ହେଡଲାଇନସ୍:

ହିଂସାମୁକ୍ତ ସମୃଦ୍ଧ ଓଡ଼ିଶା ପାଇଁ ନିଶା ନିବାରଣ ଜରୁରୀ: ମଦମୁକ୍ତି ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର: ହିଂସା ସହିତ ନିଶା ଜଡ଼ିତ । ନିଶା ନିବାରିତ ନ ହେଲେ ହିଂସା କମିବ ନାହିଁ । ଏ ପରିପ୍ରେକ୍ଷୀରେ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବାକୁ ଦାବି କରିଛି । 

ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଥିବା ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦିଆଗଲେ ତାହା ଉକ୍ତ ପ୍ରତିପାଳନର ସର୍ବୋକ୍ରୃଷ୍ଟ ସ୍ମାରକୀ ହୋଇ ରହିବ ବୋଲି ସେମାନେ କହିଛନ୍ତି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ପ୍ରଥମେ ନିଜ ରାଜ୍ୟରେ ପ୍ରଚଳନ କରି ଦେଶ ନିକଟରେ ଆଦର୍ଶ ସୃଷ୍ଟି କରିବାକୁ ସେମାନେ ଆହ୍ୱାନ ଦେଇ ହିଂସା ଓ ନିଶାମୁକ୍ତ ଓଡ଼ିଶା ଗଠନରେ ରାଜ୍ୟ ପ୍ରଶାସନ ବ୍ରତି ହୋଇ ଅନ୍ତତଃପକ୍ଷେ ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବା ଉଚିତ୍‍ ହେବ ବୋଲି ସେମାନେ କହିଛନ୍ତି । 

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ନାରୀ ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ନିଶାଗ୍ରସ୍ତ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏଥିରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁନାହିଁ । ନାରୀ ଓ ଶିଶୁ ନିର୍ଯାତନା ବିଶେଷ କରି ବଢ଼ି ଚାଲିଥିବା ନିନ୍ଦନୀୟ ଦୁଷ୍କର୍ମ ଘଟଣା ପଛରେ ନିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଶା ଯୋଗୁ ସଡ଼କ ଦୁର୍ଘଟଣା, ରୋଗବ୍ୟାଧି ଆଦି ମଧ୍ୟ ବଢ଼ୁଛି । ରାଜ୍ୟ ସରକାର ଗତ ୨୫ ବର୍ଷ ମଧ୍ୟରେ ବାର୍ଷିକ ଅବକାରୀ ରାଜସ୍ୱ ୭୦ କୋଟି ଟଙ୍କାରୁ ୩୯୩୨ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇଲେଣି । ତେବେ ଏଥିଯୋଗୁ ବ୍ୟକ୍ତି, ସମାଜ, ପରିବାର ଓ ରାଜ୍ୟର ବାର୍ଷିକ କ୍ଷତିର ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଉଛି । ରାଜ୍ୟରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପଛରେ ବି ନିଶା ରହିଛି । ଏ ପରିପ୍ରେକ୍ଷୀରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଶା ନିବାରଣ ଏକାନ୍ତ ଜରୁରୀ । ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଧାନସଭାରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିବା ଓଡ଼ିଶା ନିଶା ନିବାରଣ ଆଇନ୍‍କୁ ସଂଶୋଧନ ସହ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି । 

ନିଶା ନିବାରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଘୋଷଣା କରିବା ପାଇଁ ମଧ୍ୟ ଓଡ଼ିଶା ମଦମୁକ୍ତି ଅଭିଯାନ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ୨୦୧୩ ଏପ୍ରିଲ୍‍ ମାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ଯୁବ ନୀତିରେ ନିଶା କିଭଳି ଯୁବ ସମାଜକୁ ବିପଦଗାମୀ କରୁଛି ସେଥିଘେନି ଉଦ୍‍ବେଗ ପ୍ରକାଶ କରାଯିବା ସଙ୍ଗେ ସଙ୍ଗେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା  ଲାଗି ଓଡ଼ିଶା ସରକାର ଘୋଷଣା କରିଥିଲେ । ତେବେ ୬ ବର୍ଷ ମଧ୍ୟରେ ସରକାର ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିପାରିନଥିବା ବେଳେ ନିଶା ପ୍ରସାରଣ କରି ଅଧିକରୁ ଅଧିକ ସଂଖ୍ୟକ ଯୁବକ ଓ ପରିବାରଙ୍କ ବରବାଦର କାରଣ ହୋଇଛନ୍ତି ବୋଲି ମଦମୁକ୍ତି ଅଭିଯାନ ଦର୍ଶାଇବା ସଙ୍ଗେ ସଙ୍ଗେ ଏ ପ୍ରସଙ୍ଗରେ ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ଯୁବନୀତିରେ କରିଥିବା ଘୋଷଣାର ପ୍ରତିପାଳନ କରିବାକୁ ଶ୍ରୀ ସିଂହ ନିବେଦନ କରିଛନ୍ତି । 

0
0
0
s2sdefault