ହେଡଲାଇନସ୍:

କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀଙ୍କୁ ଶହେ ସଲାମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁହାରି କରି କରି ପ୍ରସାଶନ  କଲାନି, ଗାଁ ଲୋକେ କଲେ

ପଥର, କାଠ, ମାଟିରେ ୮୦ ଫୁଟର ପୋଲ ନିର୍ମାଣ କଲେ ଗାଁ ଲୋକେ

ଏତେଦିନ ନିଘୋଡ଼ ନିଦରେ ଶୋଇଲା ପ୍ରଶାସନ, ଏବେ ତା ଆଖି ଖୋଲି ଦେଖୁ 

ନୂଆପଡ଼ା,(ଅମିତ ପୁରୋହିତ) : ଏକତା ହିଁ ବଳ । ଗାଁ ଲୋକେ ଏକତ୍ରିତ ହୋଇ କୌଣସି ଅସାଧ୍ୟ କାମକୁ ହାସଲ  କରିବାକୁ ଲକ୍ଷ୍ୟ ରଖିବେ, ତେବେ ତାହା ନିଶ୍ଚୟ ସଫଳ ହୋଇଯିବ । ଏମିତି ଏକ ଅସାଧ୍ୟ କାମକୁ ସୁନାବେଡା ଅଭୟାରଣ୍ୟର ଦୁର୍ଗମ ଜଙ୍ଗଲ  ପାହାଡ ଘେରା କାଙ୍କେରମଂଜି ଓ ହଲୁଆପାଲି ଗାଁର ବନବାସୀ ମିଶି ସାଧ୍ୟ କରି ଦେଖାଇଛନ୍ତି । ଦୁଇ ଗାଁ ଲୋକେ ୩ ଦିନର ଶ୍ରମଦାନ କରି ବହୁ ପ୍ରତିକ୍ଷିତ  କାଙ୍କେରମଂଜି-ହଲୁଆପାଲି ନାଲା ଉପରେ ପଥର, କାଠ ଓ ମାଟି ପକାଇ ପ୍ରାୟ ୮୦ ଫୁଟର ଏକ କାଠ ପୋଲ  ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏବେ ଏହି ରାସ୍ତାରେ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତର ଗ୍ରାମବାସୀ ସହଜରେ କମ ସମୟ ଭିତରେ ଜିଲ୍ଲା ମୁଖ୍ୟାଳୟରେ ପହଂଚି  ପାରୁଛନ୍ତି । ସେହିପରି କେରମେଲି, ଟାନୱାଟ ପଞ୍ଚାୟତ ସମେତ ସଦର ବ୍ଲକର ଲୋକେ ସିଧାସଳଖ ଭାବେ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତକୁ ଯାତାୟତ କରୁଛନ୍ତି । ଏବେ ଦୁଇ ଗାଁର ଆଦିବାସୀଙ୍କ ମହତ କାମକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ।  

