ଚୌଦ୍ୱାର ପେପର ମିଲ "ବିଲଟ୍': ରୌପ୍ୟ ଜୟନ୍ତୀର ଜାଲିଆତି!
""ଦୀର୍ଘ ୧୫ବର୍ଷ ଧରି ବିଲଟ କାଗଜ କଳକୁ ବନ୍ଦ କରି ହଜାର ହଜାର ପରିବାରଙ୍କ ଦାନାପାଣି ବୁଡାଇଲା । ଆମମାନଙ୍କ ଆରାଧ୍ୟ ଦେବତାଙ୍କ ଜମି ନେଲା । ଆମମାନଙ୍କ ଜମିକୁ ଆମର ଜୀବନ ଜୀବକା ପାଇଁ ସରକାର ଦେଇଥିଲେ । ବିଲଟ୍ ୧୦ବର୍ଷ କାଗଜ କଳ ଚଳାଇବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମ୍ପତ୍ତି ହଡ଼ପ । ଷଡ଼ଯନ୍ତ୍ର କରି ବିଲଟ୍ ଲକ୍ଷାଧିକ ଟଙ୍କାର ଲାଭ ଉଠାଇ ସରକାରଙ୍କୁ ଠକି ଚାଲିଲା ଏବଂ ଶେଷରେ ସବୁ ଆଇନ କାନୁନକୁ ଫାଙ୍କି ଦେଇ ୧୫ ବର୍ଷ ଧରି କମ୍ପାନୀ ବନ୍ଦ କରି ରଖିଛି ।
ବିଭୂତି ପତିଙ୍କ ଅନୁସନ୍ଧାନମୂଳକ ରିପୋର୍ଟ : କଟକ ଜିଲ୍ଲା ଓ ଏହାର ଉପକଣ୍ଠ ଅଞ୍ଚଳକୁ ଶିଳ୍ପ ସମୃଦ୍ଧ କରି ସ୍ଥାନୀୟ ଜନସାଧାରଣଙ୍କ ଜୀବନଜୀବିକାକୁ ଉନ୍ନତି କରିବାକୁ ଆଧୁନିକ ଓଡ଼ିଶାର ଶ୍ରେଷ୍ଠ ନିର୍ମାତା ଡ଼କ୍ଟର ହରେକୃଷ୍ଣ ମହତାବ ସବୁବେଳେ ଚିନ୍ତା କରିଆସୁଥିଲେ । ଆଧୁନିକ ଓଡ଼ିଶାର ସୁଯୋଗ୍ୟ ବିନ୍ଧାଣି ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ସମୃଦ୍ଧ କଟକ ଗଠନ ଓ ନିର୍ମାଣର ସ୍ୱପ୍ନ ଓ ସଂଘର୍ଷ କାହାଣୀ ସ୍ୱାଧୀନତାର ବହୁପୂର୍ବରୁ ଆରମ୍ଭ ହୋଇଥିଲା । ନିଜର ସ୍ୱପ୍ନକୁ ସାକାର କରିବାକୁ ଏବଂ ସଫଳ ରୂପାୟନ ପାଇଁ ଡ଼କ୍ଟର ମହତାବ ସ୍ୱାଧୀନତାର ମାତ୍ର ୬ବର୍ଷ ପରେ ୧୯୫୩ମସିହାରେ ଚୌଦ୍ୱାରା ନିକଟସ୍ଥ ସୁଲତାନପୁର, ଜେନିପୁର, ନରସିଂହପୁର, ଦୌଲତାବାଦ ଓ ଛତିଶା ପ୍ରଭୃତି ଗାଁଗଣ୍ଡାରେ ଶିଳ୍ପ ସ୍ଥାପନ ଅୟମାରମ୍ଭ କରି ଜମି ଅଧିଗ୍ରହଣ କରିଥିଲେ । ବ୍ରିଟିଶ ସରକାରଙ୍କର ଏକଛତ୍ରବାଦୀ ଶାସକ ଗୋଷ୍ଠୀ ଡ଼କ୍ଟର ମହତାବଙ୍କ ବଳିଷ୍ଠ ନୀତି ଆଦର୍ଶ ଓ ସଂଘର୍ଷ ଆଗରେ ୧୮୮୦ ମସିହାରେ ହାର ମାନିଯାଇଥିଲେ । ଫଳରେ ୧୮୮୦ ମସିହାରେ ଏକ ପୁରୁଣା କାଗଜକଳର ମେସିନ୍ ଚୌଦ୍ୱାର ଅଞ୍ଚଳକୁ ଅଣାଯାଇଥିଲା । ଏହି ମେସିନଟି ""ବାର୍ଡ଼ ଏବଂ ହିଲଜର''କମ୍ପାନୀର ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରେ ଥିବା ""ଟିଟାଗଡ଼ ପେପର ମିଲ୍'' ର ଏହି ମେସିନ ଥିଲା ଏବଂ ଏହାର ମାଲିକାନା ସତ୍ତ୍ୱ ରହିଥିଲା ବାର୍ଡ଼ ଏବଂ ହିଲଜର ପାଖରେ । ପରବର୍ତ୍ତୀ ସମୟରେ ଚୌଦ୍ୱାରର ଉପରୋକ୍ତ ଗାଁ ଗଣ୍ଡା ଟିଟାଗଡ଼ ବା ଟିପିଏମ୍ (ଟିଟାଗଡ଼ ପେପର ମିଲ୍) ଅଞ୍ଚଳ ଭାବେ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା ।
ଗ୍ରାମବାସୀମାନେ ଅକୁଣ୍ଠ ଚିତ୍ତରେ ନିଜର ଜମି ଦାନ କରିଥିଲେ । ଏପରିକି ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଦେବୋତ୍ତୋର ଜମି ମୂଖ୍ୟତଃ ଶ୍ରୀ ଗନ୍ଧର୍ବନାଥ ଠାକୁରଙ୍କର ପ୍ରାୟ ୨୦୦ଏକରରୁ ଉର୍ଦ୍ଧ୍ବ ଜମି ଟିଟାଗଡ଼ ପେପରମିଲ୍ (ଟିପିଏମ୍) କୁ ଦିଆଯାଇଥିଲା । ୧୯୬୦ ମସିହାରେ ସ୍ଥାନୀୟ ଅଞ୍ଚଳବାସୀ ଓ ଡ଼କ୍ଟର ମହତାବଙ୍କ ସ୍ୱପ୍ନ ସାକାର ହୋଇ ଟପିଏମର କାଗଜ ଉତ୍ପାଦନ ଆରମ୍ଭ ହେଲା । ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ରଞ୍ଜନ ଦାସ କୁହନ୍ତି,""ସେହି ସମୟରେ ଆମେ ପାଦରେ ଚାଲିଚାଲି ସ୍କୁଲ ପିଲାମାନେ ଶିକ୍ଷକମାନଙ୍କ ସହିତ କାଗଜ କଳ ଦେଖିବାକୁ ଯାଇଥିଲୁ । ଟିଟାଗଡ଼ ପେପର ମିଲର ସମଗ୍ର ଜମିରେ ପାଚେରୀ ହୋଇନଥିଲା । ଗୋଟାଏ ଉଡ଼ାଜାହାଜରେ କାଗଜ ଲୋଡ଼ ହୋଇ ଏଠାରୁ ଯିବାର ଆମେ ଦେଖିଛୁ '' । ସେହିପରି ଅନ୍ୟଜଣେ ବୟସ୍କ ବ୍ୟକ୍ତି ତଥା ଟପିଏମର ପୂର୍ବତନ କର୍ମଚାରୀ ଅତୁଲ ପ୍ରଧାନ କୁହନ୍ତି,"" ଏଠାରୁ ଉତ୍ପାଦିତ କାଗଜ ଭାରତ ସରକାରଙ୍କ ଡ଼ାକଘର (ପୋଷ୍ଟ ଅଫିସ) ପୋଷ୍ଟକାର୍ଡ ଓ ରେଭେନ୍ୟୁ ଷ୍ଟାମ୍ପ ପ୍ରସ୍ତୁତ ହେବାର ପ୍ରମାଣ ରହିଛି । ଟପିଏମ୍ ହାତୀମାର୍କା କାଗଜ ସେହି ସମୟରେ ଭାରତରେ ଖ୍ୟାତି ସୃଷ୍ଟି କରି କଟକ ପାଇଁ ସ୍ୱତନ୍ତ୍ର ସମ୍ମାନ ଓ ଓଡ଼ିଶା ପାଇଁ ଗର୍ବ ଆଣିଥିଲା । ଏହାର ଶ୍ରେୟ କେବଳ ଡ଼କ୍ଟର ମହତାବଙ୍କର ରହିଥିଲା ।
ଚୌଦ୍ୱାରର ଟିଟାଗଡ଼ ପେପରମିଲ୍ (କାଗଜ କଳ) ଆରମ୍ଭ ହେବା ପୂର୍ବରୁ ପଶ୍ଚିମ ବଙ୍ଗରେ ଇଂରେଜମାନେ ଦୁଇଟି କାଗଜ କଳ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଚୌଦ୍ୱାର ଟପିଏମ୍ କାଗଜ କଳ ଓ ପଶ୍ଚିମ ବଙ୍ଗର ଦୁଇଟି କାଗଜ କଳ, ମୋଟ ୩ଟି କାଗଜ କଳର ମାଲିକାନା ସତ୍ତ୍ୱ "ବାର୍ଡ଼ ଏବଂ ହିଲଜର' କମ୍ପାନୀ ଅଧିନରେ ରହିଥିଲା । ଇଂରେଜମାନେ ଭାରତ ଛାଡ଼ି ଚାଲିଯିବା ପରେ କଲିକତାର ଜୈନିକ ବ୍ୟକ୍ତିଙ୍କୁ ଟପିଏମର ୩ଟି ଯାକ କାଗଜକଳର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଚୌଦ୍ୱାର ଟପିଏମ୍ ପେପର ମିଲ୍ ""ଟପିଏମ୍-୩'' ନାମରେ ନାମିତ ହୋଇଥିଲା ।
