ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୈଦାନ ପ୍ରସ୍ତୁତି ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସରିଲା ଦୁଇଦିନିଆ ଋଷ ଗସ୍ତ,ଋଷ ସରକାର ଓ କମ୍ପାନୀ ମାନଙ୍କ ସହ କଲେ ମାରାଥନ ଆଲୋଚନା 

" ଉର୍ଜା ଏବଂ ଇସ୍ପାତ କ୍ଷେତ୍ରରେ ଭାଗିଦାରୀ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ"

ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ଏକ ସପ୍ତାହ ପୂର୍ବରୁ ରୁଷିଆ ଗସ୍ତରେ ଯାଇ ମଇଦାନ ପ୍ରସ୍ତୁତି ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ଓ ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି | ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଋଷ ଗସ୍ତକୁ  ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି |

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଷିଆନ୍ ଫେଡେରେସନର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ନିମନ୍ତ୍ରଣରେ ଗତ ୨୯ ଓ ୩୦ ତାରିଖ ଦୁଇ ଦିନିଆ ଋୁଷର ମୋସ୍କୋ ଗସ୍ତରେ ଯାଇଥିବା ବେଳେ ଶନିବାର ସ୍ୱଦେଶ ଫେରିଛନ୍ତି । ଏହି ଦୁଇଦିନିଆ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉର୍ଜାରୁ ଇସ୍ପାତ୍, ତୈଳ ଏବଂ ଗ୍ୟାସ ଓ ଅନ୍ୟାନ୍ୟ କ୍ଷେତ୍ରରେ ଋଷ ସରକାର ଏବଂ ବେସରକାରୀ କମ୍ପାନୀଗୁଡିକର ଅଧିକାରୀଙ୍କ ସହ ମାରାଥନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ୨୫ ଜଣିଆ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳ ଋଷ ଗସ୍ତରେ ଯାଇଥିଲେ । ଏହି ସଦସ୍ୟମାନଙ୍କ ମଧ୍ୟରେ ଭାରତୀୟ ତୈଳ, ଗ୍ୟାସ, ଇସ୍ପାତ୍ ଏବଂ ଇଞ୍ଜିନିୟରିଂ କମ୍ପାନୀର ସିଇଓ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ଏକ ସପ୍ତାହ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଏହି ଋଷ ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପ ପ୍ରଧାନମନ୍ତ୍ରୀ ୟୁରି ତୃଟନେଭ୍, ଶକ୍ତିମନ୍ତ୍ରୀ ଆଲେକଜାଣ୍ଡର ନୋଭାକ ଏବଂ ଶିଳ୍ପ ଓ ବାଣିଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଇସ୍ପାତ କ୍ଷେତ୍ରର ପ୍ରଭାରୀ ଭିକ୍ଟର ଏଭତୁକୋଭଙ୍କୁ ସାକ୍ଷାତ୍ କରି ଦୁଇ ଦେଶ ମଧ୍ୟରେ ଉକ୍ତ କ୍ଷେତ୍ରକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଉପପ୍ରଧାନମନ୍ତ୍ରୀ ତୃଟନେଭଙ୍କ  ସହ ଆଲୋଚନାକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଉର୍ଜା ଏବଂ ଇସ୍ପାତ କ୍ଷେତ୍ରରେ ଉଭୟ ଦେଶ ସହଯୋଗୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ । ସେହିପରି ଭାରତ ଋଷ ସହିତ ମିଶି ଉର୍ଜା କ୍ଷେତ୍ରକୁ ବଢାଇବା ଏବଂ ଋଷର କୋଇଲା କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗୀ ହେବା ପାଇଁ ଇଚ୍ଛା ରଖିଛି ।

