ହେଡଲାଇନସ୍:

ଦାଦନ ଖଟିବାକୁ ଯାଇଥିବା ନିରଞ୍ଜନ ଓ ଦୁଇ ଝିଅ ନିଖୋଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସ୍ତ୍ରୀ ଯମୁନା ଓ ୫ ବର୍ଷର ପୁଅ ସୁଜିତ୍ ଫେରିବା ବାଟକୁ ଚାହିଁ ବସିଛନ୍ତି"

ବଲାଙ୍ଗିର(ଶାସକ ପ୍ରଶାସକ):- ପଶ୍ଚିମ ଓଡ଼ିଶାର ପ୍ରଧାନ ପରବ ନୂଆଁଖାଇ ଆସିଲେ ପରିବାରର ସମସ୍ତେ ଘରକୁ ଫେରନ୍ତି। କିନ୍ତୁ ସଇଁତଳା ବ୍ଲକର ମନହୀରା ପଡ଼ାର ଯମୁନା ମନହିରା ପାଇଁ ଏହି ପରବ ହେଲା ଅସହ୍ୟ ବିୟୋଗର ଦିନ। କାରଣ, ବର୍ଷେ ହେଲାଣି ତାଙ୍କ ସ୍ୱାମୀ ନିରଞ୍ଜନ ମନହିରା (୩୫) ଓ ଦୁଇ ନାବାଳିକା ଝିଅ – ଝରଣା (୧୩) ଓ ଝୁଲଣ (୧୧) – ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାରୁ ଆଜିପର୍ଯ୍ୟନ୍ତ ଖୋଜ ଖବର ନାହିଁ।
ସଇଁତଳା ବ୍ଲକ ଦାଦନ ପ୍ରବଣ ଅଞ୍ଚଳ ଭାବେ ସାରା ଓଡ଼ିଶାରେ ପରିଚିତ। ଗଣପର୍ବ ନୂଆଁଖାଇ ପାଳନ ପାଇଁ ଶ୍ରମିକ ପରିବାରମାନେ ଆଗରୁ ବଇନା ଆଣି, ମୁଣ୍ଡ ପିଛା ୩୦/୪୦ ହଜାର ଟଙ୍କା ଲେଖାଇ, ସର୍ଦ୍ଦାରଙ୍କ ମାଧ୍ୟମରେ ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରକୁ ଇଟା ଗଢ଼ିବାକୁ ଯାନ୍ତି।
ସେହିଭଳି ୨୦୨୪ ସେପ୍ଟେମ୍ବରରେ ମନହୀରା ପଡ଼ାର ନିରଞ୍ଜନ ଓ ତାଙ୍କର ଦୁଇ ଝିଅକୁ ଗାଁର ସର୍ଦ୍ଦାର ଭୂମରାଜ ମଲ୍ଲିକ ଦାଦନ ପାଇଁ ବଇନା ଆଣିଥିଲେ। କିନ୍ତୁ ମୁଣ୍ଡପିଛା ଟଙ୍କା ଦିଆଯାଇନଥିବା ସତ୍ତେ, ମଦ ପିଆଇ କୌଶଳ କରି ସର୍ଦ୍ଦାର ସେମାନଙ୍କୁ ବାହାର ରାଜ୍ୟକୁ ନେଇଯାଇଥିଲେ ବୋଲି ପାରିବାର ଲୋକେ ଅଭିଯୋଗ ଆଣିଛନ୍ତି । ବର୍ଷେ ପୁରିଯାଇଥିଲେ ସୁଦ୍ଧା , ସେମାନଙ୍କର କୌଣସି ଖୋଜ ଖବର ମିଳୁନାହିଁ। ଏବେ ୨୦୨୫ ର ନୂଆଁଖାଇ ଗଲା, କିନ୍ତୁ ଯମୁନା ମନହିରା ପରିବାର ଶୂନ୍ୟ । ସ୍ୱାମୀ ଓ ଦୁଇ ଝିଅଙ୍କୁ ପାଖରେ ନପାଇ ସେ ଦୁଃଖରେ ଭାଙ୍ଗିପଡିଛନ୍ତି। ଏମିତି ପରିସ୍ଥିତିରେ ଯମୁନା ମାନସିକ ରୋଗରେ ପୀଡ଼ିତ ହେବା ସମ୍ଭାବନା ରହିଛି । ସ୍ତ୍ରୀ ଯମୁନାଙ୍କ ସାଥିରେ ମାତ୍ର ୫ ବର୍ଷର ପୁଅ ସୁଜିତ୍ ଅଛନ୍ତି। ଏମାନଙ୍କୁ କେହି ସାହାଯ୍ୟ କରୁନଥିବାରୁ ପୋଲିସ ପାଖକୁ ଅଭିଯୋଗ କରିବା ପାଇଁ ମଧ୍ୟ ଯାଇପାରିନାହାନ୍ତି । ସର୍ଦ୍ଦାର ଭୂମରାଜ ମଲ୍ଲିକ ଏହି ପରିବାରକୁ ବାହାର ରାଜ୍ୟକୁ ନେଇ ବିକ୍ରୟ କରି ଦେଇଥିବା ବେଳେ ଏବେ ଫେରାଇ ଆଣିଦେବା ପାଇଁ କହିଲେ ଆଦ୍ୟୋ ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ଆଣୁଛନ୍ତି ।
ଜିଲ୍ଲା ଶ୍ରମ ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ନିଖୋଜ ପରିବାର କୁ ତୁରନ୍ତ ଖୋଜି ଆଣି ଦେବାକୁ ଅଞ୍ଚଳ ବାସୀଙ୍କ ଦାବି ହେଉଛି ।

0
0
0
s2sdefault