ହେଡଲାଇନସ୍:

ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଲଟିଛି ଅସରନ୍ତି ଗପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା  ଉଦଘାଟନକୁ ୬ ବର୍ଷ ପୁରିଲାଣି , ଚାଷ ଜମିକୁ ମାଡ଼ିଲାନି ବୁନ୍ଦାଏ ପାଣି
୩୩ ବର୍ଷରେ ୬ ଶହ କିମି ସରିଛି, ଆଉ ୫ଶହ କିମିକୁ କେତେ ବର୍ଷ ଲାଗିବ କେଜାଣି 

ବାରିପଦା(ଦିଲ୍ଲୀପ ମହାନ୍ତି)- ୨୦୧୩ ଜୁଲାଇ ୮ ପୂର୍ବାହ୍ନ ୮ରେ ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜର ଡ଼ାହାଣ ପାର୍ଶ୍ୱ  ମୁଖ୍ୟ କେନାଲରେ ପ୍ରଥମ ପାଣି ଛଡ଼ାଯାଇଥିଲା ଏବଂ ଉକ୍ତ ପାଣି ଦୀର୍ଘ ୫୬.୬ କି.ମି. ରାସ୍ତା ଅତିକ୍ରମ କରି ଉଚ୍ଚଗାଁ ନିକଟରେ ଓଡ଼ିଶା ରାଜ୍ୟକୁ ଜୁଲାଇ ୧୦ରେ ସ୍ପର୍ଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବୃହତ୍ତ ଜଳ ସେଚନ ପ୍ରକଳ୍ପକୁ ୨୦୧୩ ଜୁଲାଇ  ୧୭ରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଗସ୍ତରେ ଆସି ପୂର୍ବାହ୍ନ ୧୦ରେ ବଡ଼ଚାଟରା ନିକଟ ମୁଖ୍ୟ କେନାଲର ଆରଡ଼ି ୧୩୯୮୫ରେ ସୁଇଚ ଦବାଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଶୁଭଉଦଘାଟନ କରାଇଥିଲେ । ଏହା ମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଛୁଞ୍ଚି ମୁନରେ  ମୁନେ ଜମି ଜଳସେଚିତ ସମ୍ଭବ ପର ହୋଇପାରି ନାହିଁ । ଅଧିକନ୍ତୁ, କେନାଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା କାରଣରୁ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇସାରିଛି । ଉକ୍ତ ସୁବର୍ଣ୍ଣରେଖା ବୃହତ୍ତ ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ପରିବାର ସେମାନଙ୍କ ଜମି ହରାଇଥିବା ବେଳେ ସେମାନଙ୍କୁ ଉପଯୁକ୍ତ ବିସ୍ଥାପନ ରାଶି ମିଳିପାରିନଥିବାର ପରିଲକ୍ଷିତ ହୋଇଛି । ପୁଣି ବର୍ଷ ବର୍ଷ ଧରି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ଯେ, ଶେଷ ହେବାର ନାମ ଧରୁ ନାହିଁ । ସୁର୍ଣ୍ଣରେଖା ବୃହତ୍ତ ଜଳସେଚନ ପ୍ରକଳ୍ପ କେତେକଙ୍କ ନିମନ୍ତେ ଦୁଧିଆଳୀ ଗାଈ ସାବ୍ୟସ୍ତ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଫଳରେ ଉକ୍ତ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
