ହେଡଲାଇନସ୍:

"ରାଜ୍ୟରେ ଚିକିତ୍ସକମାନେ ଏମ୍ସ ତୁଳନାରେ ଅଧିକ ବେତନ ଓ ପ୍ରୋତ୍ସାହନ ପାଉଛନ୍ତି" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡିଶାର ସ୍ୱାସ୍ଥ୍ୟସେବା ମାନବ ସମ୍ବଳ ନୀତି ପ୍ରଶଂସନୀୟ : ଡ଼ ମେହେର୍ଦ୍ଦା 

 ଭୁବନେଶ୍ୱର(ଶାସକ ପ୍ରଶାସକ)-  ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ମାନବ ସମ୍ବଳ (ଏଚ୍‍ଆର) ନୀତି ଅନ୍ୟ ବହୁ ରାଜ୍ୟ ଏପରିକି କେନ୍ଦ୍ରୀୟ ସଂସ୍ଥା ଗୁଡିକ ଠାରୁ ଭଲ । ଏଠାରେ ଚିକିତ୍ସକମାନେ ଅଧିକ ପରିମାଣରେ ପ୍ରୋତ୍ସାହନ ରାଶି ସହିତ ଏମ୍‍ସ ଠାରୁ ଅଧିକ ବେତନ ପାଉଛନ୍ତି । ଉପାନ୍ତ ଅଞ୍ଚଳରେ ନିଯୁକ୍ତ ହେଉଥିବା ଡାକ୍ତରମାନଙ୍କ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନରାଶି ପ୍ରଦାନ କରୁଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ଗୁଡିକର ନୀତିକୁ ନେଇ କେନ୍ଦ୍ର ସରକାର କରିଥିବା ଦୁଇ ଦିନିଆ ସମୀକ୍ଷା ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ଉପସ୍ଥାପନ କରିଥିବା ତଥ୍ୟକୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି । 

 ଶ୍ରୀ ମେହେର୍ଦ୍ଧା ଦର୍ଶାଇଛନ୍ତି ଯେ ରାଜ୍ୟରେ ଡାକ୍ତର ଅଭାବ ପୂରଣ ଲାଗି ଦୁଇବର୍ଷ ମଧ୍ୟରେ ରାଜ୍ୟରେ ତିନିଟି ନୂଆ ମେଡିକାଲ କଲେଜ ହୋଇଥିବାବେଳେ ଆଉ ୬ଟି ମେଡିକାଲ କଲେଜ ନିର୍ମାଣ ଅବସ୍ଥାରେ ରହିଛି । ମେଡିକାଲ କାଉନସିଲ ଅଫ୍‍ ଇଣ୍ଡିଆର  ଅନୁମୋଦିତ କଲେଜ ଗୁଡିକରୁ ସୁପର ସ୍ପେିଶିଆଲିଷ୍ଟ କରିଥିବା ଡାକ୍ତରମାନଙ୍କୁ ମାସିକ ୩୦ହଜାର ଟଙ୍କାର ପ୍ରୋତ୍ସାହନ  ଭତ୍ତା ଦିଆଯାଉଛି । ସେହିପରି  ପିଜି କରିଥିବା ଡାକ୍ତରମାନଙ୍କୁ ୨୦ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଥିବା ଡାକ୍ତରମାନଙ୍କୁ ୧୦ହଜାର ଟଙ୍କା ଲେଖାଏ ଦିଆଯାଉଛି । ଏହି ଆର୍ଥିକ ପ୍ରୋତ୍ସାହନରାଶି ସେମାନଙ୍କୁ ନିଯୁକ୍ତିର ସ୍ଥାନ ଅନୁଯାୟୀ ମିଳୁଥିବା ରାଶି ବାଦ୍‍ ପ୍ରଦାନ କରାଯାଉଛି । ନିକଟ ଅତୀତରେ ରାଜ୍ୟ ସରକାର ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମ ଲେଖାଇଥିବା ଡାକ୍ତରମାନେ ରାଜ୍ୟରେ କାମ କରିବାପାଇଁ ଅନେକ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଯେଉଁ ଡାକ୍ତରମାନେ ପ୍ରି କ୍ଲିନିକାଲ ବିଷୟ ଯଥା ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମେଷ୍ଟ୍ରି ଏବଂ ପାରା କ୍ଲିନିକାଲ ବିଷୟ ଯଥା ଫାର୍ମାକୋଲୋଜି, ଏଫ୍‍ଏମ୍‍ଟି, ପାଥୋଲୋଜି,  ମାଇକ୍ରୋବାୟୋଲୋଜି,କମ୍ୟୁନିଟି  ମେଡିସିନି ଆଦିରେ ପିଜି କରୁଛନ୍ତି ସେମାନଙ୍କର ମାସିକ ଭତ୍ତା ୧୮ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । 

