ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ମା ସ୍ନେହ-ମମତାର ତୁଳନା ନାହିଁ । ନିଜର ସବୁ କିଛି ଉତ୍ସର୍ଗ କରୁଥିବା ମାଟିଏ ପାଇଁ ସନ୍ତାନର ମଙ୍ଗଳ ହିଁ ସବୁକିଛି । ଛୁଆଟିକୁ ଛୋଟରୁ ବଡ କରିବାକୁୁ ମା କୁ ବହୁତ କିଛି ତ୍ୟାଗ କରିବାକୁ ପଡେ । ଛୁଆକୁ ନେଇ ମା ସ୍ୱପ୍ନ ଦେଖେ । ତାକୁ ଡାକ୍ତର .ଇଂଜିନିଅର କରିବ । ବଡ ହୋଇ ପରିଣତ ବୟସରେ ନିଜ ପାଇଁ ସାହାର ସାଜିବ । ହେଲେ ନିୟତି ସମସ୍ତଙ୍କ ଭାଗ୍ୟରେ ଏ ସୁଖ ରଖି ନଥାଏ । ଏମିତି ଏକ ଅଭାଗିନୀ ମା ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତ ହିନ୍ତରାଇ ଗ୍ରାମର ମାଗେ ଖାଡିଆ । ସେ ଶିମିଳିପାଳ ପଂଚାୟତର କମଳପୁର ନିକଟସ୍ଥ ବଡଝରଣ ଠାରେ ପୂର୍ବରୁ ବାସ କରୁଥିଲେ କିନ୍ତୁ କିଛି ବର୍ଷ ହେଲା ହାତୀ ପଲ ଆସି ତାଙ୍କ ଘର ସଂପୂର୍ଣ ଭାଙ୍ଗି ଦେବାରୁ ସେମାନେ ବାଧ୍ୟ ହୋଇ ହିନ୍ତରାଇ ନିକଟକୁ ଚାଲିଆସିଲେ ନିଜର ଭିନ୍ନକ୍ଷମ ଦୁଇ ପୁଅକୁ ଧରି ।
ମାଗେଙ୍କ ସଂସାର କହିଲେ ଦୁଇ ଭିନ୍ନକ୍ଷମ ପୁଅ । ସ୍ୱାମୀ ଜୁହାନ ଖାଡିଆ ୨୦୦୯ ରେ ରୋଗାଗ୍ରସ୍ତ ହୋଇ ଆଖି ବୁଜିଲେ ।ଏହା ପରେ ସବୁ କିଛି ମାଗେ ମୁଣ୍ଡରେ । ସେ ମଜୁରି କରିବାକୁ ଗଲେ ଘରେ ଚୁଲି ଜଳେ ନ ହେଲେ ନାଇଁ । ବଡ ପୁଅ ଲାଜରୁସ ବୟସ ୪୦ ବର୍ଷ ଓ ସାନ ପୁଅ ଆବ୍ରାହାମର ବୟସ ୩୨ ବର୍ଷ ପାଖାପାଖି । ଛୋଟ ସମୟରୁ ଦି ପୁଅ ଭିନ୍ନ କ୍ଷମ । ଜନ୍ମରୁ ଦୁଇ ବର୍ଷ ପରେ ଉଭୟଙ୍କ ଗୋଡ ହାତ ମୋଡି ହୋଇଯାଇଥିଲା । ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହଁନ୍ତି ସେମାନେ । ମା ର ବିନା ସାହାରାରେ କିଛି କାମ କରିପାରନ୍ତି ନାହିଁ ଦୁଇ ଭାଇ । ଗାଧୋଇବା , ଖାଇବା ,ମୁଣ୍ଡ କୁଣ୍ଡାଇବା ସବୁକିଛି ପାଇଁ ସେମାନେ ମା ଉପରେ ନିର୍ଭର ଶୀଳ । ଏମାନଙ୍କ ସେବା ଯତ୍ନ ପରେ ଯାହା କିଛି ସମୟ ମିଳେ ମା ମାଗେ ଖାଡିଆ ନିକଟସ୍ଥ ଜଙ୍ଗଲରୁ କାଠ ,ଝୁଣା ,ମହୁଲ ,ଚାର ତେନ୍ତୁଳି ଆମ୍ବ ଟୋଲ ଆଦି ସଂଗ୍ରହ କରନ୍ତି । ନିକଟସ୍ଥ ଗାଁ ବଜାରକୁ ବିକ୍ରି କରିନିଅନ୍ତି । ଯାହା ପଇସା ହୁଏ ଚଳିଯାଆନ୍ତି କିଛି ଦିନ ।