ପରବର୍ତ୍ତୀ ସମୟରେ ଟପିଏମର କାର୍ଯ୍ୟରତ ଶ୍ରମିକ, କମ୍ପାନୀର ପରିଚାଳକ ଓ ପଦାଧିକାରୀ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ୧୩.୦୩.୧୯୫୬ ମସିହାରେ ୧୯୪୬ ଇଣ୍ଡଷ୍ଟ୍ରିଆଲ ଆକ୍ଟ ଅନୁଯାୟୀ ଏକ ଷ୍ଟାଣ୍ଡିଂ ଅର୍ଡର ସ୍ୱାକ୍ଷର ହୋଇଥିଲା । ଏହି ଷ୍ଟାଣ୍ଡି ଅର୍ଡର ର ସ୍ୱାକ୍ଷର ମୁତାବକ ଟପିଏମ୍-୩ କୁ ଜମି ଓ ଯନ୍ତ୍ରାଂଶ ତଥା ମେସିନ୍ ପ୍ରଭୃତି ସମ୍ପତ୍ତି ହସ୍ତାନ୍ତର କରାଯାଇଥିଲା । ଏହାପରେ କାଗଜ କଳ (ପେପର ମିଲ) କମ୍ପାନୀ "ଦି ବୋଡର଼୍ ଫର ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍ ଫାଇନାନ୍ସସିଆଲ ରିକନ୍ଷ୍ଟ୍ରକ୍ସନ'' (ବିଆଇଏଫ୍ଆର) ଅଧିନରେ ପଞ୍ଜିକୃତ ହେଲା । ଇତିମଧ୍ୟରେ ୧୯୮୫ ଏବଂ ୮୬ ମସିହାରେ ଯଥାକ୍ରମେ ନଭେମ୍ବର ଓ ଜାନୁୟାରୀ ମାସରେ ପଶ୍ଚିମ ବଙ୍ଗର ଦୁଇଟି ପେପର ମିଲ୍ ବନ୍ଦ ହୋଇଗଲା । ୧୯୮୮ ମସିହାରେ ଚୌଦ୍ୱାର ସ୍ଥିତ ଟପିଏମ୍-୩ ପେପର ମିଲ୍ ଦେବାଳିଆ ଏବଂ ରୁଗ୍ଣ ହେବାର ପଥରେ ମାଡ଼ିଚାଲିଲା ଏବଂ ୯୦ ଦଶକରେ ତାଲା ଝୁଲିଲା । ସମସ୍ତେ ମିଳିମିଶି ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଆଧୁନିକ ଓଡ଼ିଶାର ଏକ ସ୍ୱର୍ଣ୍ଣ ଅଧ୍ୟାୟକୁ ନିଶ୍ଚିହ୍ନ କରିବାର କ୍ଷେତ୍ର ପ୍ରସ୍ତୁତିରେ ସାମିଲ ହୋଇଗଲେ ।
କିନ୍ତୁ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଜୁ ପଟ୍ଟନାୟକ ଥିଲେ ସମସ୍ତଙ୍କ ଠାରୁ ଭିନ୍ନ । ଟପିଏମ୍-୩କୁ ବଞ୍ଚାଇ ରଖି ଓଡ଼ିଶା ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ଦୃଢ଼ତାର ସହ ଅଣ୍ଟା ଭିଡ଼ିଲେ ଏବଂ ନିଜର ନିଷ୍ଠାପର ଉଦ୍ୟମ ଆରମ୍ଭ କଲେ । । ତତ୍କାଳୀନ ଭାରତ ସରକାରଙ୍କ ଯୋଜନା କମିଶନ୍ ତଥା ଦେଶର ବିଶିଷ୍ଟ ଅର୍ଥନିତିଜ୍ଞ ମଧୁ ଦଣ୍ଡବତେଙ୍କ ସହିତ ବିଜୁ ବାବୁ ଟପିଏମର ପୁନରୁଦ୍ଧାର ପାଇଁ ଯୋଗାଯୋଗ ଆରମ୍ଭ କଲେ । ବିଜୁ ବାବୁଙ୍କ ସହିତ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ମଧ୍ୟ ସାମିଲ ହେଲେ । ମଧୁ ଦଣ୍ଡବତେ, ବିଜୁ ବାବୁ ଓ ଜ୍ୟୋତି ବସୁ ଏବଂ ବିଆଇଏଫ୍ଆର ପଦାଧିକାରୀମାନେ ୪.୧୧.୧୯୮୮ ମସିହାରେ ପୁରୀଠାରେ ଏକତ୍ର ହୋଇ ଏକ ବୈଠକରେ ସାମିଲ ହେଲେ । ବିଜୁ ବାବୁ ନିଜ ଉଦ୍ୟମରେ ଚୌଦ୍ୱାର ସ୍ଥିତ ପେପର ମିଲ ଟପିଏମ୍-୩ର ବାଲାନ୍ସସିଟ୍ ଏବଂ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଅଲଗା କରି ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଅଧିନକୁ ଆଣିବାରେ ସଫଳ ହେଲେ ।
ଚୌଦ୍ୱାର ପେପର ମିଲ୍ ଟପିଏମ୍-୩ ର ପୁନରୁଦ୍ଧାର, ଆଧୁନୀକରଣ ଓ ସଂପ୍ରସାରଣ ପାଇଁ ବିଜୁ ବାବୁ ସେହି ସମୟରେ ଦେଶର ୪ଜଣ ବିଶିଷ୍ଟ ଶିଳ୍ପପତିଙ୍କୁ ଡ଼କାଇ ଆଲୋଚନା ଆରମ୍ଭ କରିଥିଲେ । ପରିଶେଷରେ ବିଆଇଏଫ୍ଆର ସହାୟତାରେ ୨୧.୧୨.୯୦ରେ ବୁଝାମଣା ମୁତାବକ ""ଏମ୍ଓୟୁ'' ଚୁକ୍ତି ସ୍ୱାକ୍ଷର ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଏବଂ ଟପିଏମ୍-୩ର ସମସ୍ତ ସମ୍ପତ୍ତିକୁ ମାତ୍ର ୧୨କୋଟି ଟଙ୍କାରେ ବଲାରପୁର ଇଣ୍ଡଷ୍ଟ୍ରି(ବିଲଟ୍) କୁ ଦିଆଯିବାକୁ ସ୍ଥିର କରାଗଲା । ଏହି ୧୨କୋଟି ଟଙ୍କାରୁ ୬କୋଟି ଟଙ୍କା ଶ୍ରମିକମାନଙ୍କ ବକେୟା ପାଉଣା ଓ ଅନ୍ୟାନ୍ୟ ବାବଦକୁ ଏବଂ ଅବଶିଷ୍ଟ ୬କୋଟି ଟଙ୍କା ଜମି ବାବଦକୁ ୭ଦିନ ଭିତରେ ଦେବାକୁ, ବିଲଟର ବରିଷ୍ଠ ଉପସଭାପତି (ପେପର ଡ଼ିଭିଜନ), ଓଡ଼ିଶା ସରକାରଙ୍କର ତତ୍କାଳୀନ ଶିଳ୍ପ ବିଭାଗର କମିଶନର -କମ୍-ସେକ୍ରେଟାରୀ ସରିତା ଜୟନ୍ତ ଦାସଙ୍କ ମଧ୍ୟରେ ୨୦.୦୪.୧୯୯୧ରେ ଏମ୍ଓୟୁ ସ୍ୱାକ୍ଷର ହୋଇଥିଲା । ପେପର ମିଲ୍ ପରିଚାଳନା ପାଇଁ ବିଲଟ୍ କାଗଜକଳକୁ କଞ୍ଚାମାଲ ସଂଗ୍ରହ କରିବାକୁ ଅନୁଗୋଳ, ଦଶପଲ୍ଲା ଓ ନୟାଗଡ଼ ଠାରେ ପ୍ରାୟ ୧୦୦୦୦ ହେକ୍ଟର ରୁ ଉର୍ଧ୍ଵ ବାଉଁଶ ଜଙ୍ଗଲ ଓଡ଼ିଶା ସରକାର ଯୋଗାଇ ଦେଇଥିଲେ । ଏହାସହିତ ଟିପିମ୍ -୩ର ଅନୁଗୋଳରେ ଥିବା ଏକର ଏକର ମୂଲ୍ୟବାନ ସମ୍ପତ୍ତିକୁ ମଧ୍ୟ ବିଲଟ୍ କୁ ଦିଆଯାଇଥିଲା । ଚୌଦ୍ୱାର ଟପିଏମ୍-୩ ର ପ୍ରାୟ ୫୮୪.୬୦ଏକର ଜମିକୁ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଚୌଦ୍ୱାର ଠାରେ କାଗଜ କାରଖାନା ଶିଳ୍ପ ସ୍ଥାପନ କରି ସ୍ଥାନୀୟ ଜନସାଧାରଣ ଏବଂ ଶ୍ରମିକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପଟ୍ଟାଦାର ସତ୍ତ୍ୱରେ ବିଲ୍ଟକୁ ହସ୍ତାନ୍ତର କରିଥିଲେ । ଏହାପରେ କେନ୍ଦ୍ର ଓ ରାଜ୍ୟ ସରକାର ପାଇବାକୁ ଥିବା ପ୍ରାୟ ୧୦କୋଟି ଟଙ୍କା ଟିକସ ବିଲ୍ଟକୁ ସରକାର ଛାଡ଼ କଲେ । ଏହାସହିତ ବିଲଟ୍ ଉତ୍ପାଦନ ଆରମ୍ଭ କରିବା ଦିନଠାରୁ ୧୦ବର୍ଷ ଧରି କୌଣସି ଟିକସ ଏବଂ ରୟାଲିଟି ପ୍ରଭୃତି ସମସ୍ତ କର ସହିତ ରେଜିଷ୍ଟେସନ୍ ଫିସ୍ ଓ ଷ୍ଟାମ୍ପ୍ ଡ୍ୟୁଟି ମଧ୍ୟ ରାଜ୍ୟ ସରକାର ଛାଡ଼ କରିଦେଇଥିଲେ । ଏହାଥିଲା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢ଼ିତୋଳିବାକୁ ଓଡ଼ିଶା ଜାତିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ଏବଂ ନବ ଉତ୍କଳର ନିର୍ମାତା ଡ଼କ୍ଟର ହରେକୃଷ୍ଣ ମହତାବ ଏବଂ ବରପୁତ୍ର ବିଜୁ ବାବୁଙ୍କ ବିଜୟ ଯାତ୍ରାର କାହାଣୀ । ଯାହା ଆଜି ସ୍ୱର୍ଣ୍ଣ ଅଧ୍ୟାୟର ଇତିହାସ । କିନ୍ତୁ ବର୍ତ୍ତମାନ ଯାହା ଘଟିବାକୁ ଯାଉଛି ଏବଂ ଘଟିଛି ତାହା ଭବିଷ୍ୟତରେ ଏକ ଦୁର୍ନିତୀ, ଶଠତା, ଚଞ୍ଚକତା ସର୍ବୋପରି ଜାଲିଆତିର ଇତିହାସ ସୃଷ୍ଟି କରିବା ଅପେକ୍ଷାରେ ଅପେକ୍ଷାରତ ।
ରୌପ୍ୟ ଜୟନ୍ତୀର ଜାଲିଆତି !
ଦୁଃଖ ଓ ଉଦ୍ବେଗର ପ୍ରସଙ୍ଗ ହେଉଛି ବିଲଟର କେଳେଙ୍କାରୀକୁ ନେଇ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗର ନୀରବତା । ଲକ୍ଷାଧିକ କୋଟି ଟଙ୍କାର ସମ୍ପତ୍ତି ହାତେଇ ନେଇ ଓ କୋଟି କୋଟି ଟଙ୍କାର ଟିକସ ଛାଡ଼ କରାଇ, ବିଲଟ୍ ସର୍ତ୍ତ ମୁତାବକ ଏବଂ ଏମ୍ଓୟୁ ଚୁକ୍ତି ଅନୁଯାୟୀ ଏକାଧିକ ""ଚୁକ୍ତି ଓ ସର୍ତ୍ତ'' ର ଖିଲାପ କରି ଚାଲିବାର ଗୁରୁତର ଅଭିଯୋଗମାନ ସରକାରଙ୍କ ନିକଟରେ ଉପସ୍ଥପାନ କରାଗଲା । ଏପରିକି ୧୦ବର୍ଷ ମଧ୍ୟରେ କମ୍ପାନୀ ପରିଚାଳନା କରି ଅନେକ ସର୍ତ୍ତ ମୁତାବକ କାର୍ଯ୍ୟ କରିନଥିବାର ଅଭିଯୋଗ ତଥ୍ୟ ପ୍ରମାଣ ସହ ବିଭିନ୍ନ ଶ୍ରମିକ ଅନୁଷ୍ଠାନ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରି ଅବଗତ କରାଇଥିଲେ । କାହାରିକୁ ଖାତିର ନ ଥିଲା ବିଲଟ୍ କର୍ତ୍ତୃପକ୍ଷଙ୍କର । ପ୍ରିୟା ପ୍ରତି ତୋଷଣରେ ସବୁକିଛି ସ୍ୱାର୍ଥ ହାସଲ କରୁଥିଲା ମୁନାଫା ଖୋର ବିଲଟ୍ ।
ଓଡିଶା ସରକାରଙ୍କ ବିନା ଅନୁମତିରେ ମନଇଚ୍ଛାରେ ନିଜ ସ୍ୱେଚ୍ଛାଚାରିତା ଶାସନରେ ବିଲଟ୍ ୩୧.୦୩.୨୦୦୩ରେ ପେପର ମିଲରେ ତାଲା ପକାଇ ବନ୍ଦ ଘୋଷଣା କଲା । ଶହ ଶହ ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉଜୁଡିଗଲା । ୫୦୦୦ରୁ ଉର୍ଦ୍ଧ୍ବ ପରିବାରଙ୍କୁ ବିଲଟ୍ ଦାଣ୍ଡର ଭିକାରୀ ସଜାଇ କାଙ୍ଗାଳ କରିଦେଲା । ଅବଶ୍ୟ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ବିଲଟ୍ ନାମରେ କ୍ରିମିନାଲ କେଶ (ନମ୍ବର:୪୧/୨୦୦୩) ଦାୟର ହେଲା । ଏଠାରେ ଉଲ୍ଲେଖ ଯୋଗ୍ୟ ୨୩.୧୨.୨୦୦୩ ରେ ବିଲଟ୍ କତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପେପର ମିଲ ବନ୍ଦ କରିବାକୁ ଅନୁମତି ମାଗିଥିଲେ, ମାତ୍ର ୩୧.୦୩.୨୦୦୩ରେ ମିଲ ବନ୍ଦ ବେଳକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନଥିଲା । ମିଲରେ ତାଲା ପକାଇ ବିଲଟ୍ କତ୍ତୃପକ୍ଷ ମୂଲ୍ୟବାନ ମେସିନ୍ ଓ ଯନ୍ତ୍ରାଂଶ ପ୍ରଭୃତିକୁ କାରଖାନାରୁ ବାହାରକୁ ନେଇ ବିକ୍ରୀ କରିଦେଲେ । ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର କ୍ରିମିନାଲ କେଶ କୁଆଡେ଼ ଗଲା ଏବଂ ଆଇନ ଅନୁଯାୟୀ କ'ଣ ପଦକ୍ଷେପ ଗ୍ରହଣ କରାଗଲା ତାହା ସବୁଦିନ ପାଇଁ ଅନ୍ଧାରରେ ରହିଗଲା, ବୋଲି କୁହନ୍ତି ବଲାରପୁର ଶିଳ୍ପ ସୁରକ୍ଷା କମିଟି ଓ ଶିଳ୍ପ ଶ୍ରମିକ ସଙ୍ଗଠନର ଏକାଧିକ ବ୍ୟକ୍ତି ବିଶେଷ ।
""ଦୀର୍ଘ ୧୫ବର୍ଷ ଧରି ବିଲଟ କାଗଜ କଳକୁ ବନ୍ଦ କରି ହଜାର ହଜାର ପରିବାରଙ୍କ ଦାନାପାଣି ବୁଡାଇଲା । ଆମମାନଙ୍କ ଆରାଧ୍ୟ ଦେବତାଙ୍କ ଜମି ନେଲା । ଆମମାନଙ୍କ ଜମିକୁ ଆମର ଜୀବନ ଜୀବକା ପାଇଁ ସରକାର ଦେଇଥିଲେ । ବିଲଟ୍ ୧୦ବର୍ଷ କାଗଜ କଳ ଚଳାଇବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମ୍ପତ୍ତି ହଡ଼ପ । ଷଡ଼ଯନ୍ତ୍ର କରି ବିଲଟ୍ ଲକ୍ଷାଧିକ ଟଙ୍କାର ଲାଭ ଉଠାଇ ସରକାରଙ୍କୁ ଠକି ଚାଲିଲା ଏବଂ ଶେଷରେ ସବୁ ଆଇନ କାନୁନକୁ ଫାଙ୍କି ଦେଇ ୧୫ ବର୍ଷ ଧରି କମ୍ପାନୀ ବନ୍ଦ କରି ରଖିଛି । ଯେଉଁ ୬ କୋଟି ଟଙ୍କା ବିଲଟ୍ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗକୁ ଦେଇଛି ତାହା ଜମି କିଣିବା ବାବଦରେ ନୁହେଁ । ଆଇନ ଅନୁଯାୟୀ ଶିଳ୍ପ ସ୍ଥାପନ ଏବଂ କାଗଜ କଳ ପରିଚାଳନା କରିବାକୁ ପଟ୍ଟାଦାର ସତ୍ୱରେ ବିଲଟ୍ ଜମି ପାଇଛି । ପୁରୁଣା କାଗଜ କଳ ଟପିଏମ୍-୩ କୁ ଚାଲୁକରି କାର୍ଯ୍ୟକ୍ଷମ କରିବାକୁ ବିଲଟ୍ ରାଜ୍ୟସରକାରଙ୍କଠାରୁ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ ଟଙ୍କାର ଟିକସ ଓ ରୟାଲିଟ ଛାଡପାଇଛି । ବର୍ତ୍ତମାନ କେଉଁ ଆଇନ ଓ ଅଧିକାରରେ ବିଲଟ୍ ଉକ୍ତ ପଟ୍ଟାଦାରିସତ୍ୱ ଜମିକୁ ନିଜ ନାମରେ ସ୍ଥିତିବାନ କରିବାକୁ ରାଜସ୍ୱ ବିଭାଗକୁ ଆବେଦନ କରିଛି?
ପ୍ରାୟ ୫୮୪.୬୦ଏକର ଜମିର ମୂଲ୍ୟ କ'ଣ ୬ କୋଟ ଟଙ୍କା? ଅନ୍ଧ ଆଇନର ଛିଦ୍ର ବାଟ ଦେଇ ସରକାରଙ୍କର କିଛି ଜନ ପ୍ରତିନିଧି ଓ କେତେ ପ୍ରଶାସନିକ ଅଧିକାରଙ୍କୁ ବିଲଟ କର୍ତ୍ତୃପକ୍ଷ ହାତେଇ ନେଇ ଅନୁଗୁଳର ମୂଲ୍ୟବାନ ଜମିକୁ ହଡପ କରି ବିକ୍ରି କରିଛନ୍ତି । ଏହାକୁ ବିରୋଧ କରି ଦୀର୍ଘ ଧରି ଆନେ୍ଦାଳନ ଚାଲିଛି । ଶିଳ୍ପ ବିଭାଗର ଜମିକୁ ରାଜସ୍ୱ ବିଭାଗ ହସ୍ତାନ୍ତର କରିବ କିପରି? ଅନୁଗୁଳ ଜମି ବିକିବାର ଅଧିକାର କିପରି ବିଲଟ୍ ପାଇଲା? ହାଇକୋର୍ଟ ଏ ପରିପ୍ରେକ୍ଷୀରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆମେମାନେ ସୁପ୍ରିମକୋର୍ଟରେ ଆବେଦନ କରିଛୁ । ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାରଙ୍କର ଜନ ପ୍ରତିନିଧି ଏବଂ ବିଭାଗୀୟ ପ୍ରଶାସନିକ ପଦାଧିକାରୀ ବିଲଟର ଏଭଳି ଚଞ୍ଚକତା ପୂର୍ବକ କାର୍ଯ୍ୟକୁ ନୀରବରେ ଦେଖି ଚୁପ୍ ହୋଇ ବସିଗଲେ । ଓଡିଶାର ଓ ଓଡିଆମାନଙ୍କର ସମ୍ପତ୍ତି ହଡପ ହେଉଛି ଅଥଚ ନବୀନ ସରକାର ନିରବଦ୍ରଷ୍ଟା ସାଜିଛନ୍ତି; ବୋଲି ଅନେକ ବୁଦ୍ଧିଜୀବିମାନଙ୍କ ସମେତ ଗୋପାଳ ଅଗ୍ରୱାଲ, ପ୍ରବୀର ସ୍ୱାଇଁ, ସାମ୍ବାଦିକ ଗୁରୁପ୍ରସାଦ ମହାନ୍ତି ଓ ଆକ୍ଟିଭିଷ୍ଟ ଗୁରୁଚରଣ ମହାପାତ୍ର ଅଭିଯୋଗ କରନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ବିଲଟ ବର୍ତ୍ତମାନ ପ୍ରାୟ ୫୮୪.୬୦ଏକର ଜମିର କିସମ ପରିବର୍ତ୍ତନ ପାଇଁ ଚକ୍ରାନ୍ତ ଆରମ୍ଭ କରିଦେଇଛି । ପଟ୍ଟାଦାରି ସୁତ୍ରରେ ଶିଳ୍ପ ସ୍ଥାପନ ଓ କାରଖାନା ପରିଚାଳନା ପାଇଁ ସରକାରଙ୍କ ଶିଳ୍ପ ବିଭାଗ ଠାରୁ ନେଇଥିବା ଉକ୍ତ ଜମିକୁ ଆଜିର ଦିନରେ ସ୍ଥିତିବାନ କରାଇ ନିଜ ନାମରେ କରିବାକୁ ବିଲଟ ରାଜସ୍ୱ ବିଭାଗରେ ଆବେଦନ କରିଥିବାର ପ୍ରମାଣ ମିଳିଛି । ବିଲଟ ଭୁଲି ଯାଉଛି ୫୮୪.୬୦ ଏକର ଜମିର ମାଲିକ ଯଦିଓ ପ୍ରତକ୍ଷରେ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ କିନ୍ତୁ ପରୋକ୍ଷରେ ଏହି ମୂଲ୍ୟବାନ ""ଐତିହାସିକ ସମ୍ପତ୍ତି''ର ମାଲିକ ହେଉଛନ୍ତି ଚୌଦ୍ୱାର-କଟକ ସର୍ବୋପରି ପ୍ରତ୍ୟେକ ଓଡିଆ ଜନସାଧାରଣ । କୌଣସି ପରିସ୍ଥିତିରେ ଓଡିଶାର ଶିଳ୍ପ ବିକାଶର ସ୍ୱର୍ଣ୍ଣ ଇତିହାସ ଲେଖାଯାଇଥିବା ଉପରୋକ୍ତ ଜମିକୁ ଚଞ୍ଚକତା କରି ସ୍ଥିତିବାନ କରିବାର ବିଲଟ୍ ଚକ୍ରାନ୍ତକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଏକାଧିକ ସ୍ୱେଚ୍ଛାସେବୀ ଓ ଶ୍ରମିକ ଅନୁଷ୍ଠାନ ଦୃଢମତ ଦେଉଛନ୍ତି । ବିଜୁ-ମହତାବଙ୍କ ସ୍ୱର୍ଣ୍ଣିମ ଶିଳ୍ପ ଅଧ୍ୟାୟର ଅୟମାରମ୍ଭର ଐତିହ୍ୟ ସ୍ମାରକୀକୁ ଚୌଦ୍ୱାର ଠାରେ ମରିଯିବାକୁ ଦିଆଯିବ ନାହିଁ ।
ତେବେ ରାଜ୍ୟ ସରକାର ଓ ଶିଳ୍ପ ବିଭାଗଙ୍କ ନୀରବତାକୁ ନେଇ ବର୍ତ୍ତମାନ ଦୁର୍ନିତୀର ଅନେକ ସନ୍ଦେହ ସ୍ଥାନୀୟ ଅଞ୍ଚଳର ଦାନା ବାନ୍ଧି ଆନ୍ଦୋଳନ ପାଇଁ ଜନସାଧାରଣ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । ଆଉ ପ୍ରାରମ୍ଭିକ ଭାବେ ବଡ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ପୁନଶ୍ଚ ନବୀନ ପଟ୍ଟନାୟକ ଶିଳ୍ପର ପ୍ରଗତି ପାଇଁ ଦେଶର ବିଭିନ୍ନ ରାଜ୍ୟ ବୁଲିବୁଲି, ଲକ୍ଷାଧିକ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରି "ମେକ ଇନ ଓଡିଶା' ଯୋଜନା ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଘୁରି ବୁଲୁଛନ୍ତି, ଅଥଚ ନିଜ ବାପା ବିଜୁ ବାବୁଙ୍କ ଶିଳ୍ପ ସଂସ୍ଥା ମୃତ ହେଲାଣି ଏବଂ ବିଲଟ୍ ପଦାଧିକାରୀ ଚଞ୍ଚକତା କରି ଜମି ହଡପ କରିବାକୁ ବସିଲେଣି | ହେଲେ ରାଜ୍ୟ ସରକାରଙ୍କ ଏହିଁ ପ୍ରସଙ୍ଗରେ ନୀରବତାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଅନ୍ୟପଟରେ ଓଡିଶାର ବୁଦ୍ଧିଜୀବି, କେତେକ ରାଜନୈତିକ ନେତା,ଏବଂ ବ୍ୟକ୍ତିବିଶେଷ କୁହନ୍ତି, ""ବାହାନା ବନାଇ ୧୦ବର୍ଷ କମ୍ପାନୀ ଚଲାଇ, ମିଛ ସ୍ୱପ୍ନ ଦେଖାଇ, ବିଲଟ୍ କାରଖାନା ବନ୍ଦ କରି ଜମି ହଡପ କରିବାର ଚକ୍ରାନ୍ତ ପ୍ରଥମରୁ ରଚାଇଥିଲା । ୧୫ବର୍ଷ ଧରି ବିଲଟ ପେପର ମିଲକୁ ବନ୍ଦ କରି ରଖି ହଜାର ହଜାର ପରିବାର ସର୍ବସ୍ୱାନ୍ତ କରିଦେଇଛି । ତଥାପି ରାଜ୍ୟ ସରକାରଙ୍କର ନିଦ ଭାଙ୍ଗୁନି ? ବିଲଟ ବିରୋଧରେ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଜନ ଆନ୍ଦୋଳନ ହେଲାଣି ଅଥଚ ବିଜେଡିର ସ୍ଥାନୀୟ ଜନପ୍ରତିନିଧି ଏବଂ ନବୀନ ସରକାରଙ୍କ ଶିଳ୍ପ ବିଭାଗ ଚୁପ୍ । ଓଡିଶାର ଜମି ଓ ଓଡିଆଙ୍କ ସମ୍ପତ୍ତିକୁ ହଡପ କରିବାକୁ ବିଲଟ କର୍ତ୍ତୁପକ୍ଷଙ୍କର ଏହା ଏକ ୨୫ବର୍ଷ ତଳର ସୁଚିନ୍ତିତ ଷଡଯନ୍ତ୍ର । ଏହାକୁ ବିଲଟର ରୌପ୍ୟ ଜୟନ୍ତୀର ଜାଲିଆତି ବୋଲି ବର୍ତ୍ତମାନ କହିଲେ ଅତ୍ୟୁକ୍ତି ହେବନାହିଁ । ବିଲଟ କତ୍ତୃପକ୍ଷଙ୍କ ଏହି ଶଠତା ପ୍ରବୃତ୍ତି ପାଇଁ ରାଜ୍ୟ ସରକାରଂକ ସ୍ଥାଣୁତା, ସ୍ଥାନୀୟ ନିର୍ବାଚିତ ପୂର୍ବତନ ଓ ବର୍ତ୍ତମାନ ବିଧାୟକ ଓ ସାଂସଦ ପ୍ରଭୃତି ସଂପୂର୍ଣ୍ଣ ଦାୟୀ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରନ୍ତି । ସ୍ଥାନୀୟ ବିଧାୟକ ଓ ସଂସଦଙ୍କ ନୀରବତା ପଚାରେ କିଛି ଅଦୃଶ୍ୟ କାରଣ ନାହିଁତ | ଏଜ ସହିତ ରାଜ୍ୟରେ ବିରୋଧୀଦଳ ମଧ୍ୟ ଏ ପ୍ରସଙ୍ଗରେ ନିରବ ରହିବା ବି ସନ୍ଦେହ ଘେରରେ |
