଯୋଜନାରେ ବାସଗୃହ ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ପୌରପରିଷଦରେ ଆବେଦନ କରିବା ପରେ ବାସ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲା । ସେହିପରି ସେ ବାରିପଦା ଡ଼ିଆରଡ଼ିଏ କାର୍ଯ୍ୟାଳୟରେ କନିଷ୍ଠ  କିରାଣୀ ଭାବେ ୨୦୦୭ରେ ଅବସର ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମାସକୁ ୧୫୮୪ ଟଙ୍କାର ଇପିଏଫ ପେନସନ ଉଠାଉଛନ୍ତି । ପୁଅ ସହିତ କୌଣସି ସମ୍ପର୍କ ନାହିଁ , ସେ ତାର ପରିବାର ଧରି ବାହାରେ ରହୁଛି । ଅବସର ଗ୍ରହଣ ସମୟରେ ପାଇଥିବା ଟଙ୍କାକୁ ଜମା କରି ରଖିଥିଲେ । ସେହି ଟଙ୍କା ସହ ସରକାରୀ ଟଙ୍କା ମିଶାଇ ଘର ନିର୍ମାଣ କରୁଛି ବୋଲି କହିଥିଲେ । ମାତ୍ର ଘର କାନ୍ଥରେ ରହିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ଏବଂ ହିତାଧିକାରୀ ଭଗବାନ କଟୁଆଳଙ୍କ ନାମ କୁଆଡେ଼ ଉଭାନ ହୋଇଗଲା ପ୍ରଶ୍ନର ଉତ୍ତରରେ ଜଣା ନାହିଁ, ହୁଏତ ପୌରପରିଷଦ କେତେବେଳେ ଆସି ଲିଭାଇ ଦେଇଥାଇ ପାରେ ବୋଲି ପ୍ରକାଶ କରିଥିଲେ । ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଗଲା ସେ ବିଷୟରେ ପୌରପରିଷଦ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କୁ ପଚାରିବାରୁ " ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ | ପୁରୁଣା ଫାଇଲ କୁ ଯାଞ୍ଚ କରାଯାଇ ହିତାଧିକାରୀ ଦାଖଲ କରିଥିବା ଆୟ ସମ୍ପର୍କିତ ସତ୍ୟପାଠ ଯଦି ମିଥ୍ୟା ପ୍ରମାଣିତ ହେଲା ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟଅନୁସ୍ଠାନ ଗ୍ରହଣ କରାଯିବ" ବୋଲି କହିଛନ୍ତି । 

                  ଅନ୍ୟ ପକ୍ଷେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକ କୁଚିଳାଘାଟି ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଏକ ଗରୀବ ଅସହାୟ ମହିଳା ଚାନ୍ଦମଣି ସିଂ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କୁ ଯୋଜନାରେ ସାମିଲ ହୋଇପାରିଲେ ନାହିଁ । ବାରମ୍ବାର ଶାମାଖୁଣ୍ଟା ବ୍ଲକରେ ଯୋଜନାରେ ସାମିଲ ହେବା ନିମନ୍ତେ ଆବେଦନ କରିବା ପରେ ଶେଷକୁ ନିରାଶ ହେବାକୁ ପଡ଼ିଛି । ମୁଣ୍ଡ ଗୁଞ୍ଜିବା ନିମନ୍ତେ ବାସଗୃହ ନିର୍ମାଣ କରିବାକୁ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ରହିଥିବା ବେଳେ ତାଙ୍କୁ ବିଜୁ ପକ୍କା ଗୃହ ଅଥବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିପାରି ନାହିଁ ବାସଗୃହ । ଫଳରେ ୨ ବର୍ଷରୁ ଅଧିକ ସମୟ ଧରି ପାଇଖାନାକୁ ବାସଗୃହ ଭାବେ ବ୍ୟବହାର କରିଆସୁଛନ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ୨୦୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି । ତେବେ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରଶାସନ ତାଙ୍କୁ ସେହି ପାଇଖାନା ମଧ୍ୟରେ ରହିବାକୁ ଛାଡ଼ି ଦେଇଥିବାରୁ ବିଭିନ୍ନ ମହଲରେ ଏହାକୁ ତୀବ୍ର ସମାଲୋଚନା କରାଯାଇଛି ।  ଏଥି ସହିତ ସରକାରୀ ଯୋଜନା କାହା ସ୍ୱାର୍ଥରେ ତାହାକୁ ନେଇ ପ୍ରଶ୍ନ ଉଠିଛି । 

 

 

 

 

0
0
0
s2sdefault