ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ : ମନ୍ତ୍ରୀ ପ୍ରତାପ ଜେନା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ଼ : ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ । ଏହି ବ୍ଳକ ଗୁଡ଼ିକ ହେଲା ଅତାବିରା, ବରଗଡ଼, ବିଜେପୁର, ବରପାଲି ଓ ଗାଇସିଲେଟ । ହିରାକୁଦ ଜଳଭଣ୍ଡାର ଜିରୋ ପଏଂଟରୁ ଏହି ପ୍ରକଳ୍ପ ପାଇଁ ପାଣି ନିଆଯିବ । ଏଥିପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ରାଜ୍ୟ ସରକାରଙ୍କ ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ବରଗଡ଼ଠାରେ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି । ବରଗଡ଼ ଜିଲ୍ଳାର ସମସ୍ତ ଗ୍ରାମକୁ ଯେପରି ସ୍ୱଚ୍ଛ ପିଇବା ପାଣି ମିଳିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ବିଜେପୁର, ଗାଇସିଲେଟ, ବରପାଲି ଜିଲ୍ଳା ଗସ୍ତ କରିଛନ୍ତି । ବିଜେପୁର ବ୍ଳକରେ କାର୍ଯ୍ୟକାରୀ ହେଉଥିବା ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା । ୧୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଆଗାମୀ ଅକ୍ଟୋବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷହେବ ବୋଲି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ । ଜିଲ୍ଳାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ କୁମାର ସିଂହ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ରାଜଧାନୀରେ ବିଭାଗୀୟ ଅଧିକାରୀ ତଥା ସରକାରୀ ସ୍ତରରେ ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault