ହେଡଲାଇନସ୍:

ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ  ଅଗଷ୍ଟ ୨୨ରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୨୨ରୁ ୨୫ ପର୍ଯ୍ୟନ୍ତ ୪ ଦିନ ଧରି ମୟୂରଭଞ୍ଜ ମହାରାଜାଙ୍କ ବାରିପଦା ବେଲଗଡ଼ିଆସ୍ଥିତ ରାଜପ୍ରାସାଦ ପରିସରରେ ରାଜପରିବାର ପକ୍ଷରୁ ସ୍ଥାପିତ ମୟୂରଭଞ୍ଜ ଫାଉଣ୍ଡେସନ ଦ୍ୱାରା ଜାତୀୟସ୍ତରୀୟ ମୟୂରଭଞ୍ଜ ଚିତ୍ର ପ୍ରଦର୍ଶନୀ କୋଲକାତା, ଦିଲ୍ଲୀ , ମୁମ୍ବାଇ ଓ ଓଡ଼ିସାର ବିଖ୍ୟାତ ଚିତ୍ର ଶିଳ୍ପୀମାନଙ୍କୁ ନେଇ ଆୟୋଜିତ ହୋବାକୁ ଯାଉଛି ବୋଲି ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟକୁ ସୂଚନା ଦେଇଥିଲେ ।  

             ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ଭଞ୍ଜ ବଂଶୀୟ ମହାରାଜାମାନେ ଯୁଗେ ଯୁଗେ କଳା , ସଂସ୍କୃତି  ଓ ଐତିହ୍ୟ ଆଦିର ପୃଷ୍ଠପୋଷକତା କରିଆସିଛନ୍ତି । ମହାରାଜାମାନଙ୍କ ପୃଷ୍ଠପୋଷକତାରେ ଛଉନୃତ୍ୟ ଲୋକପ୍ରିୟତାର ଚରମ ସୋପାନକୁ ଛୁଇଁବା ସହ ସମଗ୍ର ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ସେହିପରି ଡୋକ୍ରା ହସ୍ତଶୀଳ୍ପ ହେଉ ଅଥବା ଖିଚିଂର ମୁଗୁନୀ ପଥର ହସ୍ତଶୀଳ୍ପ, ଟସର ବସ୍ତ୍ର ଏହି ସମସ୍ତ ମୟୂରଭଞ୍ଜ ରାଜତନ୍ତ୍ର ଶାସନ ସମୟରେ ଦେଶ ବିଦେଶରେ ଆଦୃତ ହୋଇଥିଲା । ତେବେ ମୟୂରଭଞ୍ଜରୁ ଦରବାରର ଶାସନ ବ୍ୟବସ୍ଥା ବିଲୋପ ଘଟି ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବାର ପରବର୍ତ୍ତି ସମୟଠାରୁ ଏହି ସମସ୍ତ ଶିଳ୍ପ କାଳକ୍ରମେ ଋଗ୍ଣ ଶିଳ୍ପରେ ପରିଣତ ହେଲା । ତେଣୁ ମୟୂରଭଞ୍ଜର କଳା, ସଂସ୍କୃତି, ଭାସ୍କର୍ଯ୍ୟ, ହସ୍ତତନ୍ତ, ହସ୍ତକଳା, ପର୍ଯ୍ୟଟନ ଶିଳ୍ପର ପୁର୍ନଉଦ୍ଧାର ଓ ବିକାଶ ନିମନ୍ତେ ଭଂଜଦେଓ ରାଜବଂଶର ବର୍ତ୍ତମାନର ପିଢ଼ୀ ଆଗେଇ ଆସିଛନ୍ତି । ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଓ ରାଜକୁମାରୀ(ଜେମା) ମୃଣାଣିକା ମଞ୍ଜରୀ ଭଞ୍ଜଦେଓ ଓ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓଙ୍କ କନସେପ୍ଟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗେଇ ଆସି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜ ଫାଉଣ୍ଡେସନ ପ୍ରତିଷ୍ଟା ମାଧ୍ୟମରେ ଚିତ୍ରକଳା ଓ ଚିତ୍ରଶିଳ୍ପର ପ୍ରଚାର, ପ୍ରସାର ନିମନ୍ତେ ଏକ ଜାତୀୟସ୍ତରର ମୟୂରଭଞ୍ଜ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ କରିବାକୁ ଯାଉଛନ୍ତି ବୋଲି ମହାରାଣୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକଳା ସମେତ କୁଳିଅଣାର ଡୋକ୍ରା, ଚନ୍ଦନପୁରର ହସ୍ତତନ୍ତ ସାମଗ୍ରୀ, ଡିହିରାକୁଳର ଟସରରରୁ ଉତପାଦିତ ବସ୍ତ୍ର, ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ଖିଚିଂର ପଥର ମୂର୍ତ୍ତି ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ । ରାଜବାଟୀ ପରିସରରେ ଅଗଷ୍ଟ ୨୨ରୁ ୨୫ ୪ ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ଉକ୍ତ ପ୍ରଦର୍ଶନୀ  ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ରୁ ଦେଢ଼ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୩ରୁ ରାତି ଆଠଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଏଥି ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମୟୂରଭଞ୍ଜର କୃତ୍ତି ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ ବୋଲି ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ, ଚିତ୍ର ଶିଳ୍ପି କଲ୍ୟାଣ କୁମାର ବାରିକ, ମାରୱାଡ଼ି ଯୁବମଞ୍ଚ ପ୍ରଗତିର  ସଭାପତି ହେମନ୍ତ ଶାହା ଓ ବିଭୂପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।  

 

0
0
0
s2sdefault