ହେଡଲାଇନସ୍:

ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ ଗଛିତ ପାଣିର ଉପଯୋଗ କରି ମିଳୁଛି ସୁଫଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଭୂତଳ ଜଳସ୍ତର ହ୍ରାସ ପାଇବା ବଡ଼ ଉଦବେଗର ବିଷୟ"

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂତଳ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି ଯାହାକି  ଏବେ ତାହା ଏକ ବଡ଼ ଉଦବେଗର ବିଷୟ ପାଲଟିଛି । ଏହି ସମସ୍ୟାକୁ ଦୁର କରିବା ପାଈଁ କେନ୍ଦ୍ର-ସରକାରଙ୍କ ପକ୍ଷରୁ ଚଳିତ ବର୍ଷକୁ ଜଳ-ସଂରକ୍ଷଣ ବର୍ଷ ଭାବେ ଘୋଷଣା କରାଯାଇଛି । 

        ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ଜଳ-ବିଭାଜିକା ବିଭାଗ ପକ୍ଷରୁ ଚାଷୀ ମାନଙ୍କ ହିତ ସାଧନ ପାଇଁ ଅଣ-ଜଳସେଚିତ ଜମି ଅଞ୍ଚଳରେ ବ୍ୟାପକ କାର୍ଯ୍ୟକ୍ରମ    କରାଯାଉଛି । ଜଳ ସଂରକ୍ଷଣ ଯୋଗୁଁ ଚାଷୀ ମାନେ ବିଭିନ୍ନ ଉପାୟରେ ଏହି ପାଣିକୁ  ନେଇ  ସେମାନଙ୍କ ଚାଷ ଜମିକୁ ଜଳସେଚିତ  କରି ପାରୁଛନ୍ତି । ଏଥିରେ ଚାଷ କାର୍ଯ୍ୟରେ ବ୍ୟାପକ ଉନ୍ନତି ହେବା ସହ  ଭୂତଳ ଜଳସ୍ତରରେ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହେଉଥିବା ଦେଖାଯାଇଛି । 

    ଏଭଳି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବୁରୁପାଡ ଓ ଲାବନ୍ୟଗଡ଼ ଗ୍ରାମରେ । ଏହି ଗ୍ରାମର ଚାଷୀମାନେ  ଗତ ଦିନମାନଙ୍କରେ ବର୍ଷା ଅଭାବରୁ ଚାଷବାସ କ୍ଷେତ୍ରରେ  ଜଳ ସମସ୍ୟାର ସମ୍ମୁଖିନ ହେଉଥିଲେ । ତେବେ ସେମାନଙ୍କର ଜଳ ସମସ୍ୟା ଦୁର କରିବା ପାଇଁ ଆଗେଇ ଆସିଛି ଜିଲ୍ଲା ଜଳ ବିଭାଜିକା ବିଭାଗ ଏବଂ ନିର୍ମାଣ କରିଛି ଏକାଧିକ ଚେକ୍-ଡେମ୍ ପୋଖରୀ ଓ ପୁରୁଣା ସାଗର-ବନ୍ଧରୁ ପାଣି ନେବାପାଇଁ ସୁଇସ ସିମେଣ୍ଟ ନାଳ ।  ଯେଉଁ ଥିରେ କି  ବର୍ଷ ସାରା ଜଳ ଗଛିତ ହୋଇ ରହିବା ଫଳରେ ଚାଷୀ ମାନେ  ଧାନ , ମାଣ୍ଡିଆ , ମୁଗ , ବିରି ପ୍ରଭୃତି ଫସଲ ସହ ପନିପରିବା ଚାଷ ମଧ୍ୟ ସହଜେ କରିପାରୁଛନ୍ତି ।

    ନିର୍ମାଣ ଚେକ୍-ଡେମର ଗଛିତ ଜଳକୁ ଚାଷୀମାନେ ସହଭାଗିତାରେ  ମୋଟର-ପମ୍ପ ଲଗାଇ ପାଇପ ସାହାଯ୍ୟରେ ପାଣି ନେଇ ନିଜ ନିଜର ଚାଷ ଜମିକୁ ଜଳ ସେଚିତ କରି ପାରୁଛନ୍ତି  । ଏ ସମ୍ପର୍କରେ ଗ୍ରାମର ଚାଷୀ  ବୃନ୍ଦାବନ ଦଣ୍ଡସେନା   କିଭଳି ଜଳ ବିଭାଜିକା ପ୍ରକଳ୍ପ ଦ୍ବାରା ଉପକୃତ ହୋଇ ପାରିଛନ୍ତି  ତାହା କହିଥିଲେ ।

         ଏହି ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା  ଗଛିତ ପାଣିର ଉପଯୋଗ କରି  କିଭଳି ବିଭିନ୍ନ ପନିପରିବା ଚାଷ କରି ଉପକୃତ ହୋଇ ପାରିଛନ୍ତି , ସେ ସମ୍ପର୍କରେ ଲାବନ୍ୟଗଡ଼ ଗ୍ରାମର କାଲା ଚନ୍ଦ୍ରମା କହିଛନ୍ତି ।

       ଲାବନ୍ୟଗଡ଼ ଅଞ୍ଚଳରେ  ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ ବହୁତ ଗୁଡିଏ  ପୋଖରୀ ଖୋଳାଯାଇଛି , ନିକଟସ୍ଥ ଅଞ୍ଚଳରେ ଥିବା ପାହାଡ଼ରୁ ବର୍ଷା ସମୟରେ  ପାଣି  ବିଭିନ୍ନ ନାଳ ଦେଇ ଚାଲି ଯାଉଥିଲା  । ସେହି ପାଣିକୁ ସଂରକ୍ଷିତ ରଖିବା ପାଇଁ ଚାଷୀଙ୍କ  ଚାଷ ଜମି ପାଖ ଅଞ୍ଚଳରେ ପୋଖରୀ ଖୋଲା ଯାଇଛି । ପୋଖରୀରେ ବର୍ତ୍ତମାନ  ବହୁ ପରିମାଣର ବର୍ଷାଜଳ ଗଛିତ ଅଛି ।  ବର୍ଷା ନ ହେଲେ ମଧ୍ୟ ଚାଷୀଙ୍କୁ ପାଣିର ଅଭାବ ପଡୁନାହିଁ । ପୁର୍ବରୁ ଚାଷ ଜମି ଗୁଡାକ ପାଣିର  ଅଭାବରେ ମରୁଡି ପ୍ରାୟ ହୋଇ ପଡୁଥିଲା । ଏବେ କିନ୍ତୁ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଦ୍ବାରା ପୋଖରୀ ଗୁଡାକ ହେବା ଫଳରେ ସେହି ପୋଖରୀ ରେ ଗଛିତ ଥିବା ଜଳରେ ଚାଷ କାର୍ଯ୍ୟ ବେଶ ଭଲ ହୋଇପାରିଛି । ଧାନ , ମାଣ୍ଡିଆ , ପନିପରିବା  ବ୍ୟତିତ ଚାଷୀ ପୋଖରୀରେ ମାଛ ଚାଷ ମଧ୍ୟ କରି ବେଶ ଭଲରେ ଅଛନ୍ତି ବୋଲି ଗ୍ରାମର ଚାଷୀ ରାଜୁ ଦଳ ବେହେରା  କହିଛନ୍ତି ।

     ଏତଦ୍ ବ୍ୟତିତ ଜଳ ବିଭାଜିକା ପ୍ରକଳ୍ପ ପକ୍ଷରୁ  ଚାଷୀ ମାନଙ୍କୁ କ୍ଷେତରେ ଭଲରେ ଏବଂ ଉପଯୁକ୍ତ ପରିମାଣରେ ପାଣି ସହଜେ ନେଇ ଜଳସେଚିତ କରିବା ପାଇଁ ବନ୍ଧ ଗୁଡ଼ିକରୁ ପକ୍କା ସିମେଣ୍ଟ ସୁଇସ ନାଳ ମଧ୍ୟ ନିର୍ମାଣ କରାଯାଉଛି । ଧାନ ଚାଷ ସହ ଚାଷୀମାନେ ଧାନ ବିଲ ପାର୍ଶ୍ୱରେ କଦଳୀ ଚାଷ ମଧ୍ୟ କରୁଛନ୍ତି ।

    ଚାଷୀ ମାନଙ୍କୁ ସରକାରଙ୍କ ଏସବୁ ସୁବିଧା ଜଳ ବିଭାଜିକା ପକ୍ଷରୁ ଯୋଗାଇ ଦିଆଯିବା ସହ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ତଥା ଏପିଡି ବିଭୂତି ଭୂଷଣ ମିଶ୍ର  , ପିଆଇଏ ସନ୍ତୋଷ କୁମାର ଅଧିକାରୀ ,  ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣର ଅବନୀ କାନ୍ତ ପାତ୍ର , ଏବଂ ଡବ୍ଲ୍ୟୁଏମଟି  ଈଂଜିନିଅର ସୀମା ବିଶ୍ୱାସ ପ୍ରମୁଖ କ୍ଷେତ ଓ ପ୍ରକଳ୍ପ ଅଞ୍ଚଳକୁ ଯାଇ ଜଳର ସୁବିନିଯୋଗ , ସହଭାଗିତାରେ ଚାଷ , କ୍ଷେତ ହୁଡା଼ରେ ବିଭିନ୍ନ ପନିପରିବା ଚାଷ କରିବ ଏବଂ ରକ୍ଷଣା-ବେକ୍ଷାଣ ଉପରେ ଆବଶ୍ୟକ ପରାମର୍ଶ ମଧ୍ୟ ଦେଉଛନ୍ତି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ(ଏପିଡି) ବିଭୂତି ଭୂଷଣ ମିଶ୍ର ।

 

0
0
0
s2sdefault