ହେଡଲାଇନସ୍:

ରଘୁନାଥପୁର ବ୍ଲକ୍ ରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି : ୧୨୮ ଅଭିଯୋଗ – ଜଳ ସେଚନ ଓ ବିଦ୍ୟୁତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି)ରଘୁନାଥପୁର ବ୍ଲକ୍ ରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ମୋଟ ୧୨୮ ଗୋଟି ଅଭିଯୋଗ ପଂଜିକୃତ ହୋଇଛି । ସେଥିମଧ୍ୟରୁ ଭତା, ରାସନ କାର୍ଡ଼, ସରକାରୀ ବାସ ଗୃହ ସମ୍ପର୍କରେ ମାତ୍ରାଧିକ ଅଭିଯୋଗ ହୋଇଥିବାବେଳେ ଜଳସେଚନ ଓ ବିଦ୍ୟୁତ ସମସ୍ୟାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜ୍ୟୋତି ମହାସଂଘ ସଭା ଗୃହରେ ଅନୁଷ୍ଠିତ ଏହି ଶିବିରରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ସବ କଲେକ୍ଟର ମହେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ଏସପି ବିଶ୍ୱନାଥ ମିଶ୍ର ଉପସ୍ଥିତ ହୋଇ ଅଭିଯୋଗର ଶୁଣାଣୀ କରିଥିଲେ ।

ମାଛଗାଁ ଓ ତାଳଦଣ୍ଡାର ଶାଖା କେନାଲ ଗୁଡ଼ିକରେ ସଫେଇ ହୋଇନଥିବା , ବିଦ୍ୟୁତ ବିଭାଗର ବାରମ୍ବାର ଅଘୋଷିତ ବିଦ୍ୟୁତତ କାଟ , ତହସିଲ ଅଧିନରେ ଥିବା ସମସ୍ତ ରାଜସ୍ୱ ସର୍କଲରେ ନକ୍ସା ନଥିବା ଓ ଆରଆଇ ଅଫିସ ଗୁଡ଼ିକ ଦୁର୍ନିତିର ଗନ୍ତାଘର ପାଲଟିଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଜଗନ୍ନାଥପୁର ସରପଂଚ ପୁଷ୍ପଲତା ସୁତାର ନିଜ ପଂଚାୟତର ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିଥିଲେ । ସରପଂଚ ଶେଷଦେବ ସେଠୀ, ସରୋଜ କୁମାର ଦାସ, କବିତା ନାୟକ, ସମିତି ସଭ୍ୟ ମେହେବୁବ ବେଗ, ନୀଲୁବାଳା ମହାନ୍ତି ପ୍ରମୁଖ ବିଡ଼ିଓ ଙ୍କ ଅସହଯୋଗ ଓ ବିଭିନ୍ନ କ୍ଷେତ୍ରରେ ପଂଚାୟତ ପ୍ରତିନିଧିଙ୍କୁ ହଇରାଣ କରାଯାଉଥିବା ସମ୍ପର୍କରେ ଅଭିଯୋଗ ଆଣିଥିଲେ । ପୂର୍ବତନ ସରପଂଚ ବିଜନ ମହାପାତ୍ର ବର୍ତି ପଳାଶୋଳ ଆରଡ଼ି ରାସ୍ତା କାର୍ଯ୍ୟରେ ବିଳମ୍ବ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ ରେଢ଼ୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗତ ୨୦୧୭ ମସିହାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଉପଯୁକ୍ତ ଚିକିତ୍ସା ସେବା ନମିଳିବା ସମ୍ପର୍କରେ ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏହାଛଡ଼ା କ୍ୟାନସର ରୋଗୀ ହେମଲତା ଭୋଇ ଓ ପୁରଣ ଓଡ଼ପଡ଼ାର ସାମନ୍ତ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଥିଲା । ଅସହାୟ ନାବାଳିକା ଜଗନ୍ନାଥପୁର ମହାବୀର ସାହିର ସରୋଜିନୀ ସାହୁଙ୍କୁ ଶିଶୁ ସୁଧାର ଗୃହକୁ କୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଏରଡ଼ଙ୍ଗା ପଂଚାୟତର ପକ୍ଷାଘାତ ରୋଗୀ ମନୋଜ କୁମାର ଜେନାଙ୍କୁ ଜିଲାପାଳ ତୁରନ୍ତ ହୁଇଲ ଚେୟାର ପ୍ରଦାନ କରିବା ସହ ୨୫ ହଜାର ଟଙ୍କା ଅନୁଦାନ ଓ ବାସ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଯେ କୌଣସି କାର୍ଯ୍ୟକ୍ରମ ସମ୍ପର୍କରେ ବ୍ଲକ୍ ର ସମସ୍ତ ପଂଚାୟତ ପ୍ରତିନିଧିଙ୍କୁ ଅବଗତ କରାଯିବା ନିମନ୍ତେ ଜିଲାର ସମସ୍ତ ବ୍ଲକ୍ କୁ ଚିଠି କରିବା ପାଇଁ ଜିଲାପାଳ ପିଡ଼ିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ବିଡ଼ିଓ ପଂଚାନନ ପଟାୟତ, ଜିଲା ପଂଚାୟତ ଅଧିକାରୀ ବାଲେଶ୍ୱର କୁମ୍ବାର , ତହସିଲଦାର ଦେବାଶିଷ ପାତ୍ର ଙ୍କ ସମେତ ଜିଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ , ପଂଚାୟତ ପ୍ରତିନିଧି ଉପସ୍ଥିତ ଥିବାବେଳେ ଅଭିଯୋଗ ଗୁଡ଼ିକ ମଧ୍ୟରେ ୪୧ ଟି ଇନ୍ଦିରା ଆବାସ,. ୨୫ ଟି ଭତା, ୧୦ ଟି ରାସନ କାର୍ଡ଼ , ୯ ଟି ଜମି ଜମା, ୧୬ ଟି ସାମୁହିକ କାର୍ଯ୍ୟ , ୩ ଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ, ୧ ଗୋଟି ରେଡ଼କ୍ରସ ସମ୍ପର୍କିତ ସମସ୍ୟାର ସମାଧାନ କରାଯାଇଥିଲା ।

0
0
0
s2sdefault