             ସୁବର୍ଣ୍ଣରେଖା ଆନ୍ତଃରାଜ୍ୟ ନଦୀ ଝାଡ଼ଖଣ୍ଡ ରାଜ୍ୟ ଛୋଟନାଗପୁର ମାଳଭୂମିରୁ ବାହାରି ଝାଡ଼ଖଣ୍ଡ ରାଜ୍ୟରେ ୨୧୦ କି.ମି., ଓଡ଼ିଶାରେ ୩୦ କିମି. ଓ ପଶ୍ଚିମବଙ୍ଗ ରାଜ୍ୟରେ ୫୦ କି.ମି. ଅତିକ୍ରମ କରି ଓଡ଼ିଶା ରାଜ୍ୟର ବାଲେଶ୍ୱର ଜିଲ୍ଲା ସୀମାନ୍ତ ତାଳସାରୀଠାରେ  ବଙ୍ଗୋପସାଗରରେ ପଡ଼ିଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ନଦୀର ଜଳ ସଂରକ୍ଷଣ ଅଞ୍ଚଳ ୧୩ ହଜାର ୫୯୦ ବର୍ଗ କି.ମି ରହିଥିବା ବେଳେ ଓଡ଼ିଶା ରାଜ୍ୟରେ ୩ ହଜାର ୨୦୧ ବର୍ଗ କି.ମି ଓ ପଶ୍ଚିମବଙ୍ଗ ରାଜ୍ୟରେ ୨ ହଜାର ୧୬୦ ବର୍ଗ କି.ମି. ରହିଛି । ପ୍ରତ୍ୟେକ ବର୍ଷ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ବ୍ୟାପକ ଫସଲ ଓ ଧନଜୀବନ ହାନୀର କାରଣ ପାଲଟି ଯାଇଥାଏ । ଉକ୍ତ ଚିରସ୍ରୋତା ନଦୀର ବହୁମୂଲ୍ୟ ଜଳରାଶିର ସତ୍ବିନିଯୋଗର ମହତ୍ ପରିକଳ୍ପନା କରାଯାଇ ୧୯୭୬ରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ପୁଣି ଏହା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବା କାରଣରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଦୀ ଜଳ ଆବଣ୍ଟନର ଏକ ପରିମାଣ ଧାର୍ଯ୍ୟ କରାଯାଇଥିଲା । ଏହି ସମୟରେ ଝାଡ଼ଖଣ୍ଡ ରାଜ୍ୟ ଜନ୍ମ ନେଇ ନଥିବା କାରଣରୁ ୧୯୭୬ ଓ ୭୮ରେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମନ୍ୱୟରେ ୩୨ : ୧୨ : ୦୧ ଅନୁପାତରେ ନଦୀ ଜଳ ଆବଣ୍ଟନ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହିପରି ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ଓ ଓଡ଼ିଶା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ ବିହାର ରାଜ୍ୟରେ ସୁବର୍ଣ୍ଣରେଖା ବହୁମୁଖୀ ଜଳସେଚନ ଯୋଜନା ଓ ଓଡ଼ିଶାରେ ସୁବର୍ଣ୍ଣରେଖା ଜଳସେଚନ ଯୋଜନା ମଧ୍ୟରୁ ବିହାର(ବର୍ତ୍ତମାନର ଝାଡ଼ଖଣ୍ଡ) ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଚାନ୍ଦିଲିବନ୍ଧ ଓ ଇଚ୍ଛାବନ୍ଧର ନିର୍ମାଣ, ଗାଲୁଡ଼ିହି ବ୍ୟାରେଜ ଏବଂ ଗାଲୁଡ଼ିହି ଦକ୍ଷିଣ ପାର୍ଶ୍ୱ କେନାଲର ନିର୍ମାଣ କାର୍ଯ୍ୟ  ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ମିଳିତ ଆର୍ଥିକ ସହଯୋଗରେ କାର୍ଯ୍ୟକାରୀ ହୋଇଥିବା ସମୟରେ ଏଥି ନିମନ୍ତେ ଓଡ଼ିଶା ସରକାର ଝାଡ଼ଖଣ୍ଡ ସରକାରଙ୍କୁ ଯଥାକ୍ରମେ ୨୬ : ୪୭, ୨୬  : ୪୬, ୮୬  : ୨୦ ଓ ୬ : ୯୪ ପ୍ରତିଶତ ଅନୁପାତରେ ଅଂଶଧନ ପ୍ରଦାନ କରିଛି । ଗାଲୁଡ଼ିହି ଦକ୍ଷିଣ ପାଶ୍ୱର୍ କେନାଲର ଓଡ଼ିଶା ସୀମା ପର୍ଯ୍ୟନ୍ତ ଦୈର୍ଘ୍ୟ ୫୬.୦୪ କି.ମି ହୋଇଥିବା ସମୟରେ ଉକ୍ତ କେନାଲ ମାଧ୍ୟମରେ ଓଡ଼ିଶାକୁ ତାର ଅଂଶ ହିସାବରେ ୧୧୮.