ଏଇଠି ଅଟକି ନାହିଁ ବିଲଟ କର୍ତ୍ତୃପକ୍ଷଙ୍କ ଜାଲିଆତି ବେପାର । ଟପିଏମ୍-୩ ପେପର ମିଲରେ ଥିବା ମୂଲ୍ୟବାନ ପୁରାତନ ଲୁହା ମେସିନ୍, ଯନ୍ତ୍ରପାତିକୁ ନେଇ "ସ୍କ୍ରାପ୍' ଆକାରରେ କବାଡିଆଙ୍କୁ ବିଲଟ ପକ୍ଷରୁ ବିକ୍ରୀ କରାଯାଇଛି ବୋଲି ଅଭିଯୋଗ ହେଉଛି । ଏହାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ହେଲା ଏବଂ ଓଡିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହେଲା । ଉକ୍ତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ମାନ୍ୟବର ହାଇକୋର୍ଟଙ୍କୁ ବିଲଟ୍ କର୍ତ୍ତୃପକ୍ଷ ସତ୍ୟପାଠ ଜରିଆରେ ଜଣାଇଲେ, ""ସେମାନେ ପୁରୁଣା ଅଦରକାରୀ, ଅଚଳ ଓ ଅବ୍ୟବହୃତ ଲୁହା ଯନ୍ତ୍ରପାତି ଓ ମେସିନ ପ୍ରଭୃତିକୁ ଏଠାରୁ ସ୍ଥାନାନ୍ତର କରି, ଏହାପରେ ସେଠାରେ ସେମାନେ ଏକ ଅତ୍ୟାଧୁନିକ ""ଗ୍ରୀନ୍ ଫିଲଡ୍ ପ୍ରୋଜେକ୍ଟ''ର କାରଖାନା ସ୍ଥାପନ କରିବେ । ମାତ୍ର ଇତିମଧ୍ୟରେ ୧୫ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ବିଲଟ ସେହି ଅଞ୍ଚଳରେ ଗାଣ୍ଡୁଆଏ ଗୋଡି ପକାଇ ନାହିଁ । ଏହା ଦ୍ୱାରା ବିଲଟ କତ୍ତୃପକ୍ଷ ମାନ୍ୟବର ହାଇକୋର୍ଟକୁ ମଧ୍ୟ ଧପେଇ ଦେଇଛନ୍ତି । ଏହା କ'ଣ କୋର୍ଟ ଅବମାନନା ନୁହେଁ ? ତେବେ ପ୍ରଶ୍ନ ଉଠୁଛି ଶିଳ୍ପ ବିଭାଗର ଓ ଆଇନ ବିଭାଗର ବରିଷ୍ଠ ପ୍ରଶାସନିକ ପଦାଧିକାରୀମାନେ କାହିଁକି ସ୍ଥାଣୁ ପାଲଟିଛନ୍ତି? ଓଡିଆ ଜାତିର ଶିଳ୍ପ ବିକାଶର ଇତିହାସକୁ ମାଟିରେ ମିଶାଇ ଦେବାର ଦୂରାଭିସନ୍ଧିର ଷଡଯନ୍ତ୍ର ସାଙ୍ଗକୁ ଓଡିଶାର ସମ୍ପତ୍ତିକୁ ଶିଳ୍ପ ପ୍ରତିଷ୍ଠାର ମିଛ ପ୍ରତିଶୃତି ଦେଇ, ଏପରିକି ମାନ୍ୟବର ଓଡିଶା ହାଇକୋର୍ଟକୁ ମିଛ କହି, ଠକିଦେଇ ଜାଲିଆତି କରି ହଡପ କରିବାର ବିଲଟର ସୁଚିନ୍ତିତ ଚକ୍ରାନ୍ତ କ'ଣ ନବୀନ ପଟ୍ଟନାୟକଙ୍କ ବାସ୍ତବ ଶିଳ୍ପ ପ୍ରଗତିର ପ୍ରତିଶୃତିର ପରିପନ୍ଥୀ ନୁହେଁ ତ ?
"ଇତି ମଧ୍ୟରେ ୧୫ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଲଟ ଉକ୍ତ ଜମିରେ ଇଟା ଖଣ୍ଡେ ପକାଇ ନାହିଁ କିମ୍ବା ଶିଳ୍ପ ସ୍ଥାପନ କରିବାର ନାଁ ନାହିଁ । ତେଣୁ ଆଇନ ଅନୁଯାୟୀ ଉକ୍ତ ପଟ୍ଟାଦାରି ସତ୍ତ୍ୱ ସ୍ୱତଃପ୍ରବୃତ୍ତ ଭାବେ ରଦ୍ଦ ହୋଇଯାଇଛି । ତେବେ ରାଜ୍ୟ ସରକାର କାହିଁକି ଆଇନ ଗତ ଦିଗରୁ ଏଦିଗରେ ପଦକ୍ଷେପ ଗ୍ରହଣ କରିନାହାନ୍ତି ତାହା ମୁଁ ବୁଝିପାରୁନାହିଁ । ବିଲଟ ଶିଳ୍ପ ସ୍ଥାପନ ଓ ପେପର ମିଲ ପରିଚାଳନା କରିବାକୁ ଚୁକ୍ତି କରି ସରକାରୀ ଟିକସ ଓ ରୟାଲିଟ ଛାଡ ପାଇଛି । ଲୋକଙ୍କର ଜୀବନଜୀବିକାର ସୁରକ୍ଷା ପାଇଁ ଶିଳ୍ପ ସ୍ଥାପନ କରିବାକୁ ଚୁକ୍ତି ସ୍ୱାକ୍ଷର କରି ପଟ୍ଟାଦାରି ସୁତ୍ରରେ ଉକ୍ତ ଜମିକୁ ବିଲଟ କତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗଠାରୁ ନେଇଛନ୍ତି । ତେଣୁ ବର୍ତ୍ତମାନ ଚୁକ୍ତି ଓ ସର୍ତ୍ତର ଖିଲାପ କରି କେଉଁ ଆଇନ ବଳରେ ଉକ୍ତ ୫୮୪.୬୦ଏକର ଜମିକୁ ସ୍ଥତିବାନ କରାଯିବାକୁ ବିଲଟ୍ ଆବେଦନ କରିଛି କିପରି? ପୁନଶ୍ଚ ଯେଉଁ ଉଦ୍ଦେଶ୍ୟ ଓ କାର୍ଯ୍ୟ ତଥା ଅଭିପ୍ରାୟରେ ଜମି ଶିଳ୍ପ ସଂସ୍ଥା ନେଇଥାଏ ସେହି ଉଦ୍ଦେଶ୍ୟ, କାର୍ଯ୍ୟ ପାଇଁ ତାହା ବ୍ୟବହାର ନ ହେଲେ ତାହା ସରକାରଙ୍କ ପାଖକୁ ଫେରିଯିବ ବୋଲି ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏପରି ପରିସ୍ଥିତିରେ ବିଲଟ ସ୍ଥିତିବାନ ପାଇଁ ଆବେଦନ କରିଥିବା ଉକ୍ତ ଜମିକୁ କେଉଁ ଆଇନ ବଳରେ ସ୍ଥାନୀୟ ତହସିଲଦାର କଟକ ଜିଲ୍ଲାପାଳଙ୍କୁ ପଠାଇଲେ ? ଆଇନସମ୍ମତ ଭାବେ ଜିଲ୍ଲାପାଳ ବିଲଟର ଆବେଦନକୁ ଯଥାଶୀଘ୍ର ଖାରଜ କରିଦେବା ଉଚିତ । ପୁନଶ୍ଚ ଏହା ଶିଳ୍ପ ବିଭାଗର ଜମି, ରାଜସ୍ୱ ବିଭାଗର ନୁହେଁ । ଏଥିରୁ ସ୍ପଷ୍ଟ ବୁଝାପଡୁଛି ଏହା ଦେହରେ ରାଜନୈତିକ କିମ୍ବା ପ୍ରଶାସନିକ ହସ୍ତକ୍ଷେପ ରହୁଛି'' ବୋଲି କୁହନ୍ତି ଜମିଜମା ଆଇନ ବିଶେଷଜ୍ଞ ତଥା ଆଇନଜୀବୀ ଗୋପିନାଥ ମିଶ୍ର ।
