ହେଡଲାଇନସ୍:

ଜଗତସିଂହପୁର ଦୁର୍ଗାପୂଜା ସମୟରେ ବାଜିବନି ଡିଜେ ସାଉଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାବଣପୋଡି ଓ ଭସାଣୀ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ:ଜିଲ୍ଲାପାଳ

ମୁର୍ତ୍ତି ବିସର୍ଜନ ପାଇଁ ହେବ ନୂତନ ପୋଖରୀ ଖନନ    

ଜଗତସିଂହପୁରରେ ଦୁର୍ଗାପୂଜା,ରାବଣପୋଡି ଓ ଭସାଣୀ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ଜଗତସିଂହପୁର:(ରମେଶ ମହାନ୍ତି):-ଆଗାମୀ ଦଶହରା ପର୍ବ,ରାବଣ ପୋଡି ଓ ଭସାଣୀ ଉତ୍ସବ ପାଳନ ନିମନ୍ତେ ଆଜି (ସୋମବାର) ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ଦୁର୍ଗାପୂଜା ପାଳନ କରାଯିବା।ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ,ସହରର ବରିଷ୍ଠ ନାଗରିକଙ୍କ ସମେତ ସମସ୍ଥ ମେଢର କର୍ମକର୍ତ୍ତା ମାନଙ୍କର ସହଯୋଗ କାମନା କରିଥିଲେ।ବୈଠକରେ ନିଷ୍ପତ୍ତି ଅନୁଯାୟୀ ରାବଣପୋଡି ଆସନ୍ତା ଅକ୍ଟୋବର ୮ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ବିନା ଆତସବାଜୀରେ ଅନୁଷ୍ଠିତ ହେବ।ସେହିପରି ଭସାଣୀ ଉତ୍ସବ ଅକ୍ଟୋବର ୯ତାରିଖରେ ଅନୁଷ୍ଠିତ ହେବ।ଏଥିସହିତ ମୂର୍ତ୍ତୀ ବିସର୍ଜନ ନିମନ୍ତେ ଗାଲୁପଡା,ପୁରୋହିତପୁର ଏବଂ କଲେଜ ଛକଠାରୁ ଷ୍ଟାଡିୟମ ରାସ୍ତାରେ ୪ଟି ଅସ୍ଥାୟୀ ପୋଖରୀ ଖନନ କରାଯିବ।ନିର୍ବାହୀ ଯନ୍ତ୍ରୀ ଜଳସମ୍ପଦ ରାସ୍ତା ଓ ଗୃହ ଗ୍ରାମ୍ୟ ଉନ୍ନୟନ ଡ୍ରେନେଜ ପୋଖରୀ କାର୍ଯ୍ୟ ସମ୍ପାଦନ କରିବେ।ଟ୍ରାଫିକ୍ ନିୟନ୍ତ୍ରଣ, ପୋଲିସ୍ ମୁତୟନ ଓ ଅସ୍ଥାୟୀ ପୋଲିସ୍ ଶିବିର ଦାୟିତ୍ବ ଆରକ୍ଷୀ ଅଧିକ୍ଷକ ସମ୍ପାଦନ କରିବେ।ଟାଉନହଲ ଠାରୁ ଦଶନମ୍ବର,ପୁରୋହିତପୁର ଛକଠାରୁ ଜିଲ୍ଲାପାଳଙ୍କ ଅଫିସ ଏବଂ ଅତାମଳା ଠାରୁ ପୋଷ୍ଟ ଅଫିସ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଗଛଗୁଡିକର ଡାଳ କଟା କାମ ପୂର୍ତ୍ତ ବିଭାଗ ସମ୍ପାଦନ କରିବ।ବିରିଡି ଠାରୁ ସର୍କିଟ ହାଉସ୍ ରାସ୍ତା ଜାତୀୟ ରାଜପଥ,ଆଳିପିଙ୍ଗଳରୁ ପୋଷ୍ଟ ଅଫିସ ରାସ୍ତା ପୂର୍ତ୍ତ ବିଭାଗ,ଦଶନମ୍ବର ଠାରୁ ଚାଟରା ବ୍ରିଜ୍ କେନାଲବନ୍ଧ ରାସ୍ତା ଜଳସମ୍ପଦ ବିଭାଗ,ଜିରା ଠାରୁ ଚର୍ଚ୍ଚିକା ବଜାର ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଓହଳ ଠାରୁ କୋର୍ଟଛକ ରାସ୍ତାର ମରାମତି କାମ ନିର୍ବାହୀ ଅଧିକାରୀ ପୌରପରିଷଦ ସମ୍ପାଦନ କରିବେ।ଅସ୍ଥାୟୀ ପୋଖରୀରୁ ବିସର୍ଜିତ ସାମଗ୍ରୀ ବାହାର କରିବା,ପୋଖରୀ ଜଳକୁ ଚୂନ ପକାଇ ବିଶୋଧନ କରିବା,ପୋଖରୀ ନିକଟରେ ଡଷ୍ଟବିନ୍ ରଖିବା,ବିସର୍ଜନ ସ୍ଥଳୀରେ ଆଲୋକ ବ୍ୟବସ୍ଥା କରିବା,ମେଲଣ ପଡିଆରେ ଆଲୋକ ବ୍ୟବସ୍ଥା କରିବା ସହିତ ୪ଟି ଜେନେରେଟର ରଖିବା ପାଇଁ ପୌରପରିଷଦ ନିର୍ବାହୀ ଅଧିକାରୀ ବ୍ୟବସ୍ଥା କରିବେ।ଏପରିକି ନିରବଛିନ୍ନ ବିଦ୍ୟୁତ ଯୋଗାଣ,ଆବଶ୍ୟକ ସ୍ଥଳେ ଟେଲିଫୋନ ତାର ଅପସାରଣ, ରାବଣପୋଡି ଓ ଭସାଣୀ ଉତ୍ସବ ଦିନ ମେଲଣ ପଡିଆରେ ଓ ଅସ୍ଥାୟୀ ପୋଖରୀ ନିକଟରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର,ପାନୀୟ ଜଳ ଟ୍ୟାଙ୍କର ରଖିବା,ସହରରେ ପାଣି ଟ୍ୟାପ୍ ମରାମତି,ରାବଣପୋଡି ଓ ଭସାଣୀ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ,ଦୁର୍ଗାପୂଜା ସମୟରେ ଡିଜେ ସାଉଣ୍ଡ ବାଜିବ ନାହିଁ।ମେଲଣ ପଡିଆ ଓ ବିସର୍ଜନ ସ୍ଥଳରେ ଦମକଳ ଗାଡି ରଖିବା ସମ୍ପର୍କରେ ଆଲୋଚନା ହୋଇଥିଲା।ଦୁର୍ଘଟଣା ରୋକିବା ନିମନ୍ତେ ସମସ୍ତ ଛକରେ ବ୍ଲକର ରଖିବା ପାଇଁ ଆର୍. ଟି.ଓ ଏବଂ ପ୍ରତ୍ୟେକ ମେଢର ବିଦ୍ୟୁତ ସଂଯୋଗ ଠିକ୍ ଅଛି କି ନାହିଁ ସେ ସମ୍ପର୍କରେ ବିଦ୍ୟୁତ୍ ଇନସପେକ୍ଟର ପ୍ରମାଣପତ୍ର ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ,ଉପ ଆରକ୍ଷୀ ଅଧିକ୍ଷକ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଚନ୍ଦ୍ର ପାଲ୍,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ସମସ୍ଥ ମେଢର କର୍ମକର୍ତ୍ତା,ଶାନ୍ତି କମିଟି ସଦସ୍ୟ,ବୁଦ୍ଧିଜୀବୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ କାର୍ଯ୍ୟ ସୂଚୀ ଅନୁଯାୟୀ ବିବରଣୀ ପାଠ କରିଥିଲେ।

0
0
0
s2sdefault