ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସମ୍ବଲପୁର ଜିଲ୍ଲା ବହୁ ତୀର୍ଥ ସ୍ଥଳୀର ସମାହାର । ଅଥଚ ଏହାର ବହୁ ପର୍ଯ୍ୟଟନ କ୍ଷେତ୍ର ଲୋକ ଲୋଚନକୁ ଆସିପାରି ନାହିଁ । ସେହିପରି ପର୍ଯ୍ୟଟନ ମାନଚିତ୍ରର ଅନ୍ତରାଳରେ ରହିଛି ଏକ ଅପରିଚିତ ଅନନ୍ୟ ପୀଠ ଭୀମମଣ୍ଡଳୀ । ଏହାକୁ ମଧ୍ୟ କେହି କେହି ଭୀମ ମଣ୍ଡଳୀ ଆଉ ଭୀମଦରି ମଧ୍ୟ କହିଥାନ୍ତି ।
ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବ୍ଡିଭିଜନ ଜିଲ୍ଲାର ମୁଖ୍ୟ ସହର ।ଏଠାରୁ ଜାତୀୟ ରାଜପଥର ୬୫ କିମି ପୂର୍ବକୁ ଗଲେ ପଡେ ଏହି ଛୋଟିଆ ସହରଟି ।ଏହି ସହରଠାରୁ ପୂର୍ବକୁ ଗଲେ ପଡେ ଭୀମଭୋଇ ମହାବିଦ୍ୟାଳୟ । ଭୀମଭୋଇ ମହାବିଦ୍ୟାଳୟର ବାମପଟେ ଯାଇଥିବା ରାସ୍ତାରେ ୩୨ କିମି ବାଟ ଗଲା ପରେ ନାକ୍ଟିଦେଉଳ ବ୍ଲକ୍ ପଡିଥାଏ । ନାକ୍ଟିଦେଉଳ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ନାକ୍ଟିଦେଉଳ ବ୍ଲକର ଏକ ଛୋଟିଆ ଗାଁ ପେଣ୍ଠବାହାଳ । ନାକ୍ଟିଦେଉଲ ଠାରୁ ଏହାର ଦୂରତ୍ୱ ମାତ୍ର ତିନି କିଲୋମିଟର । ରେଢାଖୋଲଠାରୁ ପେଣ୍ଠବାହାଳର ଦୂରତ୍ୱ ୨୮ କିମି ହେବ । ରେଢାଖୋଲ ନାକ୍ଟିଦେଉଳ ରାସ୍ତାରେ ହିଁ ପଡେ ଏହି ଛୋଟିଆ ଗାଁ ଟି । ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଦେଇ ବହି ଯାଇ ଥିବା ଚମ୍ପାଳୀ ନଦୀର କଡେ କଡେ ଏକ ମାଟି ରାସ୍ତାରେ ୫ କି.ମି ଯିବା ପରେ ଘଂଚ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପରିବେଶ ମଧ୍ୟରେ ଦେଖିବାକୁ ମିଳିବ ଭୀମମଣ୍ଡଳୀ ନାମକ ପ୍ରସିଦ୍ଧ ସ୍ଥାନଟିଏ ।
ଏହି ନଦୀ ଘୋଷରାମାଳ ଓ ବଡମାଳ ଅଂଚଳରୁ ବାହାରି ନାକ୍ଟିଦେଉଳ ପାଖରେ ଥିବା ଟିକିରା ନଦୀରେ ମିଶିଛି । ନଦୀର କୁଳୁକୁଳୁ ଶବ୍ଦ ସତେ ଯେପରି ନୀରବତାକୁ ଭାଙ୍ଗି ଦେଉଛିା ଭୀମମଣ୍ଡଳୀର ଚତୁଃପାଶ୍ୱର୍ ଅରଣ୍ୟାଛାଦିତ । ଭୀମମଣ୍ଡଳୀରେ ଥିବା ଘଂଚ ଜଙ୍ଗଲ ମଧ୍ୟରୁ ପଶୁପକ୍ଷୀ ଓ ଗଛଲତା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢାଇ ଦେଇଛି । ଏହି