"ଜରାଳୀ ନଦୀକୁ ଜବରଦଖଲକାରୀମାନଙ୍କ କବଳରୁ ମୁକ୍ତ କରାଯାଉ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜରାଳୀ ନଦୀର ଗତିପଥକୁ କୃତିମ ଭାବେ ପରିବର୍ତ୍ତନ କରାଇଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବି କଲା ଭଞ୍ଜସେନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ଜବରଦଖଲକାରୀ ଓ ଜମି ମାଫିଆଙ୍କ କବଜ୍ଜାରେ । ସହର ମଧ୍ୟଦେଇ ପ୍ରବାହିତ ଜରାଳୀ ନଦୀ ଜମିମାଫିଆ ଓ ଜବରଦଖଲକାରୀମାନଙ୍କ କବଳରୁ ବାଦ ପଡ଼ିଯାଇ ନାହିଁ । ଜବରଦଖଲ ହେବା ଫଳରେ ନଦୀ କ୍ରମଶଃ ସଙ୍କୁଚିତ ହୋଇ ନାଳରେ ପରିଣତ ହୋଇସାରି ଥିବା ସମୟରେ ପ୍ରଶାସନ ନୀରବସ୍ରଷ୍ଟା ସାଜି ହାତ ବାନ୍ଧି ବସିଛି । ଏପରିକି କେତେକ ଅସାଧୁ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ଉକ୍ତ ଜମିକୁ ଚଞ୍ଚକତା କରାଯାଇ ପଟ୍ଟା ମଧ୍ୟ ହାତେଇ ନେବାରେ ସଫଳ ହେଉଛନ୍ତି ଜବରଦଖଲକାରୀ ଜମି ମାଫିଆମାନେ । ଜମିର ସ୍ଥାୟୀ ପଟ୍ଟା ହାତେଇ ପ୍ଲଟ ଉପରେ ନିର୍ମାଣ ହେଉଛି କୋଠାବାଡ଼ି । ଜମି ମାଫିଆମାନେ କୋଟି କୋଟି ଟଙ୍କାର ମୁନାଫା ଉଠାଇ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନର ଏ ଦିଗରେ ନାଘା ନାହିଁ କି ପଘା ନଥିବା ଭଳି ମନେ ହୁଏ । ବର୍ତ୍ତମାନ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ରାଜପଥର ପାଲବଣି ଗୋଲେଇଠାରୁ ତକତପୁର ଛକ ମଧ୍ୟରେ  ଜରାଳୀ ନଦୀର ଦକ୍ଷିଣ ଭାଗର ଉଭୟ ପାଶ୍ୱର୍ରେ କଂକ୍ରିଟ ୱାଲ ନିର୍ମାଣ କରାଯାଇ ନଦୀର ଆୟତନକୁ ସମ୍ପର୍ଣ୍ଣ ଭାବେ ସଙ୍କୁଚିତ କରାଯାଇ ଜମି ମାଫିଆ ଓ  ଜବରଦଖଲକାରୀମାନେ ଚଳାଇଛନ୍ତି ବେଆଇନ ନିର୍ମାଣ କାର୍ଯ୍ୟ ।  ପ୍ରଶାସନ ପକ୍ଷରୁ ଏହି ଧରଣର ଜବରଦଖଲକାରୀମାନଙ୍କୁ ଯୋଗାଇ ଦିଆଯାଉଛି ଅହେତୁକ ଅନୁକମ୍ପା । ଫଳରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ଜନସାଧାରଣଙ୍କ ହକ୍ ଓ ସାମୂହିକ ସ୍ୱାର୍ଥ ସାଧନ ନିମନ୍ତେ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଭଞ୍ଜସେନା ଏହାର ପ୍ରତିବାଦ କରିବା ନିମନ୍ତେ ଆଗେଇ ଆସିଛି । ଆଜି ସେନାର ସହର ସଭାପତି ସୌମ୍ୟ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି  ଘଟଣାର ନିରପେକ୍ଷ ତଦନ୍ତ ସହ ଜବରଦଖଲକାରୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ଓ ଜରାଳୀ ନଦୀକୁ ଜବରଦଖଲକାରୀମାନଙ୍କ କବଳରୁ ମୁକ୍ତ କରାଯିବା ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସେନାର ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି, ଉପସଭାପତି ବିଜୁ ସିଂ, ମନୋଜ କୁମାର ପାତ୍ର, ସୁନୀଲ ମହାନ୍ତ, ତିତିକ କୁମାର ସିଂ, ସଞ୍ଜୟ ମହାରଣା ଓ ଶମ୍ଭୁ ନାଥ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault