ହେଡଲାଇନସ୍:

ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଷଷ୍ଠ ବୈଠକ ଜିଲ୍ଲା ପରିଷଦ ସଭାପତି  ଅନିତା ରାଣୀ ବେହେରାଙ୍କ ଅଧ୍ୟକ୍ଷତା ଏବଂ ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସଭା କାର୍ଯ୍ୟ ପ୍ରାରମ୍ଭରେ ସମିତିର ଆବାହକ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଗତ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ଉପରେ ସବିଶେଷ ଆଲୋଚନା କରିବା ସହ ଗତ ଏକ ବର୍ଷର ଶିଶୁ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ବୈଧାନିକ ଅନୁଷ୍ଠାନ ଏବଂ ସେବା ବିତରଣ ସଂସ୍ଥା ମାନଙ୍କର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଗତ ଏକ ବର୍ଷା ମଧ୍ୟରେ ଶିଶୁ ସୁରକ୍ଷାର ବିଭିନ୍ନ ସମସ୍ୟା ଗୁଡିକୁ କିଭଳି ସମାଧାନ କରାଯାଇଛି ଏବଂ ତାହାର ସଂଖ୍ୟା ଉପରେ ଆଲୋଚନା କରିଥିଲେ । ତା ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଅଧିକାରୀ ପ୍ରତ୍ୟୁଷ୍ ସୂର୍ଯ୍ୟ ଯୋଗଦେଇ ଗତ ବର୍ଷରେ ପୋଷ୍ୟ ସନ୍ତାନ ପାଇଁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଫଳତା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଜିଲ୍ଲା ଚାଇଲଡ୍ ଲାଇନର ସଂଯୋଜକ ବିଜୟ କୁମାର ପ୍ରଧାନ ଗତବର୍ଷ ଚାଇଲଡ୍ ଲାଇନ କେତେ ସଂଖ୍ୟାରେ କଲ ଗ୍ରହଣ କରିଛି ଏବଂ ତା ପରେ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିବା ସହ ଚାଇଲଡ୍ ଲାଇନର କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ଅବଗତ କରାଇ ଥିଲେ । ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭାପତି ଅନିତା ରାଣୀ ବେହେରା ଜିଲ୍ଲାରେ ବୃଦ୍ଧି ପାଉଥିବା ଶିଶୁ ଶ୍ରମିକ ଉପରେ ଅଧିକ ଗୁରୁତ୍ୱ ପ୍ରକାଶ କରିବା ସହ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କ ଏବଂ ସେମାନଙ୍କ ପରିବାର ସହ ଯୋଗାଯୋଗ ରଖି ୧୮ ବର୍ଷ ପରେ ସେମାନଙ୍କୁ କିଭଳି ଥଇଥାନ କରାଯିବ ତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ମୋହନା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶୁଶ୍ରୀ ସୁକି ଶବର ଏଥିରେ ଯୋଗଦେଇ ସରକାରୀ ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ବାରମ୍ବାର ଛାତ୍ରୀ ଅନ୍ତଃସ୍ୱତା ହେଉଥିବା ଉପରେ ଅତ୍ୟନ୍ତ ଦୁଖଃ ପ୍ରକାଶ କରିବା ସହ ଶିଶୁ ସୁରକ୍ଷା ସେବା ମାଧ୍ୟମରେ ଛାତ୍ରୀ ମାନେ ରହୁଥିବା ଅନୁଷ୍ଠାନ ଗୁଡିକୁ କିଭଳି ନିୟମିତ ଭାବେ ଯାଞ୍ଚ କରା ଯାଇପାରିବ ସେ ସମ୍ପର୍କରେ ବିଶେଷ ଗୁରୁତ୍ୱ ଦେଇଥିଲେ । ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ ଯୋଗଦେଇ ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା ସମିତିର ନିୟମିତ ବୈଠକ କିଭଳି କରାଯିବା ସହ ଘଟୁଥିବା ଶିଶୁ ସୁରକ୍ଷା ଉପରେ କିଭଳି ଦୃଷ୍ଟି ଦିଆ ଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତିରେ ସମିତିର ସହ-ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ସ୍ଵଧା ଦେବ ସିଂ ନିମ୍ନ ଲିଖିତ କାର୍ଯ୍ୟ ଗୁଡ଼ିକ ଆଗାମୀ ଦିନରେ ସମ୍ପାଦନା କରିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବାକୁ ଥିବା ଜିଲ୍ଲା ସ୍ତରୀୟ ଟାସ୍କ-ଫୋର୍ସର ନିୟମିତ ବୈଠକ କରବା,ମାନବ ଚାଲାଣ ରୋକିବାକୁ ଥିବା ଜିଲ୍ଲା ସ୍ତରୀୟ ୟୁନିଟର ନିୟମିତ ବୈଠକ କରିବା , ଆଶ୍ରମ ବିଦ୍ୟାଳୟ ଗୁଡ଼ିକରେ ଥିବା ଏଏନଏମ.ମେଟ୍ରନ ଏବଂ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଛାତ୍ରୀ ମାନଙ୍କର ସୁରକ୍ଷା ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା,ଉଦ୍ଧାର ହେଉଥିବା ଶିଶୁ ଶ୍ରମିକ ମାନଙ୍କର ଥଇଥାନ କରିବା ପାଈଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବା ପ୍ରଭୃତି।

 ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ  ନୁଆଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୁଡ଼ବାଇ ମଣ୍ଡଳ, ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଚାପରା ତାରକେଶ୍ଵରୀ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ଼ାଃ ଲୋକନାଥ ରାଜୁ , ଶିଶୁ ମଙ୍ଗଳ ସମିତିର ସଭ୍ୟ ହିରନ୍ୟ ରାୟ ଏବଂ ଅଳକା ସାହୁ ,ଚାଇଲଡ୍ ଲାଇନର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଭୁ ପ୍ରସାଦ ପାତ୍ର , ଜିଲ୍ଲା ଜୁଭେନାଇଲ ଜଷ୍ଟିସ ବୋର୍ଡର ସଭ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ଏବଂ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ  ସୁବାଷ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ ।

 

0
0
0
s2sdefault