ଜଙ୍ଗଲରେ ବହୁ ପ୍ରକାର ଔଷଧୀୟ ବୃକ୍ଷ ମଧ୍ୟ ଦେଖାଯାଏ । ଏହା ବ୍ୟତିରେକ ଏଠାରେ ବହୁତ ମୂଲ୍ୟବାନ ଗଛ ଗୁଡିକ ଚୋରା ବେପାରିମାନେ ଆସି ନେଇଯାଉଥିବାରୁ ଜଙ୍ଗଲଟି ଧ୍ୱଂସ ପାଇବାକୁ ବସିଥିଲେ ମଧ୍ୟ ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନେ ଚୋରାବେପାରିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଅସୁଲ କରି ନୀରବଦ୍ରଷ୍ଟା ସାଜୁଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।
ଭୀମମଣ୍ଡଳୀର ଚମ୍ପାଳି ନଦୀ ନିକଟରେ ବଡ ବଡ ଶିଳାଖଣ୍ଡମାନ ଦେଖିବାକୁ ମିଳେ । ଏହାଛଡା ବାଲୁକା ଶଯ୍ୟାମାନ ମଧ୍ୟ ରହିଛି । ଭୀମମଣ୍ଡଳୀ ଏପରି ଏକ ସ୍ଥାନ ନ ଦେଖିଲେ ବିଶ୍ୱାସ କରି ହେବନି ।
କିମ୍ବଦନ୍ତି କହେ, ପୂର୍ବେ ପବନପୁତ୍ର ଭୀମସେନ ଏଠାରେ ଥିବା ଚମ୍ପାଳି ନଦୀକୁ ନଗ୍ନ ଶରୀରରେ ବାନ୍ଧୁଥିଲେ । ଭୀମ ଘରକୁ ଯିବାରେ ବିଳମ୍ବ ହେବାରୁ ମାତା କୁନ୍ତୀଙ୍କର ମନରେ ଘୋର ଚିନ୍ତା ହେଲା । ସଙ୍ଗେ ସଙ୍ଗେ ପୁତ୍ରକୁ ଖୋଜିବା ଉଦ୍ଦେଶ୍ୟରେ ସେ ବାହାରିପଡିଲେ । କୁନ୍ତୀ ଯେତେବେଳେ ଭୀମ..ଭୀମ.. ବୋଲି ଡାକଛାଡି ପହଂଚିଗଲେ ଠିକ୍ ସେତିକିବେଳେ ଭୀମ ଦେହରେ କୌଣସି ବସ୍ତ୍ର ପିନ୍ଧି ନ ଥାନ୍ତି । ଭୀମ ମାତାଙ୍କର ଡାକ ଶୁଣି ପାରି ଲଜ୍ଜାନିବାରଣ ପାଇଁ ନିକଟରେ ଥିବା ଗୁମ୍ଫା ପାଖକୁ ଦୌଡି ଦୌଡି ଯାଇ ପଶିଗଲେ । ଯେଉଁ ଗୁମ୍ଫାଠାରେ ସେ ଆଣ୍ଠେଇ ପଶିଥିଲେ ସେଇ ଗୁମ୍ଫାରେ ଆଣ୍ଠୁ ଚିହ୍ନ ରହିିଛି । ମା କୁନ୍ତି ଧରିଥିବା କୁଣ୍ଡାପିଠା ଖଣ୍ଡକୁ ଚମ୍ପାଳୀ ନଦୀରେ ପକାଇ ଦେଇଥିଲେ । ଯେଉଁ କୁଣ୍ଡାପିଠାଟି ମା କୁନ୍ତୀ ପକାଇଥିଲେ ତାହା କ୍ରମେ ଛୋଟ ପଥରରେ ପରିଣତ ହୋଇ କ୍ରମଶଃ ଏହା ବିରାଟ ପଥର ହୋଇଯାଇଛି । ସେଇ ପଥରଟି ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଜନଶୃତିରୁ ଯାହା ଜଣାପଡେ । ଭୀମ ଯେଉଁ ଗୁମ୍ଫାରେ ପଶିଥିଲେ ସେହି ଗୁମ୍ଫା ଭିତରେ ଛୋଟ ଛୋଟ କୋଠରୀ ହୋଇଯାଇଛି । ଗୁମ୍ଫାଟି କାହିଁ କେତେ ଦୂର ପର୍ଯ୍ୟନ୍ତତ ଲମ୍ବି ଯାଇଛି ଯେ ତାର ଠିକ୍ ଠିକଣା ନାହିଁ । ଲୋକମାନଂକ ମତରେ ଏହି ଗୁମ୍ଫା ଅନୁଗୋଳ ଜିଲ୍ଲାର କୌଣସି ଗ୍ରାମରେ ବାହାରିଛି । ଆଉ କେହିକେହି ମତ ଦିଅନ୍ତି ଯେ , ଏହି ଗୁମ୍ଫା ରାଇଲ ପର୍ଯ୍ୟନ୍ତ ବିସ୍ତୃତ । ଗୁମ୍ଫା ଭିତରେ କେତୋଟି ପ୍ରକୋଷ୍ଠ ରହିଛି ତାହାର ମଧ୍ୟ ସଠିକ୍ ତଥ୍ୟ ମିଳେ ନାହିଁ । କେବଳ ଗୁମ୍ଫାଟି ଅନ୍ଧାରରେ ପରିପୂର୍ଣ । ଗୁମ୍ଫା ଭିତରକୁ ଯିବାକୁ ହେଲେ ଅମ୍ଳଜାନ ଏବଂ ଆଲୁଅର ବ୍ୟବସ୍ଥା ନିହାତି ଜରୁରୀ ମନେହୁଏ ।
ଭୀମମଣ୍ଡଳୀ ନିକଟରେ ଉଷାକୋଠୀ ନାମକ ସ୍ଥାନଟିଏ ରହିଛି । ଏହା ଏକ ବରଗଛ ମୂଳରେ ଅବସ୍ଥିତ । ଏଠାରେ ଲୋକମାନେ ୂଜା କର୍ମ କରନ୍ତି । ଏଠାରେ ଯୁଧିଷ୍ଠିରଙ୍କ ସଭାମଣ୍ଡପ ମଧ୍ୟ ରହିଛି । ସ୍ନାନମଣ୍ଡପରେ ମୁନି ଋଷିମାନେ ସ୍ନାନ କରୁଥିବାର ଜଣାଯାଏ । ଯଦ୍ଧାରା ଏହାର ରଂଙ୍ଗହଳଦିଆ ହୋଇଛି । ତେଣୁ ଏହାର ନାମ ହଳଦୀଘାଟ । ଭୀମ ମଣ୍ଡଳୀର ଏକ ଗୁମ୍ଫା ନିକଟରେ ଅନେକ ଚିତ୍ର ଦେଖିବାକୁ ମିଳେ ଏବଂ ପ୍ରସ୍ତର କାନ୍ଥରେ ଶିଳାଲିପି ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଐତିହାସିକ ଡଃ ସଦାଶିବ ପ୍ରଧାନ ଏଠାକୁ ବହୁବର୍ଷ ତଳେ ଆସି ଶିଳାଲିପି ଚିହ୍ନଟ କରିଥିଲେ । ଏହି ଶିଳାଲେଖର ଭାଷା ଆଦୌ ଜାଣି ହେଉନାହିଁ । ପ୍ରତ୍ନତାତ୍ୱିକ ବିଭାଗ ଦୃଷ୍ଟିଦେଲେ ଏ ସଂପର୍କରେ ଅନେକ ତଥ୍ୟ ମିଳି ପାରିବ ।
ଭୀମମଣ୍ଡଳୀ ନିକଟରେ ଥିବା ପ୍ରସ୍ତର କାନ୍ଥରେ ଶିଳାଲିପି ମଧ୍ୟ ରହିଛି । ଭୀମ ମଣ୍ଡଳୀ ଠାରେ ଥିବା ଗୁମ୍ଫା କେତେଦୂର ର୍ପ୍ୟନ୍ତ ଲମ୍ବିଛି ତାହା କହି ହେଉ ନାହିଁ । ଲୋକମାନଂକ ବିଶ୍ୱାସ ଯେ ଏହି ଗୁମ୍ଫା ଅନୁଗୋଳ ଜିଲ୍ଲାର କୌଣସି ଏକ ସ୍ଥାନରେ ବାହାରିଛି ଆଉ କେହି କେହି କୁହନ୍ତି ଏହା ରାଇଲ ର୍ପ୍ୟନ୍ତ ଲମ୍ବିଛି । ଅନ୍ଧକାର ଗୁମ୍ଫା ମଧ୍ୟରେ ଭିତରକୁ ଯାଇ ହେଉନାହିଁ । ଗୁମ୍ଫା ଭିତରକୁ ପଶିବାକୁ ହେଲେ ଅମ୍ଳଜାନର ଆବଶ୍ୟକତା ରହିଛି । ଭୀମମଣ୍ଡଳୀ ନିକଟରେ ଆଉ ଏକ ଦର୍ଶନୀୟ ସ୍ଥାନ ହେଲା ଗୁପ୍ତେଶ୍ୱର । ଗୁପ୍ତେଶ୍ୱର ନିକଟରେ ମଧ୍ୟ ଗୁମ୍ଫା ରହିଛି । ଏହି ଗୁମ୍ଫା ଭିତରକୁ ପ୍ରାୟ ୨୦ ରୁ ୨୫ ଫୁଟ ଯାଏ ପଶି ହେଉଛି । ଗୁପ୍ତେଶ୍ୱର ର ଗୁମ୍ଫା ଭିତରେ ଶିବ ଲିଙ୍ଗ ରହିଛି । ଲୋକମନେ ବିଶ୍ୱାସ କରନ୍ତି ଯେ , କୌଣସି ଭକ୍ତ ମାନସିକ ପୁରଣ ପାଇଁ ସକାଳୁ ସକାଳୁ କାହାରି ମୁହଁ ନ ଚାହିଁ ଗୁପ୍ତେଶ୍ୱର ମହାଦେବଙ୍କ ଶରଣ ନେଲେ ତିନି ଦିନ ମଧ୍ୟରେ ମନସ୍କାମନା ପୂରଣ ହୋଇଯାଏ । ଶୁଣିବାକୁ ମିଳେ ଶିମିଳିପାଳ ,ପେଣ୍ଠବାହାଳ ଘୋଷରାମାଳ ,ରାଇଲ ,କମଳାନାଳୀ,ପଥୁରିଆ , ଶିହିଳିଅ. ଲୋସରା କାଦୋବାହାଳି, ସରଧାପୁର ଆଦି ବହୁ ଗ୍ରାମରୁ ଭକ୍ତମାନେ ଆସି ଅଧିଆ ପଡନ୍ତି ।ଭୀମ ମଣ୍ଡଳୀ ଠାରେ ଥିବା ଗୁମ୍ଫା ଗୁଡିକରେ ଲାଲ୍ ରଙ୍ଗ ଦ୍ୱାରା ଚିତ୍ରିତ ଅନେକ ପଶୁପକ୍ଷୀଙ୍କର ଚିତ୍ର ଦେଖିବାକୁ ମିଳେ ।ଭୀମ ମଣ୍ଡଳୀ ଠାରେ ଥିବା ପଥର ଗୁମ୍ପା ଗୁଡିକରେ ଅନେକ ଗୁଡିଏ ବ୍ରାହ୍ମୀଲିପି ଅଛି ,ଯଥା-ପା,ଲା, ପା, ଇତ୍ୟାଦି .. ଇତ୍ୟାଦି ।
ଯଦି କୌଣସି ଗ୍ରାମରେ ବର୍ଷା ହୁଏ ନାହିଁ ଉକ୍ତଟ ମରୁଡିର ସମ୍ଭାବନା ଥାଏ ସେଇ ଗ୍ରାମରେ ମହିଳାମାନେ ପାଣି କଳସି ଧରି ଗୁପ୍ତେଶ୍ୱର ଆସିଥାନ୍ତି । ହୁଳହୁଳି ଏବଂ ଶଙ୍ଖଧ୍ୱନୀ ମଧ୍ୟରେ ପୂଜାର୍ଚ୍ଚନା କରି ନାରୀମାନେ ନଗ୍ନ ଶରୀରରେ ନୃତ୍ୟ କଲେ ବର୍ଷା ହୋଇଥାଏ । ଏହା ମଧ୍ୟ ଲୋକମାନଙ୍କର ବିଶ୍ୱାସ ରହିଛି ଗୁପ୍ତେଶ୍ୱର ନିକଟରେ ଏକ ଛୋଟିଆ ଜଳପ୍ରପାତ ରହିଛି । ପୂର୍ବେ ଏହି ଜଳପ୍ରପାତଟିରୁ ଅହର୍ନିଶ ଜଳ ଝରୁଥିଲା | କିନ୍ତୁ ଏବେ ଗ୍ରୀଷ୍ମଋତୁରେ ସେଠାରୁ ପାଣି ଝରୁ ନଥିବା ଜଣା ଯାଏ । ପ୍ରତିବର୍ଷ ବୈଷାଖ ମାସ ଅଷ୍ଟମୀ ତିଥିରେ ତିନିଦିନ ଧରି ଭୀମମଣ୍ଡଳୀରେ ୧୯୯୩ ମସିହା ଠାରୁ ଏକ ବିରାଟ ନାମଯଜ୍ଞ ହେଉଛି । ଭୀମମଣ୍ଡଳୀ ଯେ କୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଏକ ସ୍ଥାନ | ଅଥଚ ପର୍ଯ୍ୟଟନ ବିଭାଗର ଅଲକ୍ଷ୍ୟରେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଟି ଅବହେଳିତ ହୋଇ ପଡିରହିଛି । ଭୀମ ମଣ୍ଡଳୀର ଚତୁଃପାର୍ଶ୍ଵ ଅରଣ୍ୟାଚ୍ଛାଦିତ । ଏଠାରେ ଏକ ମିନି ଚିଡିଆଖାନା କଲେ ସ୍ଥାନର ଗୁରୁତ୍ୱ ବୃଦ୍ଧି ପାଆନ୍ତା |