ହେଡଲାଇନସ୍:

ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର(ଶାସକ ପ୍ରଶାସକ) ଓଡିଶାର ଇସ୍ପାତ ଓ ଖଣି ଏବଂ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଚଳିତ ଅଗଷ୍ଟ ୨୯ ତାରିଖରେ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା କରୁଛନ୍ତି । ଅଗଷ୍ଟ ୨୯ ତାରିଖ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ୍ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବିନିଯୋଗରେ ଗମନାଗମନ କ୍ଷେତ୍ରର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପୂର୍ତ ବିଭାଗର କାର୍ଯ୍ୟକ୍ରମ ତଥା ରାସ୍ତାଘାଟର ଉନ୍ନତିକରଣ ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ନୂଆ ରାସ୍ତା ନିର୍ମାଣ ସଂପର୍କରେ ମନ୍ତ୍ରୀ ଶ୍ରୀ ସାମଲ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ନୁଦୁରୁପଡା-କାଳିଆହତା-ରେକୁଟି ଦେଇ କାମାକ୍ଷାନଗର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲେ ଏହା ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି କହିବା ସହିତ ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲା ଗସ୍ତ କାଳରେ ମନ୍ତ୍ରୀ ଖଣି ଅଂଚଳର ରାସ୍ତାଘାଟର ଅବସ୍ଥା ତଦାରଖ କରିବା ସହ ସମୀକ୍ଷା କରିବେ ବୋଲି କହିଥିଲେ । ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଇସ୍ପାତ ଓ ଖଣି ଆର.କେ. ଶର୍ମା, ଖଣି ନିଦେ୍ର୍ଧଶକ ଦୀପକ ମହାନ୍ତି ଏବଂ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କାଳୀ ପ୍ରସନ୍ନ ମହାପାତ୍ର ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ପୂର୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ପି.ସି. ନାୟକ, ଅଧିକ୍ଷଣ ଯନ୍ତ୍ରୀ କେନ୍ଦୁଝର ପ୍ରଦୀପ କୁମାର ରଥ, ଅଧିକ୍ଷଣ ଯନ୍ତ୍ରୀ ଘଟଗାଁ ଅଶୋକ କୁମାର ଗିରି, ଡେପୁଟି ନିର୍ବାହୀ ଯନ୍ତ୍ରୀ ସମୀର କୁମାର ପାଣି, ସହକାରୀ ଯନ୍ତ୍ରୀ ଦୁର୍ଯେ୍ୟାଧନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 

