ହେଡଲାଇନସ୍:

ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁର୍ଷ୍କମ : ପ୍ରକାଶ ମିଶ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁପ୍ରସଙ୍ଗ : ବିଜେଡ଼ିକୁ ବିଜେପିର ଆଟାକ

ସିବିଆଇ ତଦନ୍ତ ହେଲେ ସତ ବାହାରିବ :ବିଜେପି

 ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି ଘଟଣା ସାମ୍ନାକୁ ଆସୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କୁ ଗଣଦୁର୍ଷ୍କମ ଏବଂ ପରେ ହତ୍ୟା କରିବା ପରେ ଶାସକ ଦଳ ଚାପରେ ପୋଲିସ ଏଯାବତ୍ ଅପରାଧୀମାନଙ୍କୁ ଗିରଫ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ  ତଥା ବରିଷ୍ଠ  ବିଜେପି ନେତା ପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି । 

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କୁ ଗଣଦୁର୍ଷ୍କମ ଏବଂ ପରେ ହତ୍ୟା କରି ବିଜେଡିର ପ୍ରଭାବଶାଳୀ ନେତା ଏବଂ ବେପାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ଉପହାର ଦେଇଛନ୍ତି ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । 

ଗତକାଲି ବିଜେପିପର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ହରିଦାସପୁର ପଂଚାୟତ ଗସ୍ତ କରି ଘଟଣାର ସରଜମିନ ତଦନ୍ତ କରିଥିଲା । ପରେ ସ୍ମିତାରାଣୀ ବିଶ୍ୱାଳଙ୍କର ପରିବାରବର୍ଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଅବଗତ ହେବା ପରେ ଏସ୍ପିଙ୍କୁ ଭେଟି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି । ତଦନ୍ତରୁ ଜଣାପଡିଛି କି, ଏପର୍ଯ୍ୟନ୍ତ ପୋଲିସ ଘଟଣାର କୌଣସି ଅନୁସନ୍ଧାନ ନକରି ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ କହିବା ଅନୁଯାୟୀ ତଦନ୍ତ କରୁଛି । ସ୍ମିତାରାଣୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ଯେତେବେଳେ ପୋଲିସ୍ ଛାନବିନ୍ କଲା ସେତେବେଳେ ସ୍ମିତାରାଣୀଙ୍କର ସ୍ୱାମୀ କହିଲେ ଯେ ସେ ନିଜେ ଦେଖିଛନ୍ତି ତାଙ୍କର ଗୋଡରେ ଗୋଟେ ମୁଦି ନଥିଲା ଏବଂ ତାଙ୍କ ଗୋଡରେ କ୍ଷତ ବା ନାଲି ନାଲି ଚିହ୍ନ ଦେଖିବାକୁ ପାଇଥିଲେ ଯାହାକି ରିପୋର୍ଟରେ ଲେଖାଯାଇନଥିଲା । ଯେଉଁ ପରିବେଶ ଓ ପରିପ୍ରେକ୍ଷୀରେ ଏହା ଘଟିଛି ସେଠାରେ ଏକାଧିକ ଲୋକ ଉପସ୍ଥିତ ଥିଲେ । ସେହି ଗେଷ୍ଟ ହାଉସରେ ମୃତକ ସ୍ମିତାରାଣୀ ବିଶ୍ୱାଳଙ୍କ ସମେତ ଅପରାଧୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ଭଦ୍ର, ୨ଜଣ ବିଜେଡି ସମିତିସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଏବଂ ରାମକୋ ସିମେଂଟର ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସେଦିନ ସେମାନେ କଣ କରୁଥିଲେ? ଘଟଣା ଦିନ ଅକ୍ଟୋବର ୧୬ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ଏମାନେ ସମସ୍ତେ ଭୋଜି ଭାତ କରି ଜନ୍ମଦିନ ପାଳନ କରୁଥିଲେ । ପରେ ସ୍ମିତାରାଣୀଙ୍କୁ ଗଣଦୁର୍ଷ୍କମ କରି ହତ୍ୟା କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କୌଣସି ସରକାରୀ ସ୍କିମ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମ ଯୋଡିବା ଲାଗି ତାଙ୍କୁ ଜୋରଜବରଦସ୍ତି କରାଯାଇଥିବ କୌଣସି କାରଣରୁ ତାଙ୍କ ଉପରେ ଚାପ ପଡିଛି ସେ ସେଥିରେ ରାଜି ହୋଇନହେବାରୁ ତାଙ୍କୁ ରୂପେଶ ଭଦ୍ର ଏବଂ ତାଙ୍କ ସହେଯାଗୀ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକ ପ୍ରତିନିଧୀ ଦଳ ଆଗରେ କହିଛନ୍ତି । ଯେଉଁ ଗେଷ୍ଟ ହାଉସରେ ଏଭଳି ହତ୍ୟାକାଣ୍ଡ ଘଟିଛି ସେ ଘରକୁ ପୋଲିସ ସିଲ୍ କରିନାହିଁ । ସେହିପରି ମରଶରୀର ବୁହା ହୋଇଥିବା ସ୍କୋପିଏ ଗାଡିକୁ ପୋଲିସ ଏଯାବତ ଜବତ କରିନାହିଁ । 

