ହେଡଲାଇନସ୍:

ପାରଳାରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 
Paralakhemundi/ Balakrusna Panigrahi : ଆଷାଢ ଶୁକ୍ଲ ଦ୍ୱିତୀୟା ତିଥି ଶନିବାର ଦିନ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁର୍ଲଭ ସୁନାବେଶ କାର୍ଯ୍ୟକ୍ରମ ଦେଖିବା ପାଇଁ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ପାରମ୍ପରିକ ଦେବରୀତିନିତି ପ୍ରକାରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ତିନି ଠାକୁରଙ୍କ ରଥ ଉପରେ ବିଭିନ୍ନ ପୂଜାବିଧି ଓ ଆଳତୀ କରାଯାଇ ମହାପ୍ରସାଦ ହେବା ପରେ ଠାକୁର ମାନଙ୍କ ପହଡନୀତି କାର୍ଯ୍ୟ ସଂପନ୍ନ ହୋଇଥିଲା । ଅପରାହ୍ନ ୪.୩୦ମିନିଟରେ ରାଜ ପ୍ରସାଦ ଠାରେ ଥିବା ସ୍ୱର୍ଣ୍ଣଭଣ୍ଡାର ଘର ଠାରୁ କଡା ସୁରକ୍ଷାବଳ ମଧ୍ୟରେ ସ୍ୱର୍ଣ୍ଣ ଅଳଙ୍କାର ଅଣାଯାଇ ଠାକୁର ମାନଙ୍କୁ ରଥ ଉପରେ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଠାକୁର ମାନଙ୍କ ମଥାରେ ସୁନାକିରିଟା, କାନରେ ସୁନାକୁଣ୍ଡଳ, ନାକରେ ସୁନାଦଣ୍ଡିଗୁଣା, କମରରେ ସୁନାକମରପଟା, ବେକରେ ବହୁ ପରିମାଣର ତୁଳସୀପତ୍ର ମାଳ ଓ ବିଭିନ୍ନ ରଙ୍ଗବେରଙ୍ଗ ଫୁଲମାଳ ପ୍ରଭୃତିରେ ଆଭୁଷଣ କରିଥିଲେ । ଏହା ବ୍ୟତୀତ ବଡ ଠାକୁର ପ୍ରଭୁ ବଳଦେବଙ୍କ ହାତରେ ସୁବର୍ଣ୍ଣହଳ. କାଳିଆ ପ୍ରଭୁ ଜଗନ୍ନାଥଙ୍କ ହାତରେ ସ୍ୱର୍ଣ୍ଣଚକ୍ର ଓ ରୁପାର ଶଙ୍ଖ ଏବଂ ଭଉଣୀ ତଥା ମା ସୁଭଦ୍ରାଙ୍କ ହାତରେ ସୁନାର ଅଳଙ୍କାର ଓ ସୁନା ଶ୍ରୀପୟର  । ନଅ ଦିନର ଯାତ୍ରା ସାରି ତିନି ଠାକୁର ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିବା ବାଟରେ ଏତେ ପରିମାଣ ଓଜନର ସୁନା ରୁପା ଓ ବିଭିନ୍ନ ଧାତୁ ଓ ରତ୍ନରେ ନିର୍ମିତ ଭଳିକି ଭଳି ଅଳଙ୍କାର ସବୁ ପରିଧ୍ୟାନ କରି ଏକ ଦୁର୍ଲଭ ତଥା ଭିନ୍ନ ଏକ ଅପୂର୍ବ ବେଶରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ତିନି ଠାକୁର ଦର୍ଶନ ଦେଇଥିଲେ । ହରିବୋଲ ଓ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ବଡଦାଣ୍ଡ ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା । ଠାକୁର ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ପାରଳାଖେମୁଣ୍ଡି ସହର ସମେତ ପଡୋଶୀ ଆନ୍ଧ୍ରର ବିଭିନ୍ନ ପୁରପଲ୍ଲୀ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥିଲା । ରାତି ୧୦.୩୦ମି ରେ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ଭାବେ ମହିଳା ଓ ପୋଲିସ ବାହିନୀ ମୁତୟନ ହୋଇ ରହିଥିଲେ ।  ଆଜି ସନ୍ଧ୍ୟାରେ ଅଧରପଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault