୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫
ଓଡ଼ଗାଁ,୧୯/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୪ର୍ଥ ଦିବସ ବୁଧବାରେ ସ୍ପୋର୍ଟସ ହଷ୍ଟେଲ ନୟାଗଡ଼କୁ ବିହାର ଟିମ୍ ୦-୧ ଗୋଲରେ ହରାଇ ବିଜୟ ହାସଲ କରିଥିଲେ । ପ୍ରଥମାର୍ଦ୍ଧରେ ପ୍ରତିପକ୍ଷ ମଧ୍ୟରେ ଖେଳ ଚିତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ୨୮ ତମ ମିନିଟରେ ବିହାର ଦଳର ୧୦ ନମ୍ବର ଜର୍ସି ଖେଳାଳୀ ଓକ୍ଟାଭୃସ ନୟାଗଡ଼ ଦଳର ଖେଳାଳିଙ୍କୁ କୌଶଳତା ସହକାରେ କାଟି ବଲକୁ ଆଗାଇନେଇ ଏକ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ । ଫଳରେ ବିହାର ଟିମ୍ ୦-୧ ଗୋଲରେ ଅଗ୍ରଣୀ ରହିଥିଲେ । ଦ୍ବିତୀୟାର୍ଦ୍ଧରେ ନୟାଗଡ଼ ଦଳର ଖେଳାଳୀ ମାନେ ଅନେକ କସରତ ସତ୍ବେ ଗୋଲକୁ ସୁଝାଇ ପାରିନଥିଲେ।ଫଳରେ ବିହାର ଦଳ ବିଜୟ ଲାଭ କରିଥିଲେ । ରାଜୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିବା ବେଳେ ପ୍ରସନ୍ନ କୁମାର ନାୟକ, ଜ୍ୟୋତି ରଞ୍ଜନ ସ୍ବାଇଁ, ଜଗନ୍ନାଥ ପରିଡା ଲାଇନରେ ସହାୟତା କରିଥିଲେ । ଶରଣକୁଳ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ମହେଶ୍ବର ପଣ୍ଡା ଏବଂ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ରାମ ପ୍ରସାଦ ସାହୁ ଅତିଥି ରୁପେ ଯୋଗଦେଇ ବିହାର ଦଳର ଓକ୍ଟାଭୃସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆସନ୍ତା କାଲି ଗୁରୁବାର ପ୍ରଥମ ସେମି ଫାଇନାଲରେ ସେଞ୍ଚୁରିଆନ କ୍ଳବ ଆଫ୍ରିକା ଏକାଦଶ ଓ ଗନ୍ଦରପୁର ଭୁବନେଶ୍ବର ମଧ୍ୟରେ ଖେଳ ଅନୁଷ୍ଠିତ ହେବ।