ମୃତକ ସ୍ମିତାରାଣୀଙ୍କ ପରିବାର ଓ ସ୍ୱାମୀଙ୍କ କହିବା ଅନୁଯାୟୀ, ସ୍ମିତାରାଣୀ ଗତକିଛି ଦିନ ହେଲା ବିବ୍ରତ ଥିଲେ ଓ ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପଡୁଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ ଲୋକଙ୍କୁ ଆବାସ ତାଲିକା ଭୁକ୍ତ କରିବା ପାଇଁ ତାଙ୍କ ଉପରେ ଚା ପଡୁଥିଲା । ସ୍ମିତାରାଣୀଙ୍କ ସ୍ୱାମୀ ଓ ବାପା ଏହାକୁ ଜଘନ୍ୟ ହତ୍ୟାକାଣ୍ଡ କହୁଥିବାବେଳେ ପୋଲିସ ଅଭିଯୁକ୍ତ ଠିକାଦାର ରୂପେଶ ଭଦ୍ର କଥାରେ ଏହାକୁ ଆତ୍ମହତ୍ୟାର ରୂପ ଦେଇ ଆଇନକୁ ବାଟବଣା କରି ଚାଲିଛି ବୋଲି ଡ.ସାମନ୍ତିସଂହାର ଅଭିଯୋଗ କରିଛନ୍ତି । ହରିଦାସପୁର ପଂଚାୟତ ଅଫିସ ବର୍ଷସାରା ବନ୍ଦ ଥାଏ କେବଳ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ରେ ଅଫିସ ଖୋଲାଯାଏ ଏବଂ ବର୍ଷତମାମ ପଂଚାୟତର ସମସ୍ତ କାର୍ଯ୍ୟ ସେହି ଗେଷ୍ଟ ହାଉସରେ ଚାଲିଥାଏ । ସେଠି ବିଜୁ ଜନତାଦଳର ପତକା ମଧ୍ୟ ଉଡେ । ସ୍ମିତାରାଣୀଙ୍କର ଫୋନ୍ ପୋଲିସ୍ ପାଖରେ ଅଛି ବୋଲି ସୂଚନା ମିଳିଥିଲା ତେଣୁ ଆମର ଏହି ଦାବି ଯେ ଯେତେ ଅଭିଯୁକ୍ତ ସେହି ଘରେ ଉପସ୍ଥିତ ଥିଲେ ସେହି ସମସ୍ତଙ୍କର ଫୋନକୁ ଜବତ କରାଯାଇ ସେଥିମଧ୍ୟରୁ ତଥ୍ୟ ସଂଗ୍ରହ କରାଯାଉ । 

ହରିଦାସପୁର ଅଂଚଳରେ ରାମ୍କୋ ବୋଲି ଏକ ସିମେଂଟ କାରଖାନା ପ୍ରସ୍ତୁତ କରାଯାଉଛି । ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ସେହି ସିମେଂଟ କମ୍ପାନୀ ରାମ୍କୋର ଅଧିକାରୀ ଆସି ଆଡ୍ଡା ଜମାନ୍ତି । ସେହି ଗେଷ୍ଟହାଉସ ପାଖରେ ମଦ ବୋତଲ ପଡିଛି । ଏହି ହତ୍ୟାକାଣ୍ଡରେ ରାମକୋ ଅଧିକାରୀଙ୍କ ହାତ ରହିଛି ବୋଲି ସନେ୍ଦହ ହେଉଛି । ତେଣୁ ଏହା ମଧ୍ୟ ଅନୁସନ୍ଧାନ ପରିସରଭୁକ୍ତ ହେଉ କି, ରାମ୍କୋର କିଏ ଓ କାହିଁକି ସେ ଗେଷ୍ଟ ହାଉସକୁ ଆସିଥିଲେ? ତାଙ୍କ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି କି ନାହିଁ? ସ୍ମିତାରାଣୀଙ୍କ ସହ ଗଣଦୁର୍ଷ୍କମ ହୋଇଛି ଏବଂ ତାଙ୍କୁ ଗେଷ୍ଟ ହାଉସ ଯିବା ପାଇଁ ସରପଂଚଙ୍କ ସ୍ୱାମୀ କାହିଁକିବାଧ୍ୟ କରିଥିଲେ । ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି । ଏହି ସମସ୍ତ ଘଟଣାର ଅନୁସନ୍ଧାନ କରାଯିବା ସହ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ । ଏଥି ସହ ଅଭିଯୁକ୍ତମାନଙ୍କୁ ଗଣଦୁର୍ଷ୍କମ ଏବଂ ହତ୍ୟା ଅଭିଯୋଗରେ ତୁରନ୍ତ ଗିରଫ କରାଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି । ଯଦି ମୃତକ ସ୍ମିତାରାଣୀ ଏବଂ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନ୍ୟାୟ ନଦେଲେ ଆଗାମୀ ଦିନରେ ବିଜେପି ଭୟଙ୍କର ଆନେ୍ଦାଳନକୁ ଓହ୍ଲାଇବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡର ଦ୍ୱିତୀୟ ଭାଗ ଭଳି ଲାଗୁଛି । ଏ ଘଟଣାରେ ନିଜସ୍ୱ ତଦନ୍ତ ନକରି ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଯାଜପୁର ଜିଲ୍ଲା ପୋଲିସ ଯେଉଁ ଅପଚେଷ୍ଟା କରୁଛି ସେ କ’ଣ ୫-ଟିର ଦୃଷ୍ଟାନ୍ତ ? କ’ଣ ଏଭଳି ଚାଲିବ ମୋ ସରକାର ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ନାୟକ, ବିଶ୍ୱରଂଜନ ମଲ୍ଲିକ, ଯାଜପୁର ବିଜେପି ସାଂସଦ ପ୍ରାର୍ଥୀ ଅମିୟ କୁମାର ମଲ୍ଲିକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ ଏବଂ ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault