ଖଣିଜ ପାଣ୍ଠି : ଆଦାୟ ୭୪୯୬ କୋଟି, ଖର୍ଚ୍ଚ ମାତ୍ର ୧୬୭୨ କୋଟି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର, : ଜିଲ୍ଲା ଖଣିଜ ପ୍ରତିଷ୍ଠାନ  (ଡିଏମ୍ଏଫ୍) ପାଣ୍ଠିକୁ ବର୍ତମାନ ସୁଦ୍ଧା ମୋଟ ୭୪୯୬.୭୩ କୋଟି ଟଙ୍କା ଆଦାୟ ହୋଇଛି । ଗତ ତିନିବର୍ଷ ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୬୭୨.୩୪ କୋଟି ଟଙ୍କା । ତେବେ ବିଡ଼ମ୍ବନାର ବିଷୟ ଯେ ଖଣିଖାଦାନ ଅଂଚଳର ଅଗ୍ରାଧିକାର କ୍ଷେତ୍ର ଭାବେ ବିବେଚନା କରାଯାଉଥିବା ମହିଳା, ଶିଶୁ ଓ ବୟସ୍କ ଲୋକମାନଙ୍କ କଲ୍ୟାଣ ପାଇଁ ଏହି ସମୟ ମଧ୍ୟରେ ୨୩.୮୪ କୋଟି ଖର୍ଚ୍ଚ ହୋଇଥିବା ବେଳେ ଖଣି ଅଂଚଳର ଲୋକମାନଙ୍କ ଜୀବିକା ବାବଦରେ ଖର୍ଚ୍ଚ ହୋଇଛି ମାତ୍ର ୪.୮୪ କୋଟି ଟଙ୍କା ।
ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ୨୦୧୬-୧୭ରୁ ୨୦୧୮-୧୯ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଡିଏମ୍ଏଫ୍ରୁ ବ୍ୟୟ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଆଦାୟ ଡିଏମ୍ଏଫ୍ ଅର୍ଥରାଶି ମଧ୍ୟରୁ କେନ୍ଦୁଝର ଜିଲ୍ଲାର ସର୍ବାଧିକ ୨୪୮୪.୧୧ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ଜମା ରହିଛି । ତେବେ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ରହିଛି । ୨୦୧୬-୧୭ରେ ମୋଟ ୬୯.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୭-୧୮ରେ ୪୨୮.୭୯ କୋଟି ଏବଂ ୨୦୧୮-୧୯ରେ ୮୯୨.୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଡିଏମ୍ଏଫ୍ ଟ୍ରଷ୍ଟର ନିୟମାବଳୀ ଅନୁଯାୟୀ ଅଗ୍ରାଧିକାର କ୍ଷେତ୍ର ମଧ୍ୟରୁ ପାନୀୟଜଳ ବାବଦରେ ଗତ ତିନିବର୍ଷରେ ୫୯୯.୦୬ କୋଟି ଖର୍ଚ୍ଚ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ୧୭୧.୧୩ କୋଟି, ପରିବେଶ ସଂରକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ବାବଦରେ ୧୫.୮୦ କୋଟି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୪୩.୧୮ କୋଟି, ପରିମଳ ବାବଦରେ ୪.୨୯ କୋଟି, ଦକ୍ଷତା ବିକାଶ କ୍ଷେତ୍ରରେ ୨୧.୫୮ କୋଟି, ଗୃହ ନିର୍ମାଣ ବାବଦରେ ୦.୬୬ କୋଟି, ରାସ୍ତା ସଂଯୋଗୀକରଣ ବାବଦରେ ୧୨୦.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ର ଯଥା: ସଂପତି ସୃଷ୍ଟି, ଜଳସେଚନ, ଶକ୍ତି ଓ ଜଳଚ୍ଛାୟା, ବନୀକରଣ ଆଦି ବାବଦରେ ଯଥାକ୍ରମେ ୨୮୦.୭୧ କୋଟି, ୯୫.୦୯ କୋଟି, ୫୦.୯୭ କୋଟି, ୧୪.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଦର୍ଶାଇଥିଲେ । ଏହା ବ୍ୟତୀତ ପ୍ରାଶାସନିକ ବ୍ୟୟ ବାବଦରେ ୨୫.୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଉତରରେ ଉଲ୍ଲେଖ କରାଯାଇଛି । ଏହା ସହିତ ବିଭିନ୍ନ ଜିଲ୍ଲାରେ ବେସରକାରୀ ସଂଗଠନମାନଙ୍କ ଜରିଆରେ ବୃଦ୍ଧାଶ୍ରମ ପରିଚାଳନା, ଭ୍ରାମ୍ୟମାଣ ଡାକ୍ତରୀ ଦଳ, ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଚିଂ, ବନୀକରଣ, ମା’ ଗୃହ ପରିଚାଳନା ଆଦି ବାବଦରେ ୧୩ କୋଟି ୪ ଲକ୍ଷ ୭୨ ହଜାର ୧୭୯ ଟଙ୍କା ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।

0
0
0
s2sdefault