         ସ୍ୱାଧିନତାର ୭୩ ବର୍ଷ ପରେ ବି ସୁନାବେଡା ଅଭୟାରଣ୍ୟବାସୀ ମୌଳିକ ସୁବିଧା ସୁଯୋଗରୁ ବଂଚିତ  ହୋଇ ରହିଛନ୍ତି । ବନବାସୀ ମାନଙ୍କ ପାଇଁ ଗମନା ଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଭଳି ମୌଳିକ ସୁବିଧା ସାତ ସପନ ହୋଇ ରହିଛି । ପ୍ରତି ବର୍ଷ ବର୍ଷା ଋତୁ ଆସିଗଲେ, ଅଭୟାରଣ୍ୟବାସୀଙ୍କ ପାଇଁ ଦୁଃଖ ଆହୁରୀ ଦ୍ୱିଗୁଣିତ ହୁଏ । ଅଭୟାରଣ୍ୟର ଅନେକ ନଦୀ, ନାଳରେ ପାହାଡ ଉପର ବନ୍ୟା ଜଳ ପ୍ରବାହିତ ହୁଏ । ଅନେକ ଗାଁରେ ବ୍ରିଜ ଅଭାବ ହେତୁ ବନବାସୀ ଦିନ, ସପ୍ତାହ, ମାସ ଧରି ଜଳବନ୍ଦୀ ଜୀବନ ଅତିବାହିତ କରନ୍ତି । ସେଥି ମଧ୍ୟରୁ ସଦର ବ୍ଲକ କେରମେଲି ପଞ୍ଚାୟତର କାଙ୍କେରମଂଜି-ହଲୁଆପାଲି ମଧ୍ୟସ୍ଥ ବଙ୍ଗାଘାଟି ନାଳା ଅନ୍ୟତମ । କାଙ୍କେରମଂଜି ଗାଁ ମୁଣ୍ଡରେ ରହିଛି ବଙ୍ଗାଘାଟି ନାଲା । ବର୍ଷା ୬ ମାସ ଏହି ନାଳା ଉପରେ ୩ ଫୁଟ ରୁ ୬ ଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହୋଇଥାଏ । ପାହାଡ ପାଣିର ବେଗ ତିବ୍ର ରହିବା ସହ ପଥରିଆ ରାସ୍ତାରେ ପାଣି ଭିତରେ ଅତିକ୍ରମ କରିବାକୁ କାଷ୍ଟକର ହୋଇଥାଏ । କାଙ୍କେରମଂଜି ଗାଁ ଲୋକେ ନାଲାକୁ ଅତିକ୍ରମ କରି ନିଜ ଚାଷ ଜମିକୁ ଯାଇ ପାରିନଥାନ୍ତି । ଅନେକ ସମୟରେ ଚାଷବାସ ନଷ୍ଟ ହେବାର ସମ୍ଭବନା ରହିଛି । ଚାଷୀ ନିଜ ଚାଷ ଜମିକୁ ଚାଷ କାମରେ ଯାଇଥିବା ବେଳେ ନାଳାରେ ପାଣି ବଢିଗଲେ, ଦିନ ଦିନ ଧରି ନାଲା ଆରପାରିରେ ଜଳବନ୍ଦୀ ହୋଇ ଭୋକ ଉପବାସରେ ଜୀବନ ଅତିବାହିତ କରନ୍ତି । ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତବାସୀ ଜିଲ୍ଲା ମୁଖ୍ୟାଳୟକୁ ଯିବା ଆସିବା କରିବା ପାଇଁ ଦୁଃଖ ଭୋଗିଥାନ୍ତି । ଏହି ଦୁଇ ପଞ୍ଚାୟତବାସୀଙ୍କୁ ୩୦ କିମି ବଦଳରେ ୮୦ କିମି ଦୂରତା ଅତିକ୍ରମ କରି ନୂଆପଡ଼ାକୁ ଯିବା ଆସିବା କରନ୍ତି । ଗର୍ଭବତୀ, ରୋଗୀଙ୍କୁ ହସ୍ପିଟାଲ ପହଂଚିବାରେ  ବିଲମ୍ବ ଘଟିଲେ ମୃତ୍ୟୁ  ମୁଖରେ ପଡିଥାନ୍ତି । ଅଭୟାରଣ୍ୟବାସୀ ଅନେକ ଥର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ଶେଷରେ କାଙ୍କେରମଂଜି ଓ ହଲୁଆପାଲି ଗାଁ ଲୋକେ ମିଶି ନାଲା ଉପରେ ବ୍ରିଜ ନିର୍ମାଣ କରିବାକୁ ସ୍ଥିର କରିଥିଲେ । 

   ଗତ ୧୯ ତାରିଖରେ କାଙ୍କେରମଂଜି ଓ ହଲୁଆପାଲି ଗାଁ ଲୋକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ସେଠାରେ ଦୁଇ ଗାଁ ଲୋକେ ମିଶି ବଙ୍ଗାଘାଟି ନାଲା ଉପରେ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିବାକୁ ସ୍ଥିର କରିଥିଲେ । ୨୦ ତାରିଖ ସକାଳେ ଦୁଇ ଗାଁର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ଗଏଁତି, ରଫା, ଝୁଡି ଧରି ବାହାରି ଥିଲେ । ନାଲା ନିକଟରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବାଉଁସ ଓ କାଠରେ ବାଡ ତିଆରି କରି ସେଥି ଭିତରେ ପଥର ଭର୍ତ୍ତି କରି ପିଲର ନିର୍ମାଣ କରିଥିଲେ । ପିଲର ଉପରେ ବଡ ବଡ କାଠ ପକାଇ ତା ଉପରେ ଛୋଟ ଛୋଟ କାଠ ଓ ବାଉଁସ ବିଛାଇ ଥିଲେ । ତାରି ଉପରେ ଗଛର ଡାଳ ପକାଇ ମାଟି ପକାଇ ରାସ୍ତା ନିର୍ମାଣ କରିଥିଲେ । ଦୁଇ ଗାଁ ଲୋକଙ୍କ ୩ ଦିନର ଶ୍ରମଦାନ ପରେ ପ୍ରାୟ ୮୦ ଫୁଟ ଲମ୍ବର ପଥର, କାଠ ଓ ମାଟି ପକାଇ ଏକ ଅସ୍ଥାୟୀ ବ୍ରିଜ ନିର୍ମାଣ କରିବାରେ ଲୋକେ ସକ୍ଷମ ହୋଇଥିଲେ । ଗାଁ ଲୋକଙ୍କ ଏଭଳି ଉଦ୍ୟମକୁ ଜିଲ୍ଲାବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ୟାମସୁନ୍ଦର ମାଝି, ଲଲିତ ମାଝି, ମନଧର ମାଝି, ବଜତ ମାଝି, ଶୁଶିଲ ମାଝି, ଗୁଡୁ ପହରିଆ, ଇନ୍ଦ୍ରା ମଝି, ଶୁକମନୀ ମାଝି, ପଦ୍ମାବତୀ ମାଝି, ନୃପତି ମାଝି, ଧନମତି ମାଝି, ରଜନୀ ମାଝି ପ୍ରମୁଖ ସାମିଲ ହୋଇଥିଲେ ।  

 

0
0
0
s2sdefault