ହେଡଲାଇନସ୍:

ଏବିଭିପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୧୭ ଶନିବାର ବାରିପଦା ପୌରପରିଷଦର ମୁର୍ଗାବାଡ଼ିଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ବିଶ୍ୱର ସର୍ବବୃହତ୍ ଛାତ୍ର ସଙ୍ଗଠନ ବୋଲି ଦାବି କରାଯାଉଥିବା ଏବିଭିପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କରୁଥିବା ଦୁଇ ଦିବସୀୟ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ବର୍ତ୍ତମାନ ଦେଖାଦେଇଥିବା ଗ୍ଲୋବାଲ ୱାର୍ମିଂରେ ବୃକ୍ଷ ରୋପଣର ଗୁରୁତ୍ୱ ଓ ମହତ୍ୱକୁ ଅନୁଭବ କରି ଅତିଥିମାନଙ୍କୁ ଚାରାଗଛ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜିର ପ୍ରଥମ ଦିବସରେ ଏବିଭିପିର ରାଜ୍ୟ ସଭାପତି ଅଧ୍ୟାପକ ଭାଗିରଥୀ ପୃଷ୍ଟି, ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର, ରାଜ୍ୟ ସଙ୍ଗଠନ ସମ୍ପାଦକ ଅଭିଳାଷ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି । ବୈଠକରେ ରାଜ୍ୟ ମୁଣ୍ଡ ଟେକି ଉଠିଥିବା ଶିକ୍ଷା ସମସ୍ୟା ତଥା ଏହାର ପ୍ରତିକାର ଦିଗରେ ଏବିଭିପିର ଭୂମିକା ଉପରେ ରାଜ୍ୟ ସଭାପତି ଶ୍ରୀପୃଷ୍ଟି ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇଛନ୍ତି ।  ସେହିପରି ଶିକ୍ଷାର ଗୁଣବତ୍ତାକୁ ଉନ୍ନତମାନର କରାଇବା ସହ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରବାଦୀ ଛାତ୍ର ସଙ୍ଗଠନ ହିସାବରେ ରାଷ୍ଟ୍ର ତଥା ରାଜ୍ୟ ପ୍ରତି ମାଡ଼ି ଆସୁଥିବା ବିଭିନ୍ନ ବିପତ୍ତିରୁ ସୁରକ୍ଷା ଓ ମହାମାରୀ ଭଳି ବୃଦ୍ଧି ପାଇବାରେ ଲାଗିଥିବା ବେକାରୀ ସମସ୍ୟାର ଦୂରୀକରଣକୁ ନେଇ ଆଗାମୀ ଦିନରେ ଏବିଭିପିର ଭୂମିକା ଉପରେ ରାଜ୍ୟ ସମ୍ପାଦକ ଶ୍ରୀମିଶ୍ର ଆଲୋକପାତ କରାଇଛନ୍ତି । ଉକ୍ତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଇ ଚାଲିଥିବା ନିଶାଦ୍ରବ୍ୟ କାରବାର ଓ ସେବନ ସହ ପ୍ରବେଶ ପରୀକ୍ଷା ପାଠ୍ୟକ୍ରମ ପରିଣାମକୁ ବ୍ୟବସ୍ଥିତ କରାଇବା ଓ ମୟୂରଭଞ୍ଜ ଜିଲ୍ଲାର ଅର୍ଥନୈତିକ, ସାମାଜିକ ସ୍ଥିତାବସ୍ଥା  ଆଦି ତିନି ଗୋଟି ପ୍ରସ୍ତାବ ପାରିତ କରାଇବା ନିମନ୍ତେ କାର୍ଯ୍ୟକର୍ତ୍ତାମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ଆଗାମୀ ଦିନରେ ଏହି ତିନୋଟି ସମସ୍ୟାର ସମାଧାନ ନିମନ୍ତେ ବିସ୍ତୃତ ଆଲୋଚନା ମାଧ୍ୟମରେ ସମସ୍ତ କାର୍ଯ୍ୟକର୍ତ୍ତା ନିଜ ନିଜର ଦୃଷ୍ଟିକୋଣ ଓ ମତାମତ ପ୍ରଦାନ କରିଛନ୍ତି । ଏହାମଧ୍ୟରୁ ସର୍ବଗୃହୀତ ମତକୁ ନେଇ ଗଣତାନ୍ତ୍ରିକ ଭାବେ ଏବିଭିପି ଆଗାମୀ ଦିନର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ଯାଉଛି । ଏଥି ସହିତ ଚଳିତ ବର୍ଷ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ, ଗୁରୁ ନାନକଙ୍କ ୫୫୦ତମ ପ୍ରକାଶ ପର୍ବ ସହ ଜାଲିୱାନାବାଗ ଗଣ ହତ୍ୟାକାଣ୍ଡର ୧୦୦ ବର୍ଷ ପୂର୍ତ୍ତିକୁ ରାଜ୍ୟର ସମସ୍ତ ନଗର ଏବଂ ମହାବିଦ୍ୟାଳୟଗୁଡ଼ିକରେ ଥିବା ଏବିଭିପିର ଶାଖାରେ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି । 

0
0
0
s2sdefault