ସେହିପରି ଶ୍ରୀ ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ସାକ୍ଷାତ୍ କରିବା ପରେ ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ସହଯୋଗ ତଥା ବର୍ତମାନ ସ୍ଥିତିର ସମୀକ୍ଷା କରିଥିଲେ । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ପୁଞ୍ଜି ନିବେଶ, ଉର୍ଜା ସମ୍ପର୍କୀତ ବିକାଶ ତଥା ଉର୍ଜା ଉତ୍ପାଦନ ଓ ଉର୍ଜା ବ୍ୟବହାରକାରୀଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଦୁଇ ମନ୍ତ୍ରୀ ବୈଠକ ପରେ ନିଜ ନିଜ ଦେଶର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ  ବେସରକାରୀ ଏବଂ ସାର୍ବଜନୀନ ସ୍ତରରେ ଚର୍ଚ୍ଚା କରିଥିଲେ । ଉର୍ଜା ସମ୍ପର୍କକୁ ବଢାଇବା ପାଇଁ ଉଭୟ ମନ୍ତ୍ରୀ ସମର୍ଥନ ଦେବା ସହ ଋଷ ଓ ଭାରତ ମଧ୍ୟରେ ଉର୍ଜା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କମ୍ପାନୀଗୁଡିକୁ ସ୍ୱାଗତ ଜଣାଇଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତୀୟ ପ୍ରତିନିଧି ମଣ୍ଡଳ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଋଷର ପ୍ରାୟ ୪୦ଟି ବଡ ବଡ କମ୍ପାନୀର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଭାରତ ଏବଂ ଋଷର କମ୍ପାନୀ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାର ଅବସର ପ୍ରଦାନ କରିଥିଲା । ସେହିଭଳି ଫାର୍ ଇଷ୍ଟ ଏଜେନ୍ସିର ସିଇଓ ଲିଇଓନିଡ୍ ପେତୁଖୋଭ ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଭାରତୀୟ କମ୍ପାନୀକୁ ସମର୍ଥନ ଦେଇ ଭାରତୀୟ ପ୍ରକଳ୍ପରେ ସରକାରୀ ସମର୍ଥନ ଦେବା ପାଇଁ ମହମତି ପ୍ରଦାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଋଷ ଓ ଭାରତ ସମ୍ପର୍କକୁ ମଜବୁତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତିତ ଭାରତୀୟ ପ୍ରତିନିଧି ମଣ୍ଡଳି ଋଷର ତୈଳ, ଗ୍ୟାସ, କୋଇଲା ଏବଂ ଇସ୍ପାତ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଭେଟି ନିକଟ ଭବିଷ୍ୟତରେ ସହଯୋଗ କରିବା ସହ ଦୁଇ ଦେଶ ମଧ୍ୟରେ ଏହି କ୍ଷେତ୍ରକୁ ମଜବୁତ କରିବା ଉପରେ ମଧ୍ୟ ବିଷଦ ଆଲୋଚନା କରିଥିଲେ । ଏହି କମ୍ପାନୀ ମାନଙ୍କ ମଧ୍ୟରେ ରୋସନେଫ୍ଟ, ନୋଭାଟେକ୍, ଏଭରାଜ୍, କୋଲମାର୍, ଭୋସତୋକୁଗୁଲ, ଡଲଗୁଚନ, ଟାଇଗର ରିଆଲାମ ପ୍ରମୁଖ ସାମିଲ ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ପ୍ରତିନିଧି ମଣ୍ଡଳ ସ୍କୋଲଭୋକୋ ବିଜନେସ୍ ସ୍କୁଲ ଏବଂ ଇନୋଭେସନ ସେଂଟର ମଧ୍ୟ ପରିଦର୍ଶନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ବ୍ଳାଡିଭଷ୍ଟକ  ଗସ୍ତର ପ୍ରସ୍ତୁତି ପାଇଁ ଥିଲା । ପ୍ରଧାନମନ୍ତ୍ରୀ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ  ନିମନ୍ତ୍ରଣରେ ପଂଚମ ବାର୍ଷିକ ପୂର୍ବାଂଚଳ ଆର୍ଥିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

 

0
0
0
s2sdefault