ହେଡଲାଇନସ୍:

ମୃତ୍ୟୁ ଦୂତ ସାଜିଛି ପଳପଳା ନଦୀ : ମୁଖ୍ୟମନ୍ତ୍ରୀଙ୍କ ନଜର ପଡିଲେ ବଂଚି ଯାଆନ୍ତା ଆଉ କିଛି ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେତେ ଜୀବନ ଯିବା ପରେ ପ୍ରଶାସନର ଚେତା ପଶିବ

ବାରିପଦା(ଦିଲ୍ଲୀପ ମହାନ୍ତି)-  ଶାମାଖୁଣ୍ଟା ବ୍ଲକ ତଥା କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ପୋଲ ନିକଟରେ ଦୁଇ ଦିନ ତଳେ ପଳପଳା ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ବାରିପଦା ସଦର ଥାନା ଅଧୀନରେ ଥିବା ଲକ୍ଷ୍ମୀପୋଷି(ରଙ୍ଗାମାଟିଆ) ଗ୍ରାମର ସାଲଖାନ କିସ୍କୁ(୫୦)ଙ୍କର ଗଳିତ ଶବକୁ ଆଜି ନଦୀର କୁଚିଳାଘାଟି-ବାଲିଡ଼ିହା ମଧ୍ୟସ୍ଥଳୀରେ ଉଦ୍ଧାର କରାଯାଇଛି । ଖବରପାଇ କୁଳିଅଣା ଥାନା ପୁଲିସ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ପଠାଇ ଦେଇଛି । ଉକ୍ତ ସ୍ଥାନରେ ନଦୀର ସ୍ରୋତରେ ଏହା ପୂର୍ବରୁ ପ୍ରାୟ ୩ ଜଣ ଭାସି ଯାଇ ମରିଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଜନସାଧାରଣଙ୍କ ଯାତାୟତର ସୁବିଧା ନିମନ୍ତେ ତାରାଯୋଡ଼ି ଓ କୁଚିଳାଘାଟିକୁ ସଂଯୋଗ କରିବା ନିମନ୍ତେ ଏକ ପୋଲ ନିର୍ମାଣ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଛି । ଉକ୍ତ ପୋଲର ନିର୍ମାଣ କାର୍ଯ୍ୟ ଜନସାଧାରଣଙ୍କ ନିମନ୍ତେ ମୃତ୍ୟୁ ର କାରଣ ପାଲଟିଥିବାର ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନସ୍ତ ଶାମାଖୁଣ୍ଟା ବ୍ଲକର ତାରାଯୋଡ଼ି ଓ କୁଚିଳାଘାଟି ଗ୍ରାମର ସୀମାରେଖା ଟାଣିଛି  ପଳପଳା  । ନଦୀଟି ଶିମିଳିପାଳ ଅଭୟାରଣ୍ୟରୁ ବାହାରି ବୁଢ଼ାବଳଙ୍ଗ ନଦୀରେ ମିଶିଛି । ନଦୀର ଉପରମୁଣ୍ଡା ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ହେଲେ ପଳପଳା ନଦୀରେ ପ୍ରଖର ବେଗରେ ପାଣି ପ୍ରବାହିତ ହୋଇଥାଏ । ଏହି ସମୟରେ କୁଚିଳାଘାଟି ଓ ତାରାଯୋଡ଼ିର ଉଭୟ ପାଶ୍ୱର୍ରେ ଥିବା ରହିଥିବା ଗ୍ରାମଗୁଡ଼ିକ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପଳପଳା ନଦୀ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୨୨ଲକ୍ଷ ୨ ହଜାର ୬୭ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହେଉଥିବା ଉକ୍ତ ପୋଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ଅକ୍ଟୋବର ୨୬ରେ ଶିଳାନ୍ୟାସ କରିଥିଲେ । ଏହି ସମୟରେ ସ୍ଥାନୀୟ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୁଦାମ ମାର୍ଣ୍ଡି ମଧ୍ୟ ଉପସ୍ଥିତ ରହିଥିଲେ । ୧୫୦.୭୮ ମିଟର ଲମ୍ବର ଏହି ପୋଲ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ(ପ୍ୟାକେଜ ନଂ ଓଆର ୨୧ ଏଲବି ୨୨) ପକ୍ଷରୁ ପୁରୀ ଜିଲ୍ଲା ବାଙ୍କପୁରର ପାଟସୁନ୍ଦରପୁର ଅଞ୍ଚଳର ଅକ୍ଷୟ କୁମାର ମହାନ୍ତିଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଠିକାଦାର ଓ ବିଭାଗ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଧାରରେ ୨୦୧୬ ଅଗଷ୍ଟ ୨୬ରେ କାର୍ଯ୍ୟ ଆରମ୍ଭ ଓ ୨୦୧୭ ନଭେମ୍ବର ୨୫ ମଧ୍ୟରେ କାର୍ଯ୍ୟ ସମାପ୍ତି ହେବାର ରହିଥିଲା । କିନ୍ତୁ କାର୍ଯ୍ୟ ସମାପ୍ତି ନିମନ୍ତେ ଧାର୍ଯ୍ୟ ସମୟସୀମାଠାରୁ ୧ ବର୍ଷ ୮ ମାସ ୨୭ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି । ପାଣି ଭିତରେ ପୋଲର କଂକ୍ରିଟ ଚଟାଣ ଉପରେ ପାଣି ପ୍ରବାହିତ ହେଉଥିବା କାରଣରୁ ଚଟାଣରେ ଶିଉଳି ଜମି ଯାଇଛି । ଏହା ଉପରେ ସ୍କୁଲ ପିଲା ଓ ସ୍ଥାନୀୟ ଜନସାଧାରଣ ନଦୀ ପାର ହୋଇଥାନ୍ତି । ନଦୀର ଉପର ମୁଣ୍ଡରେ ବର୍ଷା ହେଲେ ନଦୀରେ ପାଣିର ବେଗ ପ୍ରଖର ହୋଇଥାଏ । ଏହି ସମୟରେ ନଦୀ ପାର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କାହାରି ପାଦ ଖସି ଗଲେ ମୃତୁ୍ୟ ସୁନିଶ୍ଚିତ ହୋଇଥାଏ ।  ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହା ସେମାନଙ୍କ ନିମନ୍ତେ ମୃତ୍ୟୁ ଦୂତ  ସାଜିଛି । କେବଳ ଏତିକି ନୁହେଁ ଠିକାଦାର ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ଓ ରଡ଼ ବ୍ୟବହାର କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ସ୍ଥାନୀୟ ଜନସାଧାରଣ ଏହି ପ୍ରକାରର ଅସୁବିଧାକୁ ନେଇ ବିଭିନ୍ନ ସମୟରେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଏହା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅଥବା ବିଧାୟକ କିମ୍ବା ସରକାରଙ୍କ ନିକଟରେ ପହଁଞ୍ଚିପାରୁ ନାହିଁ । ଆଉ କେତେ ଜଣଙ୍କର ଜୀବନ ଯିବା ପରେ ସରକାର ଓ ବିଭାଗର ମନ ଶାନ୍ତ ହେବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।

 

 

0
0
0
s2sdefault