୫୦ କୁ୍ୟସେକ ପାଣି ମିଳିବ । ଯାହା ଓଡ଼ିଶାର ମୁଖ୍ୟ କେନାଲ ନାମରେ ପରିଚିତ ଏବଂ ଏହାର ଦୈର୍ଘ୍ୟ ୪୬.୫୦ କି.ମି ଅଟେ । ଏହା ବ୍ୟତୀତ ଓଡ଼ିଶା ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରୁ ସୁବର୍ଣ୍ଣରେଖା ମୁଖ୍ୟ କେନାଲ ଓ ଏହାର ଶାଖା କେନାଲ ସମୂହ ସହ ବେତନଟୀ ଶାଖା କେନାଲ, ପୁରାତନ ହଳଦିଆ ବନ୍ଧର ପୁନଃନିର୍ମାଣ ଓ ନବୀକରଣ, ଜମ୍ଭୀରାବନ୍ଧ ଓ ଏହାର ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ, ବାଉରାବନ୍ଧ , ବୈଶିଙ୍ଗା ମୁଖ୍ୟ କେନାଲ ନିର୍ମାଣ ଏବଂ ସୁବର୍ଣ୍ଣରେଖା ଶାଖା କେନାଲ ନିର୍ମାଣ କାର୍ଯ୍ୟ ଅନ୍ୟତମ । ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ମୋଟ୧୧ଶହ କି.ମି.ର କେନାଲ ନିର୍ମାଣ ହେବାର ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ମଧ୍ୟରୁ ୬୦୦ କିମି କାର୍ଯ୍ୟ ଶେଷ ହୋଇଛି । ଏଥି ନିମନ୍ତେ ସମୟ ଲାଗିଛି ପ୍ରାୟ ୩୩ ବର୍ଷରୁ ଅଧିକ । ଅବଶିଷ୍ଟ ୫ ଶହ କି.ମି. କେନାଲର ନିର୍ମାଣ କାର୍ଯ୍ୟ  ଶେଷ ହେବାକୁ କେତେବର୍ଷ ସମୟ ଲାଗିବ ତାହା କେବଳ ସମୟ ହିଁ କହିପାରିବ ।
                         ସୁବର୍ଣ୍ଣରେଖା ଜଳ ସେଚନ ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବାରିପଦା ବ୍ଲକରେ ୧୧ ହଜାର ୫୧୩ ହେକ୍ଟର, ବେତନଟୀ ବ୍ଲକରେ ସର୍ବାଧିକ ୨୧ ହଜାର ୭୩୨ ହେକ୍ଟର, ସାରସକଣା ବ୍ଲକରେ ୬ ହଜାର ୨୯ ହେକ୍ଟର, କୁଳିଅଣା ବ୍ଲକରେ ୭ ହଜାର ୮୨୧ ହେକ୍ଟର, ଶାମାଖୁଣ୍ଟା ବ୍ଲକରେ ୮୭୧ ହେକ୍ଟର, ରାସଗୋବିନ୍ଦପୁର ବ୍ଲକରେ ୫ ହଜାର ୬୦ ହେକ୍ଟର, ବଡ଼ସାହି ବ୍ଲକରେ ୪ ହଜାର ୪୩୪ ହେକ୍ଟର, ବାଙ୍ଗିରିପୋଷି ବ୍ଲକରେ ୯୫୬ ହେକ୍ଟର , ଶୁଳିଆପଦା ବ୍ଲକରେ ୧୫ ହଜାର ୨୧୩ ହେକ୍ଟର ଏବଂ ମୋରଡ଼ା ବ୍ଲକରେ ୨୧ ହଜାର ୨୨ ହେକ୍ଟର ଏହି ମୋଟ ୧୦ ବ୍ଲକରେ୯୪ ହଜାର ୬୫୫ ହେକ୍ଟର ଚାଷ ଜମିକୁ ଜଳସେଚନ କରାବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର ବ୍ଲକରେ ୧ ହଜାର ୨୫୩ ହେକ୍ଟର, ରେମୁଣା ବ୍ଲକରେ ୧ ହଜାର ୨ ହେକ୍ଟର, ବସ୍ତା ବ୍ଲକରେ ୨ ହଜାର ୪୮୮ ହେକ୍ଟର ଓ ଜଳେଶ୍ୱର ବ୍ଲକରେ ସର୍ବାଧିକ ୧୦ ହଜାର ୨୯୯ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିପାରିବ ।
