ହେଡଲାଇନସ୍:

ଗ୍ରାମ୍ୟଉନ୍ନୟନ ବିଭାଗରେ ଠିକାଦାର-ଯନ୍ତ୍ରୀ ଗହନ ପୀରତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ହେଉଛି  ନଂଘା ଦୁର୍ନୀତି 

ବାରିପଦା(ଦିଲ୍ଲୀପ ମହାନ୍ତି)- ଯେତେ ମୋ ସରକାର ଭେଳିକି ଦେଖା ବା ୫-ଟି, ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ପୂର୍ଣ୍ଣଚ୍ଛେଦ ଖୋଦ ବ୍ରହ୍ମା ବି ଆସିଲେ ପକାଇ ପାରିବେନି | କାରଣ ସେତ ଧରା ବନ୍ଧା ପାଠ ଉପରୁ ତଳ ପର୍ଯ୍ୟନ୍ତ | ତଳିପାରୁ ତାଳୁ ଯାଏ ତାହାର ଚେର ଲମ୍ବିଚି | ଆନ୍ତରିକତା ଅଛିକି ନାହିଁ ତାହା ସମୟ ଉତ୍ତର ଦେବ, ସବୁ କଡା କଡ଼ି ଉପର ଠାରିଆ ନ ଦୁର୍ନୀତି ଅନିୟମିତତା ହଟାଯାଇବା ପାଇଁ ବାସ୍ତବରେ ସରକାର ଚାହୁଁଛନ୍ତି ତାହା ବି ମୋ ସରକାରଙ୍କ ୫-ଟି ପଦକ୍ଷେପରୁ ଜଣାପଡିବ | ହେଲେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି, ସରକାରଙ୍କ ନୀତି ନିୟମର ବସ୍ତ୍ରହରଣ କରି ଠିକାଦାର ମାନେ କରିଥିବା ଅନିୟମିତତା, ଦୁର୍ନୀତି ଓ ଦାୟିତ୍ବହୀନତାର କିଛି ନମୁନା ଆମେ ଏଠି ପରିବେଷଣ କରୁଛୁ | 

 ମୟୂରଭଞ୍ଜ ଜିଲ୍ଲାରେ ଜନସାଧାରଣଙ୍କ ଗମନାଗନର ସୁବିଧା ନିମନ୍ତେ ଜିଲ୍ଲାର ୨୬ଟି ବ୍ଲକଗୁଡ଼ିକରେ ବିଭିନ୍ନ ମୁଖ୍ୟ ମୁଖ୍ୟ ରାସ୍ତାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ଚାଲିଛି ରାସ୍ତା ନିର୍ମାଣ । ଉକ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ଜନସାଧାରଣଙ୍କ ହିତରେ ଆସୁ ଅଥବା ନ ଆସୁ ; କିନ୍ତୁ ନିର୍ମାଣ କାର୍ଯ୍ୟ ନିମନ୍ତେ କାର୍ଯ୍ୟଦେଶ ନେଇଥିବା ଠିକାଦାର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀମାନଙ୍କ କାର୍ଯ୍ୟରେ ଆସୁଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । 

  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ତଥା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଶାମାଖୁଣ୍ଟା ବ୍ଲକର ବାରିପଦା-ଉଦଳା ରାସ୍ତାକୁ ସଂଯୋଗ କରୁଥିବା ଏସ ଏଚ -୧୯ରୁ ପାଣ୍ଡୁରା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ମାପଚୁପ କରାଯିବା ପରେ  ପ୍ଲାନ ଏଷ୍ଟିମେଣ୍ଟ ପ୍ରସ୍ତୁତ କରାଯାଇଥିଲା । ଉକ୍ତ ପ୍ଲାନ ଏଷ୍ଟିମେଣ୍ଟ ଆଧାରରେ ଟେଣ୍ଡର ହୋଇଥିଲା ଏବଂ ରାସ୍ତାର ନିର୍ମାଣ କାର୍ଯ୍ୟ ନିମନ୍ତେ ଠିକାଦାର ସୁବାଷ ମଣ୍ଡଳଙ୍କୁ କାର୍ଯ୍ୟାଦେଶ ମିଳିଥିଲା । ବାରିପଦା-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥର ଟିକରପଡ଼ା(ନୁରୁସାହି) ଛକ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକରୁ ଏସ ଏଚ -୨୯ରୁ ପାଣ୍ଡୁରା ରାସ୍ତା(ପ୍ୟାକେଜ ନଂ- ଓଆର-୨୧-୬୯୮)ର ଲମ୍ବ ୪.୫୦୦ କିଲୋମିଟର(ପିଚୁ ରାସ୍ତା-୨.୮୧୦କି.ମି, କଂକ୍ରିଟ ରାସ୍ତା-୧.୬୯୦କିମି ଓ କଲଭଟ୍-୧୫ଟା) ଅଟକଳ ପରିମାଣ ଟ୧,୪୬,୭୯,୩୮୧.୩୦ ,  ୫ ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତି ଅଟକଳ ଟ୧୪,୦୧,୩୦୩.୯୬ , କାର୍ଯ୍ୟ ଆରମ୍ଭ ତାରିଖ ୨୨.୦୫.୨୦୧୮, କାର୍ଯ୍ୟ ଶେଷ ତାରିଖ ୨୧.୦୨.୨୦୧୯ ଏବଂ ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୨୦୧୯-୨୦ରେ ୧,୩୭,୯୯୦.୦୦, ୨୦୨୦-୨୧ରେ ୧,୮୪,୫୫୪.୦୦, ୨୦୨୧-୨୨ରେ ୩,୦୪,୮୨୪.୦୦, ୨୦୨୨-୨୩ରେ ୩,୫୯,୫୦୦.୦୦ ଏବଂ ୨୦୨୩-୨୪ରେ ଟ୪,୧୪,୪୩୬.୦୦ ବୋଲି ଉଲ୍ଲେଖ କରାଯାଇଛି । ଏଥି ସହିତ ଠିକାଦାର ଏହି ଏସଏଚ-୧୯-ପାଣ୍ଡୁରା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାର ପରବର୍ତ୍ତି ସମୟରୁ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ଆରମ୍ଭ କରିଦେଇଛି । ନିର୍ମାଣ ହୋଇଥିବା ପିଚୁ ରାସ୍ତା ଚଦର ଭଳି ଉଠିବାରେ ଲାଗିଥିବା ବେଳେ କଂକ୍ରିଟ ରାସ୍ତାରୁ ଚିପ୍ସ ସିମେଣ୍ଟଠାରୁ ଅଲଗା ହେବା ଆରମ୍ଭ କରିଛି । କେବଳ ଏତିକି ନୁହେଁ, ଉକ୍ତ ରାସ୍ତା ନିର୍ମାଣର ସୂଚନା ଫଳକରେ ଦର୍ଶାଯାଇଥିବା ରାସ୍ତାର ଲମ୍ବ ୪.୫୦୦ କି.ମିକୁ ନେଇ ଜନସାଧାରଣ ଅଙ୍ଗୁଳି ଉଠାଇବା ସଙ୍ଗେ ସଙ୍ଗେ ରାସ୍ତାର ଲମ୍ବ ପ୍ରାୟ ସାଢେ଼ ୩ କି.ମି. ହେବ ବୋଲି ଅନୁମାନ କରିଛନ୍ତି । 

        ପୁଣି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁଳିଅଣା ବ୍ଲକ ଏନଏଚ -୫ରୁ ଆନିଆପାଳ(ପ୍ୟାକେଜ ନଂ-ଓଆର-୨୧-ଏଡ଼ିବି-୧୨୯) ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ହୋଇଛି । ରାସ୍ତା ପାଶ୍ୱର୍ରେ ଲାଗିଥିବା ସୂଚନା ଫଳକ ଅନୁସାରେ ଠିକାଦାର ତାରକ ନାଥ ଦାସ ୨୫/୦୪/୨୦୧୮ ଏପ୍ରିଲ ୨୫ରେ (ଟ୯୯,୪୧,୬୭୮.୦୦ ଅଟକଳ ସହ ୫ ବର୍ଷର ରକ୍ଷଣାବେକ୍ଷଣ ମୂଲ୍ୟ ଟ୯,୩୭,୨୨୮.୦୦) ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ୨୩/୦୨/୨୦୧୯ରେ ନିର୍ମାଣ କାର୍ଯ୍ୟସମାପ୍ତି କରିବେ । ଏଥି ସହିତ ରାସ୍ତାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୪/୦୨/୨୦୧୯ରୁ ଆରମ୍ଭ ହୋଇ ୨୩/୦୨/୨୦୨୪ରେ ଶେଷ ହେବ ବୋଲି ଉଲ୍ଲେଖ ରହିଛି । କିନ୍ତୁ ଏହି ଏନଏଚ -୫ରୁ ଆନିଆପାଳ ରାସ୍ତାରେ ଗୋଟାଏ ଇଞ୍ଚ ରାସ୍ତା କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ହୋଇନଥିବା ସହ ବିଭିନ୍ନ ସ୍ଥାନରେ ଖାଲଖମାରେ ଭର୍ତ୍ତି ରହିଥିବାର ପରିଲକ୍ଷିତ ହୋଇଛି ।  

 ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁଳିଅଣା ବ୍ଲକ ଏନଏଚ-୫ କୁଚେଇଠାରୁ ସାଲଗଡ଼ିଆ ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା(ପ୍ୟାକେଜ ନଂ-ଓଆର-୨୧-୭୬୩)ରେ  ସାମିଲ ହୋଇଛି । ରାସ୍ତା ପାଶ୍ୱର୍ରେ ଲାଗିଥିବା ସୂଚନା ଫଳକରେ ରାସ୍ତାର ଲମ୍ବ-୧ କି.ମି.( ପିଚୁ ରାସ୍ତା-୦.୯୦କି.ମି., କଂକ୍ରିଟ ରାସ୍ତା-୦.୧୦ କି.ମି), କଲଭର୍ଟ -୩, ଅଟକଳ  ପରିମାଣ- ୩୯.୪୮ଲକ୍ଷ, କାର୍ଯ୍ୟ ଆରମ୍ଭ ତାରିଖ-୦୨/୦୩/୨୦୧୯ , ଶେଷ ତାରିଖ-୦୧/୦୯/୨୦୧୯, ଠିକାଦାରଙ୍କ ଦ୍ୱାରା ରକ୍ଷଣାବେକ୍ଷଣ ଚୁକ୍ତି ୫ ବର୍ଷ ଏବଂ ରାସ୍ତା ନିର୍ମାଣ ନିମନ୍ତେ କୁଚେଇ ଅଞ୍ଚଳର ଠିକାଦାର ମନୋଜ କୁମାର ରାଉତ କାର୍ଯ୍ୟାଦେଶ ନେଇଥିବା ବିଷୟ ଉଲ୍ଲେଖ ରହିଥିବା ବେଳେ ରକ୍ଷଣାବେକ୍ଷଣ ଅଟକଳ ଫଳକରେ ଦର୍ଶାଯାଇ ନଥିବାର ଦେଖିବାକୁ ମିଳିଛି ।  ଉକ୍ତ ରାସ୍ତାପାଶ୍ୱର୍ରେ ଫଳକ ଲଗାଯାଇଥିବା ସମୟରେ ଗୋଟାଏ ଇଞ୍ଚ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇନଥିବାର ପରିଲକ୍ଷିତ ହୋଇଛି । 

             ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁଳିଅଣା ବ୍ଲକ ଏନଏଚ-୫ଠାରୁ ଜିଆଣି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା(ପ୍ୟାକେଜ ନଂ-ଓଆର-୨୧-୭୫୧)ରେ ସାମିଲ କରାଯାଇଛି । ରାସ୍ତା ପାଶ୍ୱର୍ରେ ଲାଗିଥିବା ସୂଚନା ଫଳକରେ ରାସ୍ତାର ଲମ୍ବ-୨.୮୦୦କି.ମି., ଅଟକଳ ମୂଲ୍ୟ-ଟ୧୧,୩୫,୪୮,୮୦୮.୦୦, ୫ବର୍ଷର ରକ୍ଷଣାବେକ୍ଷଣ ମୂଲ୍ୟ- ଟ୧୧,୧୦୬୧୦.୦୦ , କାର୍ଯ୍ୟ ଆରମ୍ଭ ତାରିଖ- ୧୫/୦୨/୨୦୧୯, କାର୍ଯ୍ୟ ଶେଷ ତାରିଖ- ୦୪/୦୮/୨୦୧୯, ରକ୍ଷଣାବେକ୍ଷଣ ଆରମ୍ଭ ତାରିଖ- ୦୫/୦୮/୨୦୧୯ ଓ ଶେଷ ତାରିଖ- ୦୪/୦୮/୨୦୨୪, ଠିକାରଙ୍କ ନାମ- ଆକାଶ ଗିରି ବୋଲି ଦର୍ଶାଯାଇଥିଲେ ମଧ୍ୟ ଗୋଟାଏ ଇଞ୍ଚ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ ହୋଇନଥିବାର ଜଣାପଡ଼ିଛି । କେବଳ ରାସ୍ତାପାଶ୍ୱର୍ର ବିଭିନ୍ନ ସ୍ଥାନରେ ମେଟାଲ ଗଦା ଯାଇଥିବାର ଦେଖିବାକୁ ମିଳିଛି । 