ଏମିତି ଅଭାବ ଅନଟନରେ ତାଙ୍କ ସଂସାର ଚଳିଯାଏ । ସରକାରଙ୍କ ତରଫରୁ ବହୁ ଦିନରୁ ମିଳିଥିବା ଇନ୍ଦିରା ଆବାସ ଘରଟି ଭଗ୍ନ ଅବସ୍ଥାରେ । ଚାଉଳ ମିଳୁଛି ମାତ୍ର ୩୫ କେଜି । ମାସକ ଏସବୁ ନିଅଂଟ । ଶିମିଳିପାଳ ପଂଚାୟତରୁ ଚାଉଳ ପାଉଥିବା ବେଳେ ଡଇଁଚା ପଂଚାୟତରୁ ଭତା ପାଇଛନ୍ତି ମା ପୁଅ ତିନିହେଁ । ଡଇଁଚା ପଂଚାୟତରୁ ଚାଉଳ ମିଳିଗଲେ ୭ କିମି ଶିମିଳିପାଳ ପଂଚାୟତକୁ ଆଉ ଯିବାକୁ ପଡନ୍ତାନି । ବାଧ୍ୟ ହୋଇ ଭିକ୍ଷା ବୃତି ମାଗି ଚଳନ୍ତି । ଏବେ ଏବେ ବଡ ପୁଅ ବାଧ୍ୟ ହୋଇ ଗାଁ ଗାଁ ଯାଉଛି ଭିକ୍ଷା ବୃତି କରିବାକୁ । ଆଉ କିଛି ବର୍ଷ ପରେ ମା ତାର ଆଉ କିଛି କାମ କରିପାରିବ ନାହିଁ । ବୟସର ଅପରାହ୍ନରେ ପହଂଚିଥିବା ମାଗେ ଆଉ କିଛି କାମ କରିବାକୁ ସାହାସ ପାଉନି । ଜୀବନର ଅପରାହ୍ନରେ ପାଦ ଥାପିଥିବା ମାଗେ ଏ ପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରଖିଛନ୍ତି । ନିଜ ଦୁଃଖ କଷ୍ଟ କେବେ ଦୁଇ ପୁଅଙ୍କ ଆଗରେ ଦେଖାଇ ସେମାନଙ୍କୁ ଦୁର୍ବଳ କରିବାକୁ ଦେଇ ନାହାନ୍ତି ମାଗେ । ଦୁଇ ଭିନ୍ନକ୍ଷମ ପୁଅକୁ ବଂଚାଇ ରଖିବାକୁ ଆଜି ବି ଅବିରତ ସଂଗ୍ରାମ ଚଳାଇଛନ୍ତି । ସରକାରୀ ସହାୟତା କହିଲେ ମାଗେ କୁହନ୍ତି ସରକାର କଣ ଦେଉଛି । ମାତ୍ର ୩୫ କେଜି ଚାଉଳରେ ବଂଚିବୁ କେମିତି ? ସାନ ପୁଅ ଆବ୍ରାହାମକୁ ଟେକାରଖା କରୁଥିବା ମାଗେ ଆଉ ପାରୁନି । ଏ ବୟସରେ ସେ ବସିକି ଖାଇବା ପରିବର୍ତେ ନିଜ ପୁଅ ଦିଜଣଙ୍କୁ ଖୁଆଇ ପିଆଇ ଦେଉଛି । ସରକାର ଏ ଭଳି ଭିନ୍ନକ୍ଷମ ପିଲା ଦିଜଣଙ୍କୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କଲେ ଉପକୃତ ହୁଅନ୍ତେ ।
ଜିଲ୍ଲାପାଳ ମହୋଦୟ ସାମାନ୍ୟ ଦୃଷ୍ଟିଦେଲେ ମାଗେ ଆଗକୁ ଜୀବନ ଯୁଦ୍ଧରେ ଯୁଝିବାକୁ ଆଉ ଟିକେ ବଳ ପାଆନ୍ତେ ନିଶ୍ଚୟ ।