 ଯେଉଁ ଡାକ୍ତରମାନେ କେବିକେ ଅଞ୍ଚଳରେ ଥିବା ମେଡିକାଲ କଲେଜରେ କାର୍ଯ୍ୟ କରିବାପାଇଁ ଇଚ୍ଛୁକ ସେମାନଙ୍କୁ ମାସିକ ଏକ ଲକ୍ଷ ୨୫ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଏବଂ ବାରିପଦା, ବାଲେଶ୍ୱର ଭଳି ନୂଆ ମେଡିକାଲ କଲେଜରେ କାର୍ଯ୍ୟ କରିବାପାଇଁ ୩୫ହଜାର ଟଙ୍କାର ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି । କେବିକେ ଭଳି ପଛୁଆ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ପାଇଁ ସେମାନଙ୍କ ମାସିକ ଦରମା ବାଦ୍‍ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନରାଶି ମଧ୍ୟ ଘୋଷଣା କରାଯାଇଛି । ଡାକ୍ତରମାନଙ୍କ କ୍ଷେତ୍ରରେ ଡିଏସିପି ବ୍ୟବସ୍ଥା ଲାଗୁ କରାଯାଇ ଚାକିରିର ୭ବର୍ଷ/୧୪ବର୍ଷ/୨୧ବର୍ଷ ରେ ତିନିଟି ପଦୋନ୍ନତି ସୁନିଶ୍ଚିତ କରାଯାଇଛି । ସାଧାରଣ ଏମ୍‍ବିବିଏସ୍‍ ଡାକ୍ତରମାନେ ଭି-୪ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାପାଇଁ ୪୦ହଜାର ଟଙ୍କା ଏବଂ ବିଶେଷଜ୍ଞ ଡାକ୍ତରମାନଙ୍କ ପାଇଁ ୮୦ହଜାର ଟଙ୍କାର ମାସିକ ପ୍ରୋତ୍ସାହନ  ଭତ୍ତା ଘୋଷଣା କରିଛନ୍ତି । ପ୍ରକାଶ ଥାଉକି ଭି-୪ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବିଶେଷଜ୍ଞ ଡାକ୍ତର ଚାକିରି ଆରମ୍ଭ କଲେ ତାଙ୍କୁ ମାସିକ ୧,୬୨,୮୩୨ ଟଙ୍କା ଏବଂ କୋରାପୁଟ, ବଲାଙ୍ଗିର ଓ ବୁର୍ଲା ଭଳି ମେଡିକାଲ କଲେଜରେ ସହକାରୀ ପ୍ରଫେସର ଭାବେ ଯୋଗଦେଲେ ୧,୫୯,୩୭୬ ଟଙ୍କା ମାସିକ ବେତନ ମିଳୁଛି ଯେଉଁଠିକି ଏମସ୍‍ରେ ଜଣେ ସହକାରୀ ପ୍ରଫେସର ଯୋଗଦେଲେ ମାସିକ ୧,୫୮,୯୧୬ ଟଙ୍କା ପାଉଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ଥିବା କୋରାପୁଟ, ବଲାଙ୍ଗିର ଏବଂ ଭିମ୍‍ସାର ବୁର୍ଲା ମେଡିକାଲ କଲେଜରେ କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୨,୮୬,୫୦୪ ଏବଂ ପ୍ରି ଓ ପାରା କ୍ଲିନିକାଲ ପ୍ରଫେସରମାନଙ୍କୁ ମାସିକ ୩,୦୬,୫୦୪ ଟଙ୍କା ଦରମା ମିଳୁଥିବାବେଳେ ଏମସ୍‍ ଭଳି ଅନୁଷ୍ଠାନରେ ପ୍ରଫେସରମାନଙ୍କୁ ମାସିକ ୨,୪୯,୫୦୨ ଟଙ୍କା ଦରମା ମିଳୁଛି ।