                  ୧୯୮୭ରୁ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଯୋଜନା ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ଜମ୍ଭୀରା ସଙ୍କୋଚିତ ବନ୍ଧର ନିର୍ମାଣ କାର୍ଯ୍ୟ ନାବାଡର଼୍ ସହାୟତାରେ ସମ୍ପୂର୍ଣ୍ଣ କରାଯାଇ ଏହାର ଦକ୍ଷିଣ ପାଶ୍ୱର୍ କେନାଲ ମାଧ୍ୟମରେ ୨୦୦୦ରୁ ୩ ହଜାର ୫୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯାଇଛି । ସେହିପରି ୧୯୯୬-୯୭ରେ ଭାରତ ସରକାରଙ୍କ ଏଆଇବିପି ଯୋଜନାରେ ଉକ୍ତ ପ୍ରକଳ୍ପର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିଛି । ୨୦୦୯ରେ ପ୍ରକଳ୍ପର ଆକଳନ ୪୦୪୯.୯୩ କୋଟିରେ ପହଁଞ୍ଚିଥିଲା । ଏହା ମଧ୍ୟରୁ ଝାଡ଼ଖଣ୍ଡ ରାଜ୍ୟକୁ ୮୧୭.୫୨ କୋଟି ଟଙ୍କା ମିଳିତ କାର୍ଯ୍ୟ ବାବଦରେ ପ୍ରଦାନ କରାଯାଇଥିଲା । ୨୦୧୦ ପର୍ଯ୍ୟନ୍ତ ମୋଟ ୧,୬୧୮.୪୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସମୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୧୨-୧୩ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରି ନଥିଲା । ୨୦୧୭-୧୮ ଆର୍ଥିକ ବର୍ଷର ଜୁନ ଶେଷ ସୁଦ୍ଧା ଓଡ଼ିଶା ସରକାର, ନାବାଡର଼୍ ଓ ଆଇବିପି ପକ୍ଷରୁ ମୋଟ୩୯୧୫.୩୯୬୨ କୋଟି ଟଙ୍କା ବ୍ୟୟ ହୋଇସାରିଛି ।  ରଖାଯାଇଥିବା ସମୟରେ ନିର୍ମାଣ କାର୍ଯ୍ୟ ନିମନ୍ତେ କ୍ଷତିଗ୍ରସ୍ତ ସମୁଦାୟ ୧୦୯ଟି ରାଜସ୍ୱ ଗ୍ରାମର ଜନସାଧାରଣଙ୍କୁ ପୁର୍ନବାସ ଓ ଥଇଥାନ ନୀତି ୨୦୦୬ ଅନୁଯାୟୀ ଥଇଥାନ ଓ ପୁର୍ନବାସ ଯୋଗାଇ ଦିଆଯାଉଛି । ଏଥି ସହିତ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ଆତ୍ମ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ନୂଆ ସୁଯୋଗରେ ସାମିଲ କରାଇବା ନିମନ୍ତେ ସେମାନଙ୍କ ଦକ୍ଷତା ଅନୁସାରେ ଦକ୍ଷତା ବୃଦ୍ଧି କରାଇବା ଉଦେ୍ଧଶ୍ୟରେ ଧନ୍ଦାମୂଳକ ତାଲିମ ଆଦି ଯୋଗାଇ ଦିଆଯାଉଛି । କିନ୍ତୁ, ବିସ୍ଥାପିତମାନେ ହରାଇଥିବା ଜମି ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ ପ୍ରଦାନ କରାଯାଉନଥିବାର ଅଭିଯୋଗ ହେଉଛି । ସେହିପରି ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ମୁଖ୍ୟ ଓ ଶାଖା କେନାଲ ନଷ୍ଟ ହେବାରେ ଲାଗିଛି । ବିଭାଗୀୟ ଅଧିକାରୀ କର୍ମଚାରୀମାନଙ୍କ ନିମନ୍ତେ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଏକ ଦୁଧିଆଳୀ ଗାଈ ସଦୃଶ୍ୟ ହୋଇଥିବାରୁ  ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ସ୍ଥାୟୀତ୍ୱ, କାର୍ଯ୍ୟଦକ୍ଷତା ଓ ଭବିଷ୍ୟତ ଜନସାଧାରଣଙ୍କ ନିମନ୍ତେ ଏକ ପ୍ରଶ୍ନବାଚୀ ହୋଇଯାଇଛି ।

0
0
0
s2sdefault