ଏହା ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଡା ଗସ୍ତ କରି ଅପରାହ୍ନରେ ପୌରପାଳିକା ସମ୍ମିଳନୀ କକ୍ଷରେ ଖଣି ମାଲିକ / ଲିଜଧାରୀ/ ଶିଳ୍ପସଂସ୍ଥା କତୃପକ୍ଷଙ୍କ ସହ ବୈଠକରେ ଖଣି କାର୍ଯ୍ୟାଳବୀ ସଂପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଖଣିଜ ସମ୍ପଦରେ ଭରପୁର । ଖଣିଜ ସମ୍ପଦ ପାଇଁ କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । କେନ୍ଦୁଝର ଜିଲ୍ଲା ରାଜ୍ୟକୁ ସମୃଦ୍ଧ କରିଛି । କେନ୍ଦୁଝର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟସରକାର ଉଦ୍ୟମ ଜାରି ରଖିଛନ୍ତି । ଖଣି ଅଂଚଳର ଏବଂ ଖଣି ଅଂଚଳରେ ରହୁଥିବା ଜନସାଧାରଣଙ୍କର ଉନ୍ନତି ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ଯୁବ ଜିଲ୍ଲାପାଳଙ୍କର ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ଖଣିର ସୁପରିଚାଳନା ସହିତ ଭବିଷ୍ୟତ ପିଢୀ ପାଇଁ ଖଣିମାନଙ୍କର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ । ଜନସାଧାରଣ, ଖଣିମାଲିକ/ ଲିଜ୍ଧାରୀ/ଶିଳ୍ପସଂସ୍ଥା କତୃପକ୍ଷ ଏବଂ ସରକାରଙ୍କ ମଧ୍ୟରେ ଉତମ ସମନ୍ୱୟ ଜରୁରୀ ଏବଂ ଏହା ହେଲେ ଅର୍ଥନୀତିର ବିକାଶ ହେବା ସହିତ ଜିଲ୍ଲାର ଉନ୍ନତି ତ୍ୱରାନ୍ୱିତ ହେବ ଏବଂ ଜନସାଧାରଣଙ୍କର ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ କହିଥିଲେ । ଖଣି ମାଲିକ/ ଲିଜ୍ଧାରୀ/ ଶିଳ୍ପସଂସ୍ଥା ମାନେ ତାଙ୍କର ସାମାଜିକ ଦାୟିତ୍ୱବୋଧକୁ ଅଧିକା କ୍ରିୟାଶୀଳ କରିବା ସହିତ ଖଣି ଅଂଚଳରେ ଥିବା ଗ୍ରାମ ଗୁଡିକୁ ପର୍ଯ୍ୟାୟକ୍ରମେ ପୋଷ୍ୟ ଭାବେ ଗ୍ରହଣକଲେ ଅପାର ସଫଳତା ମିଳିବ ଏବଂ ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ଖଣିମାଲିକ/ ଲିଜ୍ଧାରୀ/ଶିଳ୍ପସଂସ୍ଥା କତୃପକ୍ଷମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । କଂଚାମାଲ୍, ଧାର୍ଯ୍ୟଲକ୍ଷ୍ୟ ପୂରଣ, ରାସ୍ତାର ଦୂରାବସ୍ଥା, ଯୋଡା-ବାମେବାରୀ-କାଳିମାଟି ରାସ୍ତାର ଅବସ୍ଥା ଇତ୍ୟାଦି ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା  । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ. ଶର୍ମା ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପ୍ରଚଳିତ ୫-ଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏହାର ରୂପାୟନ ଦିଗରେ ସମସ୍ତେ ସକ୍ରିୟ ସହଯୋଗ କଲେ ଜନସାଧାରଣ ବହୁଳ ଭାବରେ ଉପକୃତ ହୋଇ ପାରିବେ ବୋଲି କହିଥିଲେ । ଖଣି ନିର୍ଦ୍ଦେଶକ  ଦୀପକ କୁମାର ମହାନ୍ତି ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସମୀକ୍ଷା ବୈଠକର ଉଦ୍ଦେଶ୍ୟ  ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡି.ଏମ୍.ଏଫ୍.) ବିନିଯୋଗରେ ଖଣି ପ୍ରଭାବିତ ଅଂଚଳରେ କିପରି ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏତଦ୍ବ୍ୟତୀତ ପାନୀୟ ଜଳ ଯୋଗାଣ, ଜୀବିକା, ପୁଷ୍ଟିସାଧନ, ଶିକ୍ଷା, ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଡି.ଏମ୍.ଏଫ୍. ବୃତି, କ୍ରୀଡା କମ୍ପେ୍ଲକ୍ସ ନିର୍ମାଣ, ଆଦର୍ଶବିଦ୍ୟାଳୟରେ ରୋଷଶାଳା ନିର୍ମାଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ବିଭିନ୍ନ ଖଣି କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସମୀକ୍ଷା କରିଥିଲେ ।  ଏହି ବୈଠକରେ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କାଳୀପ୍ରସନ୍ନ ମହାପାତ୍ର, ଚମ୍ପୁଆ ଉପ-ଜିଲ୍ଲାପାଳ ପାରୁଲ ପଟ୍ଟାୱରୀ, ଖଣି ଉପନିର୍ଦ୍ଦେଶକ  ଲକ୍ଷ୍ମୀଧର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଖଣି ମାଲିକ/ ଜିଲ୍ଧାରୀ/ ଶିଳ୍ପସଂସ୍ଥା କର୍ତ୍ତୃପକ୍ଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

 

0
0
0
s2sdefault