ଓଡିଶା ମେଡିକାଲ ହେଲ୍‍ଥ ସର୍ଭିସ (ଓଏମ୍‍ଏଚ୍‍ଏସ୍‍) କ୍ୟାଡର ପୁନର୍ଗଠନ  କରାଯାଇଛି ଏବଂ େ ବ୍ୟାଣ୍ଡ-୪ ରେ ଥିବା ପଦବୀ ସଂଖ୍ୟା ୩୫ରୁ ୪୩୩କୁ ବୃଦ୍ଧି କରାଯାଇଛି । ଫଳରେ ସେମାନଙ୍କ ପାଇଁ ପଦୋନ୍ନତିର ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି । ଗତ ୩ବର୍ଷ ଭିତରେ  ଅନ୍ତତଃ ପକ୍ଷେ ୩୩୩୦ ନୂତନ ପଦବୀ ସୃଷ୍ଟି କରାଯାଇ ପଦବୀ ସଂଖ୍ୟା ୫୩୮୯ରୁ ୮୭୧୯କୁ ବୃଦ୍ଧି ପାଇଛି । ଏଥିରୁ ୫୭୮ ପଦବୀ  ପବ୍ଲିକ ହେଲ୍‍ଥ ପଦବୀ ଭାବେ ଚିହ୍ନଟ ହୋଇଛି । ରାଜ୍ୟର ଖାଲିଥିବା ଡାକ୍ତର ପଦବୀ ପୂରଣ କରିବାପାଇଁ ଓଡିଶା ଲୋକସେବା ଆୟୋଗଙ୍କ ମାଧ୍ୟମରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରତିମାସର ନିର୍ଦ୍ଧିଷ୍ଟ ତାରିଖରେ ସାକ୍ଷାତକାର ମାଧ୍ୟମରେ ଠିକା ଡାକ୍ତର ନିଯୁକ୍ତି ଦିଆଯାଉଛି । କେବିକେ ପ୍ଲସ ଜିଲ୍ଲା ଗୁଡିକରେ କର୍ପସ ପାଣ୍ଠି ଏବଂ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ସହମତି ଭିତ୍ତିକ ଦରମାରେ ଡାକ୍ତରମାନଙ୍କୁ ନିଯୁକ୍ତି ଦେବାପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ଅଧିନରେ ବିଭିନ୍ନ ସ୍କିମ୍‍ ମାଧ୍ୟମରେ ନିଯୁକ୍ତି ପାଇଥିବା ଷ୍ଟାଫନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକ୍ସ ଚାକିରି ନିୟମିତ କରିବାପାଇଁ ଆବଶ୍ୟକ ପଦକ୍ଷେ ଗ୍ରହଣ କରାଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାର ଷ୍ଟାଫନର୍ସ, ଏଲ୍‍ଟି, ଫାର୍ମାସିଷ୍ଟ, ଏନ୍‍ପିଏଚ୍‍ଡବ୍ଲୁ୍ୟ ଏବଂ ରେଡିଓଗ୍ରାର ଭଳି ପାରାମେଡିକ୍ସମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ ଆଇପିଏଚ୍‍ଏସ୍‍ ନର୍ମ ଅନୁଯାୟୀ ୨୬ହଜାର ପଦବୀ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆସନ୍ତା ୫ବର୍ଷ ମଧ୍ୟରେ ଏହା ପୂରଣ କରାଯିବ ବୋଲି ଡାକ୍ତର ମେହେର୍ଦ୍ଧା ସୂଚନା ଦେଇଥିବାବେଳେ ବୈଠକରେ ଉପସ୍ଥିତ ବହୁ ରାଜ୍ୟର ପ୍ରତିନିଧିମାନେ ଓଡିଶାର ଏଭଳି ଅବିଶ୍ୱସନୀୟ ଏଚ୍‍ଆର ନୀତିକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ।

0
0
0
s2sdefault