"ଯେଉଁ ଭଳି ଉପାୟରେ ଟପିଏମ୍-୩କୁ ବିଆଇଏଫଆର ସହଯୋଗରେ ପୁନରୁଦ୍ଧାର କରିବାକୁ ବିଜୁ ବାବୁ ବିଲଟକୁ ଦେଇଥିଲେ ଠିକ୍ ସେହିପରି ଯଦି ବିଲଟ ଦେବାଳିଆ, ରୁଗ୍ଣ ତଥା କାଗଜ କଳକୁ ୧୫ ବର୍ଷ ଧରି ଚଳାଇବାକୁ ସକ୍ଷମ ହେଲା ନାହିଁ, ତେବେ ନୂଆ ଅତ୍ୟାଧୁନିକ କାଗଜକଳ ସ୍ଥାପନ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ନୂଆ ଶିଳ୍ପପତିମାନଙ୍କୁ ଆହ୍ୱାନ କରନ୍ତୁ । ବିଲଟ୍ ଠାରୁ ଶିଳ୍ପ ବିଭାଗ କାଗଜ କଳକୁ ନିଜ ହାତକୁ ନେଇ ଅନ୍ୟ ଅତ୍ୟାଧୁନିକ କାଗଜ କଳ ଶିଳ୍ପ ସଂସ୍ଥାକୁ ଦିଆଯାଉ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଓ ଜନସାଧାରଣଙ୍କ ଜୀବନଜୀବିକା ଓ ସ୍ୱାର୍ଥର ସୁରକ୍ଷା ହୋଇପାରିବ" ବୋଲି ଆଇନିଜୀବୀ ଶ୍ରୀଯୁକ୍ତ ଗୋପିନାଥ ମିଶ୍ର କୁହନ୍ତି ।
ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ସ୍ଥାନୀୟ ଅଞ୍ଚଳରୁ ବିଜେଡିର ଏକାଧିକବାର ବିଧାୟକ ହୋଇଥିବା ପ୍ରଭାତ ବିଶ୍ୱାଳଙ୍କ ପ୍ରତିକ୍ରୀୟା । ବଲାରପୁର ପେପର ମିଲର ସୁରକ୍ଷା ଓ ପୁନରୁଦ୍ଧାର ନାରା ଦେଇ କ୍ଷମତା ଦଖଲ କରିଥିବା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବର୍ତ୍ତମାନ ଏଭଳି ପ୍ରସଙ୍ଗରୁ ମୁହଁ ଫେରାଇ ନେଇଛନ୍ତି । ବିଲଟର ଅନୈତିକ କାର୍ଯ୍ୟ, ଚଞ୍ଚକତା ଓ ଜନମାରଣ ନୀତି ବିରୋଧରେ ପ୍ରଭାତ ବିଶ୍ୱାଳ ସଂପୂର୍ଣ୍ଣ ନିରବ । ଏ ପ୍ରସଙ୍ଗରେ ଶ୍ରୀ ପ୍ରଭାତ ବିଶ୍ୱାଳ କହୁଛନ୍ତି "" ମୁଁ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଏବଂ କିଛି ଜାଣିନାହିଁ । ତେଣୁ କୌଣସି ମତାମତ ଦେଇପାରିବି ନାହିଁ ।'' ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଏକାଧିକ ଧାରଣା, ଆନ୍ଦୋଳନ , ଘେରାଉ ଓ ପଦଯାତ୍ରା କରିଥିଲେ ମଧ୍ୟ ପ୍ରଭାତ ବିଶ୍ୱାଳ ବିଲଟର କେଳେଙ୍କାରୀ ବିଷୟରେ ବିଧାୟକ ରହି କିଛି ଜାଣି ପାରିଲେନି କିପରି । ପୁନଶ୍ଚ ୧୫ ବର୍ଷ ଧରି ବିଲଟ୍ ବନ୍ଦ ରହିଛି, ଏଥିପାଇଁ ଲୋକପ୍ରତିନିଧି ଭାବେ ଖୋଦ୍ ତତ୍କାଳୀନ ବିଧାୟକ ବିଶ୍ୱାଳ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ |। ବର୍ତ୍ତମାନ କ୍ଷମତାର ଉପଭୋଗ ପାଇଁ ପ୍ରଭାତ ବିଶ୍ୱାଳ ଜନସାଧାରଣଙ୍କର ସ୍ୱାର୍ଥକୁ ମାରି ଦେଉଛନ୍ତି ଏବଂ ବିଲଟ୍ ବିରୋଧରେ ମୁହଁ ଖୋଲୁନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଗୁରୁତର ଅଭିଯୋଗ ହେଉଛି ।
ବିଲଟ କର୍ତ୍ତୁପକ୍ଷ ମାନ୍ୟବର ହାଇକୋର୍ଟଙ୍କୁ ମିଛ କହିବା ସହିତ ଓଡିଶା ସରକାରଙ୍କୁ ମଧ୍ୟ ଭୁତେଇବାକୁ ପଛେଇ ନାହାନ୍ତି । ଏଥିରୁ ସ୍ପଷ୍ଟ ବୁଝାପଡୁଛି ବିଲଟ କର୍ତ୍ତୁପକ୍ଷଙ୍କ ଜାଲିଆତି କରିବାର ପ୍ରବୃତି । ୩୦/୧୨/୨୦୦୫ ପ୍ରଶ୍ନ ନମ୍ବର ୨୩୧, ବିଧାନସଭାରେ ତତ୍କାଳୀନ ଶିଳ୍ପ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ବିଲଟ କାଗଜ କଳ କର୍ତ୍ତୃପକ୍ଷ ଉକ୍ତ କାରଖାନାକୁ ନବୀକରଣ କରିବାକୁ କୌଣସି ସମୟରେ ଘୋଷଣା କରିନାହାନ୍ତି । ବରଂ କଞ୍ଚାମାଲର ଅଭାବ ଦର୍ଶାଇ କାରଖାନା ବନ୍ଦ କରିଦେଇଛନ୍ତି । ବିଲଟ୍ କର୍ତ୍ତୁପକ୍ଷ ନବୀକରଣ ପରିବର୍ତ୍ତେ ଅନ୍ୟ ଏକ ଉଦ୍ୟୋଗ ପ୍ରତିଷ୍ଠାର Feasibility Study କରିବାକୁ Consultant ନିଯୁକ୍ତି କହିଛନ୍ତି ବୋଲି ସରକାରଙ୍କୁ ଜଣାଇଥିଲେ ।
ଠିକ୍ ସେହିପରି ବିଧାନସଭାରେ ଧର୍ମେନ୍ଦ୍ର ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନ, ନମ୍ବର ୩୦୩ରେ ତକ୍ରାଳୀନ ଶିଳ୍ପ ମନ୍ତ୍ରୀ ୧୦/୧୨/୨୦୦୮ରେ ବିଲଟ୍ କର୍ତ୍ତୃପକ୍ଷ ସରକାରଙ୍କୁ ଜଣାଇଥିବା ତଥ୍ୟ ଅନୁଯାୟୀ ଉତ୍ତର ଦେବାକୁ ଯାଇ ଦର୍ଶାଇଥିଲେ, ବଲାରପୁର କର୍ତ୍ତୃପକ୍ଷ ସମ୍ଭାବ୍ୟ ପ୍ରକଳ୍ପ ବିଷୟରେ Techno Economic Analysis କରି ପରାମର୍ଶ ଦେବା ପାଇଁ ପରାମର୍ଶଦାତା ନିଯୁକ୍ତି କରିଛନ୍ତି ।
ଧର୍ମାନନ୍ଦ ବେହେରାଙ୍କ ସେଦିନର ମୂଳ ପ୍ରଶ୍ନ, "୬ବର୍ଷ ଧରି ବିଲଟ କାରଖାନା ବନ୍ଦ ହେବା ସତ୍ତ୍ୱେ ବିଲଟ କତ୍ତୃପକ୍ଷ ନୂତନ ଶିଳ୍ପ ପ୍ରତିଷ୍ଠା ର ନା'ଗନ୍ଧ ଧରିବାର ପ୍ରଶ୍ନ ନାହିଁ', ଏହାର ଉତ୍ତର ଗୃହରେ ସରକାର ଦେଇ ନଥିଲେ । କାରଣ ସରକାରଙ୍କ ପାଖରେ ହୁଏତ ସେଭଳି କୌଣସି ତଥ୍ୟ କିମ୍ବା ସୂଚନା ବିଲଟ କର୍ତ୍ତୃପକ୍ଷ ଦେଇନାହାନ୍ତି ବୋଲି ପ୍ରମାଣ ମିଳୁଛି ।
ମାନ୍ୟବର ହାଇକୋର୍ଟଙ୍କୁ ଗ୍ରୀନ୍ ଫିଲ୍ଡ ପ୍ରୋଜେକ୍ଟର ନାଁ ନେଇ ଧପେଇବା ସହିତ ଓଡିଶା ସରକାରଙ୍କୁ ଭିନ୍ନ ଭିନ୍ନ କଥା କହି ବିଲଟ କତୃପକ୍ଷ ଭୁତେଇ ଚାଲିଛନ୍ତି ଦୀର୍ଘ ୧୫ ବର୍ଷ ଧରି । ଏହା କ'ଣ ଜାଲିଆତି ନୁହେଁ?
କାଗଜ କଳର ୫୮୪.୬୦ ଏକର ଜମିର ଆଜିର ଦିନରେ ମୂଲ୍ୟ ପ୍ରାୟ ୨,୫୦୦/- ରୁ ୩୦୦୦/- କୋଟି ରୁ ଉଦ୍ଧ୍ୱର୍ ଟଙ୍କା ହେବ । ଏହି ସର୍ବସାଧାରଣଙ୍କ ସମ୍ପତ୍ତିକୁ ବିଲଟ ଚଞ୍ଚକତା ପୂର୍ବକ ହାତେଇ ନେବାକୁ ବସିଲାଣି । ଏଭଳି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା କରି ଓଡିଶାର ଶିଳ୍ପ ଇତିହାସର ସ୍ମାରକୀ ଚୌଦ୍ୱାର କାଗଜ କଳର ଗୌରବ ସୁରକ୍ଷିତ ରଖିବାକୁ ଦୃଢ ପଦକ୍ଷେପ ନେଲେ, ନବୀନ ବାବୁଙ୍କ ଶିଳ୍ପ ବିକାଶର ସ୍ଲୋଗାନ ଓ ""ମେକ୍ ଇନ୍ ଓଡିଶା'' ପ୍ରଚାର ସଫଳ ହେବ । ନଚେତ ଏହା କେବଳ ଏକ ରାଜନୈତିକ ପ୍ରଚାର ଓ ଧୂଆଁ ବାଣ ବୋଲି ପ୍ରମାଣ ହେବ ।
ତେବେ ପ୍ରଶ୍ନ ଉଠୁଛି ବିଜୁ-ମହତାବଙ୍କ ଶିଳ୍ପ ବିକାଶର ସ୍ୱର୍ଣ୍ଣ ଇତିହାସକୁ କ'ଣ କବର ପାଇବା ? ଏହି ପ୍ରଶ୍ନର ଉତ୍ତର ଉପରେ ବରପୁତ୍ର ବିଜୁ ବାବୁଙ୍କ ଅମର ଆତ୍ମାର ଇତିହାସ ଲିପିବଦ୍ଧ ହୋଇ ରହିଛି ଏହାକୁ ବିଳମ୍ବରେ ହେଲେ ବି ରାଜ୍ୟ ସରକାର ବୁଝିବେ ବୋଲି ଆଶା କରିଛନ୍ତି ଜନସାଧାରଣ ଓ ବୁଦ୍ଧିଜୀବୀ । ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଡକ୍ଟର ମହତାବଙ୍କ ପୁଣ୍ୟ ଜୀବନର ସ୍ମାରକୀ ସୃଷ୍ଟି ହୋଇ ଓଡିଶାର ଗର୍ବ ଓ ଗୌରବ ଲେଖା ହୋଇଛି, କାଗଜ କଳ ଯଦି ମରିଯାଏ ତେବେ ବିଜୁ-ମହତାବଙ୍କ ଜୀବନର ମହାନ କିର୍ତ୍ତୀ ଓ ଓଡିଶାର ଗର୍ବ ଗୌରବ ମରିଯିବ । ଆମେ ଏହା ଭୁଲିଯିବା ଉଚିତ୍ ନୁହେଁ । ତେବେ ବିଜୁ ବାବୁଙ୍କ ଅମ୍ଳାନ କୀର୍ତ୍ତିର ଇତିହାସ ଲେଖାଥିବା ସମାଧି ଉପରେ ଚୌଦ୍ୱାର କାଗଜ କଳକୁ ନବୀନ ବାବୁ ଅମର କରି ରଖିବେ ନା' ସେହି ଅମର କୀର୍ତ୍ତିର ସମାଧିକୁ ପାଇବ ତାହା ଇତିହାସ ଦେଖିବାକୁ ବାକି ରହିଛି ।
ବିଲଟ କର୍ତ୍ତୁୁପକ୍ଷ ଦୟାକରି କହିବେ କି ?
ପ୍ରଶ୍ନ - ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଶୁଣାଣି ସମୟରେ ଆପଣ (ବିଲଟ୍ କର୍ତ୍ତୁପକ୍ଷ) ସତ୍ୟପାଠରେ ଦର୍ଶାଇଥିଲେ ପେପର ମିଲରୁ ବାହାରକୁ ନେଇଯାଉଥିବା ଲୁହା ଯନ୍ତ୍ରପାତି ଓ ମେସିନ (ଯାହାକୁ ସ୍କ୍ରାପ୍ ଆକାରରେ ଲକ୍ଷାଧିକ ଟଙ୍କାରେ ବିକିବାର ଚର୍ଚ୍ଚା ହେଉଛି) ପ୍ରତିବଦଳରେ ସେଠାରେ ଆପଣ ଗ୍ରୀନ୍ ଫିଲଡ ପ୍ରକଳ୍ପ ବା କାରଖାନା ସ୍ଥାପନ କରିବେ । ୧୫ ବର୍ଷ ବିତିଗଲାଣି ଅଥଚ ପ୍ରକଳ୍ପର ନାଁ ଗନ୍ଧ ନାହିଁ କାହିଁକି ? ଏହାଦ୍ୱାରା ଆପଣ ଅଦାଲତ ଅବମାନନା କରିନାହାନ୍ତି କି ?
ପ୍ରଶ୍ନ - ଯେଉଁ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ମେସିନ୍ କୁ ଆପଣ ନେଲେ ତାହା କୁଆଡେ଼ ଗଲା ? ଯଦି ଆପଣ ତାହା ସ୍କ୍ରାପ୍ କରି କବାଡ଼ିଆକୁ ବିକିଲେ ଏଥିପାଇଁ ଆପଣ କାହାର ଅନୁମତି ନେଇଥିଲେ ଏବଂ କେତେ ଟଙ୍କାରେ ବିକିଲେ ? ଦୁଃଖର କଥା ଏହା ସହିତ ଓଡ଼ିଶାର ଶିଳ୍ପ ବିକାଶ ମୁଖ୍ୟତଃ କାଗଜକଳର ଇତିହାସ ଲିପିବଦ୍ଧ ହୋଇ ରହିଥିଲା । ଏହି ପୁରାତନ ଯନ୍ତ୍ରପାତିକୁ ଓ ମେସିନକୁ ଓଡ଼ିଶାର ମ୍ୟୁଜିଅମରେ ରଖାଯାଇପାରିଥାନ୍ତା ।
ପ୍ରଶ୍ନ - ସରକାରଙ୍କ ପାଖରେ ଆପଣ ୨୩.୦୩.୨୦୦୩ରେ ମିଲ ତାଲା ପକାଇବାକୁ ଅନୁମତି ମାଗିଥିଲେ ମାତ୍ର ଆପଣଙ୍କୁ ଅନୁମତି ମିଳିବାର ପ୍ରମାଣ ଦେବେ ? ଯଦି ଅନୁମତି ବା ସରକାରୀ ନିର୍ଦ୍ଦେଶ ନାହିଁ ତେବେ ୩୧.୧୨.୨୦୦୩ରେ ଆପଣ ତାଲା ବନ୍ଦ କଲେ କିପରି ?
