ହେଡଲାଇନସ୍:

କ୍ରୋଧ ଓ ଲୋଭକୁ ସମ୍ଭରଣ କରିବା ମଣିଷର କର୍ତବ୍ୟ: ପଦ୍ମଶ୍ରୀ ନାଗ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଜେଲରେ ହାସ୍ୟକବି ସମ୍ମିଳନୀ,ପୁସ୍ତକ ଉନ୍ମୋଚିତ

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ସବଜେଲରେ ଆଜି ୭୩ତମ ସ୍ୱାଧୀନତା ଦିବସ ଅବସରରେ ଏକ ହାସ୍ୟକବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବରେ ଯୁବନେତା ସୁବ୍ରତ ସିଂହ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବରେ ପଦ୍ମଶ୍ରୀ ଲୋକକବି ହଲଧର ନାଗ,ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଆଇଆଇସି ନିର୍ମଳ କୁମାର ମହାପାତ୍ର ଓ ଓକିଲ ଦ୍ୟୁତିଶ  ଆଚାର୍ଯ୍ୟ ଯୋଗ ଦେଇଥିଲେ । କବି ସ୍ୱର୍ଗତ ସଂଜିବ ବଣିଆଁଙ୍କ ଫଟୋ ଚିତ୍ର ସମ୍ମୁଖରେ ପଦ୍ମଶ୍ରୀ ଲୋକକବି ହଲଧର ନାଗ ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ୱାଗତ ଭାଷଣ ଦେଇଥିଲେ ଜେଲର୍ ଅଂଜଳୀ ପଟେଲ । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ବୁଦ୍ଧଦେବ ଭୋଇ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବ୍ୟଙ୍ଗକବି ଅଚ୍ୟୁତ ପୁରୋହିତ । ପଦ୍ମଶ୍ରୀ ହଲଧର ନାଗ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ଅନ୍ତେବାସୀଙ୍କୁ କହିଥିଲେ ଯେ,ମଣିଷ ଜାଣତରେ ହେଉ କି ଅଜାଣତରେ ହେଉ ଭୁଲ କରିଥାଏ । ତାର ପରିମାଣ ସ୍ୱରୂପ ଆଇନ ଅନୁସାରେ ଦଣ୍ଡିତ ହୋଇ କାରାବରଣ କରିଥାଏ । ଜେଲ ଭିତରେ ରହି ସଂସ୍କାରିତ ହୋଇ ପାରିଲେ ମଣିଷ ଜନ୍ମ ସାର୍ଥକ ହୋଇଥାଏ । କ୍ରୋଧ ଓ ଲୋଭକୁ ସମ୍ଭରଣ କରିବା ମଣିଷର କର୍ତବ୍ୟ । ପଦ୍ମଶ୍ରୀ ହଲଧର ନାଗ ତାଙ୍କ ଦୁଇଟି ସ୍ୱରଚିତ କବିତା ପାଠ କରିଥିବାବେଳେ କବି ଉପôନ୍ନ ଭୋଇ,ନିତିଶ ଆଚାର୍ଯ୍ୟ ଓ ମନୋରଂଜନ ଲୁହା ପ୍ରମୁଖ ବ୍ୟଂଗାତ୍ମକ କବିତା ପାଠ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ହଲଧର ନାଗଙ୍କ ରଚିତ ପୁସ୍ତକ ଋଷି କବି ଗଂଗାଧର ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜେଲର ଅନ୍ତେବାସୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।  ସମସ୍ତ କବିଙ୍କୁ ଉପଢୌକନ  ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

0
0
0
s2sdefault