ସମାଜସେବୀଙ୍କ ହସ୍ତକ୍ଷେପ ପରେ ଭତ୍ତା ପାଇଲେ ବୃଦ୍ଧା ଦମ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେହୁରୀଆ - ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହୋଇଛି। ଭାଙ୍ଗି ଯାଇଥିବା ମନରେ ପୁଣି ଆତ୍ମବିଶ୍ବାସ କଅଁଳିଛି। ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମଙ୍କ ହସ୍ତକ୍ଷେପ ପରେ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ଅସହାୟ ବୃଦ୍ଧ ଦମ୍ପତି ବରଦା ମୋହନ ନନ୍ଦ(90) ଓ ଧର୍ମପତ୍ନି ସୁନନ୍ଦା ନନ୍ଦ(80)। ଲହୁଣୀପଡା ବ୍ଳକ୍ କୁର୍ଡା ପଞ୍ଚାୟତ ଅନ୍ତର୍ଗତ ଲଲେଇ ଗ୍ରାମର ଏକ ଦଦରା କୁଡିଆରେ ରୁହନ୍ତି ବୃଦ୍ଧ ଦମ୍ପତି ବରଦା ମୋହନ ଓ ସୁନନ୍ଦା। ଦୀର୍ଘ ବର୍ଷ ଧରି ସେମାନେ ପଞ୍ଚାୟତରୁ ବ୍ଳକ୍ ଯାଏ ଭତ୍ତା ପାଇଁ ଦରଖାସ୍ତ ଦାଖଲ କରିକରି ଥକି ପଡିଥିଲେ। ବୃଦ୍ଧ ଦମ୍ପତିଙ୍କ ଅନେକ ଗୁହାରି ସତ୍ତ୍ବେ ମଧ୍ୟ ସ୍ଥାନୀୟ ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଥିଲେ। ତେଣୁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ଅତିବାହିତ କରୁଥିଲେ ବରଦା ମୋହନ ଓ ସୁନନ୍ଦା। ମୋଟାମୋଟି ଭାବରେ କହିବାକୁ ଗଲେ ଭତ୍ତା ପାଇବାର ଆଶା ତାଙ୍କ ମନରୁ ମରି ସାରିଥିଲା। ହେଲେ ଏଭଳି ଏକ ସମ୍ବେଦନଶୀଳ ଘଟଣା ବିଷୟରେ ଅବଗତ ହେଲାପରେ ଏଇ ଘଟଣାରେ ହସ୍ତକ୍ଷେପ କରିଥିଲେ ସମାଜସେବୀ ଶ୍ରୀ କୁସୁମ। ଜୁନ-29 ଦିନ ଶ୍ରୀ କୁସୁମ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତଣ୍ଡିଆଙ୍କ ସହିତ ଆଲୋଚନା କରିବା ସହ ବୃଦ୍ଧ ଦମ୍ପତି ବରଦା ମୋହନ ଓ ସୁନନ୍ଦାଙ୍କୁ ଅତିଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ଦାବି କରିଥିଲେ। ଅଭିଯୋଗକୁ ଗଭୀରତାର ସହ ଗ୍ରହଣକରି ସାମାଜିକ ସୁରକ୍ଷା ଅଧିକାରୀ ତଣ୍ଡିଆ ବୃଦ୍ଧ ଦମ୍ପତିଙ୍କୁ ଅତିଶୀଘ୍ର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାକୁ ଲହୁଣୀପଡା ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କଡା ନିର୍ଦ୍ଦେଷ ଦେଇଥିଲେ। ଏହା ପରେ ତତ୍ପରତା ପ୍ରକାଶ କରିଥିଲା ଲହୁଣୀପଡା ବ୍ଳକ୍ ସାମାଜିକ ସୁରକ୍ଷା ବିଭାଗ। ସମାଜସେବୀ ଶ୍ରୀ କୁସୁମ ହସ୍ତକ୍ଷେପର 20 ଦିନ ଭିତରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା। ବାର୍ଦ୍ଧକ୍ୟ ଭତ୍ତା ପାଇଲା ପରେ ଏବେ ବରଦା ମୋହନ ଓ ସୁନନ୍ଦାଙ୍କ ମୁହଁରେ ଟିକିଏ ହସ ଫେରିଥିବା ପରିଲକ୍ଷିତ ହୋଇଛି।

0
0
0
s2sdefault