ହେଡଲାଇନସ୍:

ରାୟଗଡା ପୌରପାଳିକା ତରଫରୁ ୱାର୍ଡସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା(ସରୋଜ ସାହୁ)  ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷରେ ରାୟଗଡା ପୌରପାଳିକା ପକ୍ଷରୁ ଏକ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା କାର୍ଯ୍ୟକ୍ରମ ପୌରପାଳିକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏଥି ସଙ୍ଗେ ସଙ୍ଗେ ସହରର ବିଭିନ୍ନ ସ୍ଥାନରେ ମାଂସ ବିକ୍ରୟ (ଉଭୟ କୁକୁଡା ଓ ଛେଳି) କେନ୍ଦ୍ର ମାନ ଖୋଲି ଜୀବିକା ନିର୍ବାହ କରୁଥିବା ବିକ୍ରେତାମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଇ ସଚେତନ କରାଯାଇଥିଲା । ମାଛ ବିକ୍ରେତା ମାନେ ବହୁ ସଂଖ୍ୟାରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ମାଂସ ବିକ୍ରେତା ମାନେ ହାଟକୁ ଚାଲି ଯାଇଥିବାରୁ ଯୋଗ ଦେଇ ପାରିନଥିଲେ । ତେଣୁ ସେମାନଙ୍କ ପାଇଁ  ପୁଣି ଥରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସଚେତନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ସୂଚନା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଚଳିତ ବର୍ଷ ଜୁଲାଇ ମାସ ୨୯ ତାରିଖରେ ଆରମ୍ଭ ହୋଇ ଆହୁରି ସପ୍ତାହେ ପର୍ଯ୍ୟନ୍ତ ଚାଲିବ ବୋଲି ସେ ପ୍ରକାଶ କରିଥିଲେ । ବର୍ତମାନ ସୁଧା ଏହି କାର୍ଯ୍ୟକ୍ରମ ସହରର ୫ ଗୋଟି ୱାର୍ଡକୁ ନେଇ ହୋଇଥିବା ବେଳେ ଆଗାମୀ  ଦିନରେ ସହରର ଅନ୍ୟ ସବୁ ୱାର୍ଡ ବାସିନ୍ଦାଙ୍କୁ ନେଇ କରାଯିବ ବୋଲି ଶ୍ରୀ ଶତପଥି ପ୍ରକାଶ କରିଥିଲେ । ଏହି ଅବସରରେ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସମ୍ବୋଧିତ କରି ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ପରିଣାମ ଉପରେ ଆଲୋକପାତ କରିଥିଲେ । ସଂପୁର୍ଣ ସହରକୁ ପଲିଥିନ ମୁକ୍ତ କରିବା ଏବଂ ପ୍ରତ୍ୟେକ ଘରୁ ସଂଗୃହିତ କରାଯାଉଥିବା ଅଳିଆ ଆବର୍ଜନାର କିସମ ପୃଥକିକରଣ ପ୍ରଣାଳୀ ଓ ପରେ ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସହରରୁ ସଂଗ୍ରହ କରାଯାଉଥିବା ଅଳିଆ ଆବର୍ଜନା ଆଦିରୁ ଜରିକୁ ଅଲଗା କରିବା ସହ ପ୍ଲାଷ୍ଟିକ ଜାତୀୟ ଏବଂ ଓଦା ବର୍ଜ୍ୟବସ୍ତୁର ସମୂହକୁ ପୃଥକ କରି ସେଥିରୁ ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ବିକ୍ରି ଯୋଗ୍ୟ ବସ୍ତୁ ଗୁଡିକୁ ବିକ୍ରି କରାଯାଇ ସେଥିରୁ ଉପାର୍ଜିତ ଅର୍ଥକୁ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ସରକାର କରିଥିବା ସେ ପ୍ରକାଶ କରିଥିଲେ । ସହରରୁ ସଂଗୃହିତ ଅଳିଆ ଆବର୍ଜନାର ସୁପରିଚାଳନା ଓ ସୁବ୍ୟବସ୍ଥିତ ଉପାୟରେ ଏହାକୁ ଉପାଦେୟ ପଦାର୍ଥ ଯଥା ସାରରେ ପରିଣତ କରି ବିକ୍ରି ଯୋଗ୍ୟ କରାଯିବା କଥା ମଧ୍ୟ କହିଥିଲେ । ଏଥିପାଇଁ ୧୪ ଗୋଟି କୁଣ୍ଡ ପ୍ରସ୍ତୁତ କରାଯାଇ ସେଥିରେ ବର୍ଜ୍ୟବସ୍ତୁ ଜମାକରି ତାହାକୁ ପ୍ରକ୍ରିୟାକରଣ (ବୈଜ୍ଞାନିକ ଉପାୟରେ) କରାଯାଇ ଖତସାରରେ ପରିଣତ କରାଯାଇ ଏକ ଲାଭ ଦାୟକ ବ୍ୟବସାୟ ହୋଇପାରିବ ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହି ସୁପରିଚାଳନା ଓ ପ୍ରକ୍ରିୟାକରଣ ପଦ୍ଧତି ଅବଲମ୍ବନରେ ସହରକୁ ସୂନ୍ଦର, ସ୍ୱଚ୍ଛ ଓ ପରିଷ୍କାର ରଖାଯାଇ ପାରିବ ବୋଲି ମଧ୍ୟ କହିଥିଲେ । ଭାରତ ସରକାରଙ୍କ ମାନ ନିର୍ଦ୍ଧାରଣ ବିଭାଗ ତରଫରୁ ରାୟଗଡା ସହରକୁ ମଳମୁକ୍ତ ଅଂଚଳ ଭାବେ ଘୋଷଣା କରାଯାଇ ସାର୍ଟିଫାଇ କରାଯାଇଥିବା ସେ କହିଥିଲେ । ଏକ କରଖାନା ସ୍ଥାପନ କରାଯାଇ ସହରରୁ ସଂଗୃହିତ ମଳକୁ ବ୍ୟବହାର ଯୋଗ୍ୟ କରାଯିବା ପାଇଁ ସରକାରୀ ବ୍ୟବସ୍ଥା ରହିଛି ଏଥି ପାଇଁ ଅଳ୍ପ ଦିନରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏଥିସହ କୋରାପୁଚର ଏକ କାରଖାନା ସହ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରାଯାଇଛି ଫଳରେ ସହରର ଓଦା ମଇଳା (କପଡା, କାଠିକୁଟା ଓ କାଠଖଣ୍ଡ ଇତ୍ୟାଦି) ବିକ୍ରି କରାଯାଇ ପାରିବ ବୋଲି ଶ୍ରୀ ଶତପଥି କହିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଇ, ଏମଇ, ସାନିଟାରି ଏକ୍ସପର୍ଟ, ଏଲଇଡି ଲାଇଟ ଏକ୍ସପର୍ଟ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault