ହେଡଲାଇନସ୍:

ଜଗତସିଂହପୁର:ଜିଲ୍ଲାର ଅଧିକ ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ବ୍ୟାଙ୍କରଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:(ରମେଶ ମହାନ୍ତି)- ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲାରେ ଦୁଗ୍ଧ ଉଦ୍ୟୋଗ ବିକାଶ ଯୋଜନା ସଂକ୍ରାନ୍ତୀୟ ଏକ ଜିଲାସ୍ତରୀୟ କର୍ମଶାଳା ନାବାର୍ଡ ବ୍ୟାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜଗତସିଂହପୁର ଜିଲ୍ଲା ଦୁଗ୍ଧ ଉତ୍ପାଦନରେ ରାଜ୍ୟରେ ଏକ ଅଗ୍ରଣୀ ଜିଲା।ଜିଲାବାସୀ ଗୋ ପାଳନକୁ ଭଲପାଆନ୍ତି।ବ୍ୟାଙ୍କର ମାନେ ଜିଲ୍ଲାର ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ ନକରିବା ପାଇଁ ପରାମର୍ଶ ଦେଇଥିଲେ।ଦୁଗ୍ଧ ଚାଷୀ ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍,ମୂଲ୍ୟଯୁକ୍ତ ଦୁଗ୍ଧ ଉତ୍ପାଦ ପ୍ରସ୍ତୁତି କଲେ ଅଧିକ ଲାଭବାନ୍ ହୋଇପାରିବେ।୨୦୧୮-୧୯ ଆର୍ଥିକ ବର୍ଷ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଅଧିକ ଚାଷୀଙ୍କୁ ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଦୁଗ୍ଧ ଚାଷୀଙ୍କୁ ଠିକ୍ ସମୟରେ ଆବଶ୍ୟକୀୟ ଋଣ ପ୍ରଦାନ କରିବା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସବ୍ସିଡ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଋଣ ପ୍ରଦାନ ପ୍ରକ୍ରିୟାକୁ ସଠିକ୍ ପରିଚାଳନା ନିମନ୍ତେ ପ୍ରାଣୀ ଚିକିତ୍ସକ ଓ ବ୍ୟାଙ୍କର ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।ଏହି କର୍ମଶାଳାକୁ ପରିଚାଳନା କରିବା ସହିତ ନାବାର୍ଡର ଜିଲା ଉନ୍ନୟନ ପରିଚାଳକ ବିଶ୍ୱ ଭୁଷଣ ମହାନ୍ତି ତାଙ୍କ ବକ୍ତବ୍ୟରେ ଭାରତ ପୃଥିବୀରେ ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ଦେଶ ଅଟେ।ଶତକଡା ୨୦ ପ୍ରତିଶତ ଦୁଗ୍ଧ ଜାତ ଦ୍ରବ୍ୟ ବିଦେଶକୁ ରତ୍ପାନୀ ହୁଏ।ଜଗତସିଂହପୁର ଦୁଗ୍ଧ ଚାଷ ପାଇଁ ଉପଯୁକ୍ତ ସ୍ଥାନ ଅଟେ।ବାଲିକୁଦା ବ୍ଲକରେ ଦୁଗ୍ଧ ଉଦ୍ୟୋଗ ବିକାଶ ପାଇଁ ପ୍ରକୃଷ୍ଟ ସୁବିଧା ସୁଯୋଗ ରହିଛି।