ସେହିପରି ବାରିପଦା ନିର୍ବାଚନ ମଣ୍ଡଳୀର ଜ୍ୟୋତିପୁର- ଇଟାମୁଣ୍ଡିଆ ୨.୫୦୦ କି.ମି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ବିଷୟକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । 

ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ରାସ୍ତା ଘାଟ ଖାଲଖମା ଓ ସ୍ଥାନେ ସ୍ଥାନେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେକ ଠିକାଦାରଙ୍କ ଦବଙ୍ଗଗିରି ଓ ପୁଲିସ କୋର୍ଟ କଚେରୀ ଭୟରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ , ଠିକାଦାର ଓ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ସଲାସୁତରାରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଛି । 

 ଏବିଷୟରେ ବାରିପଦା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ରହିଥିବା କରଞ୍ଜିଆ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଶରତ କୁମାର ରାଉତଙ୍କୁ ସେଲ ନମ୍ବର ୯୪୩୭୨୫୫୩୬୩ରେ ଯୋଗାଯୋଗ କରିବାରୁ ଠିକାଦାର ରାସ୍ତା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ନେଇ କାର୍ଯ୍ୟ ନ କଲେ ଆମେ କଣ କରିପାରିବୁ । ଆନିଆପାଳ ରାସ୍ତା ଉପରେ ସରକାରଙ୍କୁ ଲେଖିଛୁ, ରାସ୍ତା ନିର୍ମାଣ ନିମନ୍ତେ ରିଭିଜନ ପ୍ଲାନ ଏଷ୍ଟିମେଣ୍ଟ କରାଯାଇ ପୁଣି ଥରେ ଟେଣ୍ଡର କରାଯିବ । କାର୍ଯ୍ୟାଦେଶ ନେଇ କାର୍ଯ୍ୟ କରୁନଥିବା ଠିକାଦାରଙ୍କ ନିକଟରୁ ଫାଇନ ଆଦାୟ କରାଯିବ । ପ୍ଲାନ ଏସ୍ଟିମେଟ  ଅନୁସାରେ ରାସ୍ତାର ପ୍ରକୃତ ଲମ୍ବ ହୋଇନଥିଲେ ଚାକିରୀ ଯିବ । ବାହାରେ ରହିଛି, ଅଫିସ ଗଲେ ଫାଇଲ ଦେଖିବା ପରେ କହିପାରିବି । ଏସଡ଼ିଓ ଭାବେ ବାରିପଦାରେ ୪ ବର୍ଷ କାର୍ଯ୍ୟ କରିଛି । ଏହା ଭିତରେ ବହୁତ ଗୁଡ଼ିଏ କାର୍ଯ୍ୟ କରିଛି । ବର୍ତ୍ତମାନ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ରହିଛି । ନୂଆ ନିର୍ବାହୀ ଯନ୍ତ୍ରୀ ଆସିଲେ କେତେ କଣ କାର୍ଯ୍ୟକରୁଛି ତାହା ପରବର୍ତ୍ତି ସମୟରେ ଜଣାପଡ଼ିଯିବ ବୋଲି କହିଥିଲେ । 

          କେବଳ ଏତିକି ନୁହେଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ମହାଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ପରିଷଦ ସହ ୭ରୁ ଅଧିକ ବ୍ଲକ , ଗୋଟାଏ ପୌରପରିଷଦ ଓ ଏନଏସି , ୬ ନିର୍ବାଚନ ମଣ୍ଡଳୀ ଓ ମୟୂରଭଞ୍ଜ ଲୋକସଭା ବିଜେପି ଦଖଲରେ ରଖିଥିବା ବେଳେ ରାଜ୍ୟରେ ବିଜେଡ଼ି ସରକାର ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ଶାସନ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନିମନ୍ତେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । କିନ୍ତୁ ମୟୂରଭଞ୍ଜରେ ସ୍ୱଚ୍ଛତାକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । 

 

 

 

 

 

 

 

 

0
0
0
s2sdefault