ହେଡଲାଇନସ୍:

ମଦ ପ୍ରସାରଣ ଉଦ୍ୟମକୁ ଓଡ଼ିଶା ମଦମୁକ୍ତି ଅଭିଯାନର ଦୃଢ଼ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାରେ ପୁଣି ମଦ ଦୋକାନ ସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟ ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ଦୃଢ଼ ବିରୋଧ କରିଛି । ରାଜ୍ୟ ସରକାର ତୁରନ୍ତ ଏଭଳି ଜନବିରୋଧୀ ନିଷ୍ପତ୍ତି ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକ ବିଶେଷ କରି ମହିଳା ଓ ଶିଶୁମାନଙ୍କର ନିରାପତ୍ତା ଓ ସ୍ୱାର୍ଥରକ୍ଷା ତଥା ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ତୁରନ୍ତ ନିଶା ନିବାରଣ ଆଇନ୍‍କୁ ସଂଶୋଧନ ସହ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମଦମୁକ୍ତି ଅଭିଯାନ ପକ୍ଷରୁ ଦାବି ହୋଇଛି । 

ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ଜିଲ୍ଲାରେ ଅଧିକ ସଂଖ୍ୟକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯିବା ପରେ ଏବେ କେଉଁସବୁ ସ୍ଥାନରେ ନୂଆ ମଦ ଦୋକାନ ଖୋଲାଯିବ ସେଥିଘେନି ଉଭୟ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ତନାଘନା ଚାଲିଛି । 

ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ କହିଛନ୍ତି ଯେ ନିଶା ସେବନର ଭୟାବହତା ଉପଲବ୍ଧି କରି ଓଡ଼ିଶା ସରକାର ୨୦୧୩ ଏପ୍ରିଲ୍‍ ମାସରେ ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଗଭୀର ଉଦ୍‍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଯୁବପିଢିକୁ ନିଶାରୁ ଦୂରେଇବା ପାଇଁ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା  ଉପରେ ଗୁରୁତ୍ୱାରୋପ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୬ ବର୍ଷ ତଳେ ଏହି ନୀତି ଘୋଷଣା କରାଯାଇଥିଲେ ମଧ୍ୟ ସରକାର ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିପାରିନଥିବା ବେଳେ ବରଂ ଅଧିକରୁ ଅଧିକ ଯୁବକ କିଭଳି ନିଶାଗ୍ରସ୍ତ ହେବେ ସେଥିପାଇଁ ବନ୍ଦୋବସ୍ଥ  କରିଛନ୍ତି । ବିହାର ଭଳି ରାଜ୍ୟ ନିଶା ନିବାରଣ କରି ବେଶ୍‍ ସଫଳତା ହାସଲ କରିଥିବା ବେଳେ ଏ ବର୍ଷ ଆନ୍ଧ୍ରପ୍ରଦେଶ ୬୦୦ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ କରି ପର୍ଯ୍ୟାୟ କ୍ରମେ ତାଙ୍କ ରାଜ୍ୟକୁ ନିଶାମୁକ୍ତ କରିବାକୁ ଯାଉଛନ୍ତି । କେରଳ, ଗୁଜରାଟ ଆଦି କେତେକ ରାଜ୍ୟ ନିଶା ନିବାରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା କିନ୍ତୁ ନିଶା ପ୍ରସାରଣରେ ମାତିଥିବାରୁ ଏହା ଏବେ ବି ଦେଶର ଅନ୍ୟତମ ପଛୁଆ ରାଜ୍ୟ ହୋଇ ରହିଛି । 

ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମହୁଲି ଓ ଦେଶୀ ମଦ ନିଷିଦ୍ଧ କରାଯିବା ସଙ୍ଗେ ସଙ୍ଗେ ବିଦେଶୀ ମଦ ଉପରେ କଟକଣା ରହୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସରକାର ମହୁଲି ଓ ଦେଶୀ ମଦ ପ୍ରଚଳନ ସହିତ ବିଦେଶୀ ମଦର ଲଗାମଛଡ଼ା ପ୍ରସାର କରୁଛନ୍ତି । ୨୦୦୦-୦୧ ବର୍ଷ ବେଳକୁ ଓଡ଼ିଶାର ଅବକାରୀ ରାଜସ୍ୱ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଗତବର୍ଷ ଏହା ୩,୯୨୫ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଛି ଓ ଏ ବର୍ଷ ସରକାର ଏଥିରୁ ୪,୬୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମଦର ପ୍ରସାର ଯୋଗୁ ଓଡ଼ିଶାରେ ବଳାତ୍କାର  ସମେତ ଜଘନ୍ୟ ମହିଳା ହିଂସା ଅପରାଧମାନ ବଢ଼ି ଚାଲିଛି । ଏଥିଯୋଗୁ ଆଇନ୍‍ ଶୃଙ୍ଖଳା ଅବସ୍ଥା ବିଗିଡ଼ିବା ସଙ୍ଗେ ସଙ୍ଗେ ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ରୋଗବ୍ୟାଧି ବଢ଼ୁଛି ଏବଂ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ନିରାପତ୍ତା ଯୋଜନାରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁନାହିଁ । ମୋଟାମୋଟି ଭାବେ ନିଶାରୁ ସରକାର ଯେତେ ରାଜସ୍ୱ ପାଉଛନ୍ତି ବ୍ୟକ୍ତି, ପରିବାର, ସମାଜ ଓ ସରକାର ଏ ବାବଦରେ ତାହାର ଢେର୍‍ ଅଧିକ ଗୁଣା କ୍ଷତି ଭରଣା କରୁଛନ୍ତି । କେବଳ ମଦ ବ୍ୟବସାୟୀମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ସେମାନଙ୍କ ଲବିର ଚାପରେ ଓଡ଼ିଶାରେ ମଦର ବନ୍ୟା ବଢ଼ୁଛି । ସେମାନେ ଏଭଳି ପୃଷ୍ଠପୋଷକତା ପାଉଛନ୍ତି ଯେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ବାର୍ଷିକ ୧୦ ପ୍ରତିଶତ ହୋଇପାରୁନାହିଁ । ନିଶା ସମସ୍ୟାରେ ଅତିଷ୍ଠ  ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଧାରଣ ଲୋକେ ବିଶେଷ କରି ଦଳମତ ନିର୍ବିଶେଷରେ ମହିଳାମାନେ ରାଜରାସ୍ତାକୁ ଆସି ନିଶା ନିବାରଣ ପାଇଁ ଦାବି କରୁଥିବା ବେଳେ ସରକାର ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଦାବିକୁ ମାନିନେବା ପରିବର୍ତ୍ତେ ଓଲଟା ନିଶା ପ୍ରସାରଣରେ ମାତୁଛନ୍ତି । ଏ ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ତିଆରି ହୋଇଥିବା ଓଡ଼ିଶା ନିଶା ନିବାରଣ ଆଇନ୍‍, ୧୯୫୬କୁ ମଧ୍ୟ ସରକାର ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ ଉଲ୍ଲେଖ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଗାନ୍ଧୀଜୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଥିବା ପରିପ୍ରେକ୍ଷୀରେ ତୁରନ୍ତ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ସରକାରଙ୍କ ନିକଟରେ ଦାବି କରିଛି । ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଓ ସଚେତନ ନାଗରିକମାନେ ଏ ପ୍ରସଙ୍ଗରେ ଆଗେଇ ଆସିବାକୁ ଅଭିଯାନ ପକ୍ଷରୁ ନିବେଦନ କରାଯାଇଛି । 

0
0
0
s2sdefault