ବ୍ୟକ୍ତିଗତ ଚାଷୀ,ଗୋଷ୍ଠୀ ଆକାରରେ ଡାଇରୀ ସମବାୟ ସମିତୀ କିମ୍ବା ମିଲ୍କ ୟୁନିୟନ ସଦସ୍ୟ ଭାବରେ ଦୁଗ୍ଧ ଉଦ୍ୟୋଗ ପାଇଁ ବ୍ୟାଙ୍କ ଋଣ ପ୍ରଦାନ କରାଯାଉଛି।ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୨୫ପ୍ରତିଶତ ଓ ଅନୁସୂଚିତ ଜାତି ଓ ଜନଜାତି ଚାଷୀଙ୍କ ପାଇଁ ୩୩.୩୩ ପ୍ରତିଶତ ସବସିଡ୍ ପ୍ରଦାନ କରାଯାଉଛି । ଏତଦ୍ ବ୍ୟତୀତ ଦୁଧିଆଳି ଗାଈ ଓ ଭର୍ମି କମ୍ପୋଷ୍ଟ ୟୁନିଟ୍,ଦୁଗ୍ଧ ପ୍ରକ୍ରିୟା କରଣ ୟୁନିଟ୍ ଯନ୍ତ୍ରାଂଶ ଓ ଦୁଗ୍ଧ ଜାତ ଦ୍ରବ୍ୟ ପରିବହନ,ଦୁଗ୍ଧ ଜାତ ଦ୍ରବ୍ୟ ସଂରକ୍ଷଣ ନିମନ୍ତେ ଶୀତଳ ଭଣ୍ଡାର, ଗୁହାଳ ନିର୍ମାଣ ନିମନ୍ତେ ଋଣ ଓ ସବ୍ସିଡ୍ ପ୍ରଦାନ କରାଯାଉଛି।ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା ଯୋଗଦେଇ  ୨୦୧୮-୧୯ ବର୍ଷରେ ୬୩ଟି ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ଜିଲ୍ଲାରେ ୧୪୬ ଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇ ସବସିଡ୍ ମିଳିଛି । ପ୍ରତିଦିନ ଜିଲ୍ଲାରୁ ୨ଲକ୍ଷ ଲିଟର କ୍ଷୀର ବାହାରକୁ ଯାଉଛି।ବ୍ୟାଙ୍କ ମାଧ୍ୟମରେ ୧୪୬ ଚାଷୀଙ୍କୁ ୮୩ କୋଟି ୪୦ ଲକ୍ଷ ଋଣ ପ୍ରଦାନ କରାଯାଇଛି।ଏହାଦ୍ୱାରା ସାଧାରଣ ଲୋକଙ୍କର ଜୀବନ ଜୀବିକାରେ ଉନ୍ନତି,ଅର୍ଥନୈତିକ ଅଭିବୃଦ୍ଧି ଓ ଆମ ନିଯୁକ୍ତି ପାଇ ପାରିଛନ୍ତି। ଆପିକଲର ଜଗତସିଂହପୁର ନୋଡାଲ ଅଫିସର ରବିନ୍ଦ୍ର ନାଥ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟବସାୟିକ ଗାଈ ଓ ମଇଁଷି ପାଳନ ଉପରେ ସୂଚନା ପ୍ରଦାନ କରିଥିଲେ।ଏହି ଯୋଜନାରେ ଚାଷୀଙ୍କୁ ଅଧିକ ସବସିଡ୍ ପ୍ରଦାନ କରାଯାଏ।ଏଲ୍.ଡି.ଏମ୍ ସତୀଶ କୁମାର ପାତ୍ର ଯୋଗଦେଇ ଦୁଗଧ ଚାଷ ନିମନ୍ତେ କେନ୍ଦ୍ର ସରକାରଙ୍କ ନାବାର୍ଡ ମାଧ୍ୟମରେ ଋଣ ପ୍ରଦାନ କରାଯାଉଛି।ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠୀ ମାଧ୍ୟମର ଅଧିକ ଋଣ ପ୍ରଦାନ କରାଯାଉଛି।ଗୋପାଳନ ଦ୍ୱାରା ଅତିରିକ୍ତ ଆୟ ହୋଇପାରୁଛି।ଏହି କର୍ମଶାଳାରେ ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକ,ବ୍ଲକ ସ୍ତରୀୟ ପ୍ରାଣୀ ଚିକିତ୍ସକ ଓ ଦୁଗ୍ଧ ଚାଷୀମାନେ ଉପସ୍ଥିତ ଥିଲେ।

 

0
0
0
s2sdefault