ପ୍ରଶ୍ନ - କେଉଁ ଆଇନ ଓ ଅଧିକାରରେ ଶିଳ୍ପ ପାଇଁ ଓ କାଗଜ କଳ ଚଳାଇବାକୁ ପଟ୍ଟାଦାର ସୁତ୍ରରେ ଜମି ନେଇ ଶିଳ୍ପ ବିଭାଗରୁ ଓ ସର୍ତ୍ତ ଏବଂ ଚୁକ୍ତିର ଖିଲାପ କରି ବର୍ତ୍ତମାନ ଏହାକୁ ସ୍ଥିତିବାନ କରିବାକୁ ଆପଣ ରାଜସ୍ୱ ବିଭାଗକୁ ଆବେଦନ କରିଛନ୍ତି ।
ପ୍ରଶ୍ନ - ସ୍ଥାନୀୟ ଅଞ୍ଚଳବାସୀ କହୁଛନ୍ତି ଓଡ଼ିଶାର ସମ୍ପତ୍ତିକୁ ହଡ଼ପ କରିବାର ଏକ ସୁଚିନ୍ତିତ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଆପଣ ୨୫ ବର୍ଷ ତଳେ ରଚାଇଥିଲେ । ଆଉ ୨୫ ବର୍ଷ ପରେ ବର୍ତ୍ତମାନ ତାକୁ ସଫଳ କରିବାକୁ ଆପଣ ଦୁର୍ନିତୀର ଜାଲ ବିଛାଇଛନ୍ତି, ବିଲଟର ଏହା ରୌପ୍ୟ ଜୟନ୍ତୀର ଜାଲିଆତି ନୁହେଁ କି ? ଏହାକୁ ନେଇ କ'ଣ ସଫେଇ ଦେବେ ?
ପ୍ରଶ୍ନ - ରୁଗ୍ଣ ଓ ଦେବାଳିଆ ଟିପିଏମ୍-୩ କମ୍ପାନୀକୁ କାର୍ଯ୍ୟକ୍ଷମ କରିବାକୁ ଆପଣଙ୍କୁ ଯେପରି ଉପାୟ, ନିୟମ, ସର୍ତ୍ତ ଓ ମାଧ୍ୟମରେ ତତ୍କାଳୀନ ସରକାର ହସ୍ତାନ୍ତର କରିଥିଲେ, ଠିକ୍ ସେହିପରି ଦେବାଳିଆ ଓ ରୁଗ୍ଣ କିମ୍ବା ଅନ୍ୟାନ୍ୟ କାରଣରୁ ଅଚଳ ହୋଇ ପଡ଼ିଥିବା ବିଲଟର ପୁନରୁଦ୍ଧାର କରିବାକୁ ଆପଣ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ କାହିଁକି ଦେଉନାହାନ୍ତି ?
ପ୍ରଶ୍ନ - କଳେ ବଳେ କୌଶଳେ ଆପଣ ଅନୈତିକ ତଥା ଆଇନକୁ ଆଖିଠାର ଦେଇ ଅନୁଗୁଳର ମୂଲ୍ୟବାନ ସମ୍ପତ୍ତିକୁ ସ୍ଥିତିବାନ କରି କେବଳ ପୁଞ୍ଜିପତି ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବିକ୍ରୀ କରି ଯଥେଷ୍ଟ ମୁନାଫା ପାଇଛନ୍ତି । ଏହା ବିରୋଧରେ ବର୍ତ୍ତମାନ କିଛି ଆକ୍ଟିଭିଷ୍ଟ, ଆଇନଜୀବୀ ସୁପ୍ରିମକୋର୍ଟକୁ ଗଲେଣି । ତେବେ ଆପଣ କଣ ଚୌଦ୍ୱାର କାଗଜକଳ ଜମିକୁ ପଟ୍ଟାଦାରି ସୁତ୍ରରେ ନେଇ ସ୍ଥିତିବାନ କରି ବିକ୍ରୀ କରିବାକୁ ବ୍ୟଗ୍ର ?
ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଏବଂ ବିଲଟ୍ କର୍ତ୍ତୁପକ୍ଷ ନିଜର ପ୍ରତିକ୍ରିୟା ଦେବାକୁ ଆମେ ଗୁଡ଼ଗାଓଁ ବିଲଟ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ମୋହିତ ପୁରୀଙ୍କ ସହିତ ଯୋଗଯୋଗ କରିଥିଲୁ । ମାତ୍ର ମୋହିତ ପୁରୀ ଓଡ଼ିଶାରେ ଦାୟୀତ୍ୱରେ ଥିବା ଲକ୍ଷ୍ମୀଧର ଦାସଙ୍କ ସହିତ ଭୂବନେଶ୍ୱରରେ ସାକ୍ଷାତ କରି ତାଙ୍କ ଟେଲିଫୋନ୍ ନମ୍ବର ଦେଇ ପ୍ରତିକ୍ରୀୟା ଦେଇନଥିଲେ । ଅନ୍ୟପଟରେ ଲକ୍ଷ୍ମୀଧର ଦାସ କେବଳ ଚୌଦ୍ୱାର ଜମିର ଦେଖାରଖା ଓ ସେଠାରେ ଥିବା ସୁରକ୍ଷା କର୍ମଚାରୀଙ୍କ ହାନୀଲାଭ କଥା ବୁଝୁଛନ୍ତି, ଉପରୋକ୍ତ ପ୍ରଶ୍ନର ଉତ୍ତର ପୁରୀ ସାହେବ ଦେବେ ବୋଲି କହିଥିଲେ ।
ସେମାନେ ତ ଉତ୍ତର ଦେଲେନି , ହେଲେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗ ଜବାବ ଦେବେ କି?
ପ୍ରଶ୍ନ - ବିଲଟ୍ କର୍ତ୍ତୁପକ୍ଷ କେଉଁ ଆଇନ ବଳରେ ଅନୁଗୁଳ ଜମିକୁ ସ୍ଥିତିବାନ କିପରି କରି ବିକିଲେ ? ଶିଳ୍ପ ବିଭାଗ ଏ ଦିଗରେ ଆଇନଗତ ପଦକ୍ଷେପ କାହିଁକି ଗ୍ରହଣ କଲେ ନାହିଁ ? ସୁପ୍ରିମ କୋର୍ଟରେ ବିଲଟକୁ କାହିଁକି ଚାଲେଞ୍ଜ କରାଗଲା ନାହିଁ ?
ପ୍ରଶ୍ନ - ବର୍ତ୍ତମାନ ଚୌଦ୍ୱାରସ୍ଥିତ ପେପର ମିଲର ପ୍ରାୟ ୫୮୪.୬୦ ଏକର ଶିଳ୍ପ ବିଭାଗର ଜମିକୁ ସ୍ଥିତିବାନ କରିବାକୁ ବିଲଟ୍ ରାଜସ୍ୱ ବିଭାଗକୁ ଆବେଦନ କରିଛି । ଏ ଦିଗରେ ଆଇନ ଅନୁଯାୟୀ କଣ ପଦକ୍ଷେପ ଶିଳ୍ପ ବିଭାଗ ନେଇଛି ?
ପ୍ରଶ୍ନ - ୩୧.୧୨.୨୦୦୩ରେ କାରଖାନା ବନ୍ଦ କରିବାକୁ ବିଲଟ୍ କର୍ତ୍ତୁପକ୍ଷଙ୍କୁ ଆପଣଙ୍କ ବିଭାଗ ଅନୁମତି ଦେଇଥିଲେ ? ଯଦି ଦେଇଥିଲେ କେଉଁ ସର୍ତ୍ତରେ ଅନୁମତି ଦେଇଥିଲେ ? ପୁନଶ୍ଚ ଯଦି ଦେଇନଥିଲେ ଆଇନ ଅନୁଯାୟୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କାରଣ ୧୫ ବର୍ଷ ଧରି ବିଲଟ୍ କମ୍ପାନୀ ବନ୍ଦ ରହିଛି ।
ପ୍ରଶ୍ନ - ବିଲଟ୍ କର୍ତ୍ତୁପକ୍ଷ ଅଦାଲତ ଅବମାନନା କରିଛନ୍ତି ତଥାପି ଶିଳ୍ପ ବିଭାଗ ନିରବ ରହିଲା କାହିଁକି ?
ପ୍ରଶ୍ନ - ବିଲଟ କମ୍ପାନୀ ବନ୍ଦ କରିବା ପରେ ଶ୍ରମ ବିଭାଗ ପକ୍ଷରୁ କେଶ ନମ୍ବର ୪୧/୨୦୦୩ରେ କ୍ରିମିନାଲ ମକଦ୍ଦମା ଦାୟର ହେଲା । ଏହାକୁ ଭିତ୍ତିକରି ଆପଣ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ?
ପ୍ରଶ୍ନ - ଯେଉଁଭଳି ଭାବରେ ବିଜୁ ବାବୁ ବନ୍ଦ ପଡ଼ିଥିବା ରୁଗ୍ଣ ଓ ଦେବାଳିଆ ଟିପିଏମ୍-୩ କମ୍ପାନୀକୁ କାର୍ଯ୍ୟକ୍ଷମ କରିବାକୁ, ଉପାୟ, ନିୟମ, ସର୍ତ୍ତ ମାଧ୍ୟମରେ ବିଲଟକୁ ହସ୍ତାନ୍ତର କରିଥିଲେ, ଠିକ୍ ସେହିପରି ବର୍ତ୍ତମାନ ଦେବାଳିଆ ଓ ରୁଗ୍ଣ ହୋଇ ଦୀର୍ଘ ୧୫ ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ବିଲଟ୍ ର ପୁନରୁଦ୍ଧାର କରିବାକୁ ଓଡ଼ିଶା ସରକାର ଓ ମୁଖ୍ୟତଃ ଶିଳ୍ପ ବିଭାଗ ସେଭଳି ପଦକ୍ଷେପ କାହିଁକି ଗ୍ରହଣ କରୁନାହାନ୍ତି ?