ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସାରସ୍ୱତ କାର୍ଯ୍ୟକ୍ରମ
ବଲାଙ୍ଗିର (ନିରୋଜ ମିଶ୍ର ) : କବିତାର ମଧୁର ପଣ ମାନବ ଜୀବନର ମନ୍ତ୍ର । ସମାଜର ପ୍ରତ୍ୟେକ ଚିନ୍ତା, ଚେତନା, ଦୃଶ୍ୟ ଓ ଦର୍ଶନରେ ଭରପୂର କବିତା କାଳଜୟୀ ହୋଇଥାଏ ବୋଲି ‘ମେଘ ମହ୍ଲାର’ ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମତ ପ୍ରକାଶ କରିଥିଲେ । ଏଥିରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ ସଭାପତିତ୍ୱ କରିଥିବା ବେଳେ ଭିମ୍ସାର ସହକାରୀ ପ୍ରଫେସର୍ କବି ଡା. ବେଣୁଧର ପାଣ୍ଡେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କବିତାର କମନୀୟତା ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ନିଆରା ଢଙ୍ଗରେ ସାରସ୍ୱତ କାର୍ଯ୍ୟକ୍ରମ ହେଉଥିବା ବେଳେ ଚଳିତ ବର୍ଷ ଏହି କ୍ରମରେ ‘ମେଘ ମହ୍ଲାର’ କୋଶଲୀ କବିତା ମହୋତ୍ସବ କାର୍ଯ୍ୟକ୍ରମ ହୋଇଥିଲା । ଶାସ୍ତ୍ରୀୟ ସଂଗୀତ ମେଘ ମହ୍ଲାର ରାଗିଣୀର ସ୍ୱର ଝଙ୍କାରରେ ମେଘକୁ ଆମନ୍ତ୍ରଣ ଜଣାଇ ବର୍ଷାର ଆବାହନରେ ଧରିତ୍ରୀ ଚିରସୁନ୍ଦର ସବୁଜିମାରେ ସଜେଇ ହୁଏ । ଏହି ଆମନ୍ତ୍ରଣ ଯୁଗ ଯୁଗର । ହେଲେ ମେଘ ଓ ଆକାଶକୁ ଏକ ଭିନ୍ନ ଢଙ୍ଗରେ, ଏହି କାର୍ଯ୍ୟକ୍ରମରେ ସମବେତ ନାରୀ ଓ ପୁରୁଷ କବିଙ୍କ କବିତା ଏବଂ ସ୍ୱରର ଶବ୍ଦ ଝଙ୍କାରରେ ‘ମେଘ ମହ୍ଲାର’କୁ ଆମନ୍ତ୍ରଣ କରିଥିଲା ସାମ୍ବାଦିକ ସଂଘ । ଏହି ନିଆରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ କବି ଆନଂଦ ଚଂଦ୍ର ସାହୁ । ପଶ୍ଚିମ ଓଡ଼ିଶାର ବଳିଷ୍ଠ କୋଶଲୀ ନାରୀ କବି ସାବିତ୍ରୀ ପୁରୋହିତ, ପ୍ରୀତିନନ୍ଦା ପାଣିଗ୍ରାହୀ, ସଂଗୀତା ପଣ୍ଡା ଷଢ଼ଙ୍ଗୀ, ପ୍ରଭାସିନୀ ହୋତା, କଲ୍ୟାଣୀ ପ୍ରଧାନ, ସସ୍ମିତା ମହାପାତ୍ର, ସ୍ମୃତି ସେଫାଳୀ ମେହେର, ସସ୍ମିତା ସାହୁ, ସ୍ୱପ୍ନାରାଣୀ ମିଶ୍ର ଓ ସୀମା ମହାପାତ୍ର ସ୍ୱରଚିତ କବିତା ପାଠ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ସେମାନଙ୍କ କବିତା ସବୁ ସଂପର୍କରେ କବି ସଂଦୀପ କୁମାର କୁଅଁର, ଡ. ସଂଜୟ କୁମାର ମିଶ୍ର, ନବୀନ ବିଶ୍ୱବନ୍ଧୁ , ଦିଲୀପ ପଶାୟତ, ରାଜୀବ କୁମାର ଆଚାର୍ଯ୍ୟ, ଗଣେଶ ବାରିକ, ଦିଲ୍ଲୀପ କୁମାର ମିଶ୍ର, ସୁଜିତ୍ କୁମାର ଶତପଥୀ ଓ ଦିଲୀପ ସରାଫ୍ ସ୍ୱକୀୟ ତଥା ଆବେଗିକ ମତାମତ ପ୍ରଦାନ କରିଥିଲେ । ବ୍ୟଙ୍ଗ କବି ରସରାଜ ଅତୁ୍ୟତ ପୁରୋହିତଙ୍କୁ ନେଇ ଏହି କବିତା ମହୋତ୍ସବରେ ଏକ ପାଠକ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ନେଇ ଶ୍ରୋତା ମଣ୍ଡଳୀ ବିଶେଷ ଉତ୍ସାହିତ ହୋଇଥିଲେ । ସଂଘର ସଂପାଦକ ଶିଶିରକାନ୍ତ ଶତପଥୀ ମଧ୍ୟ ମଂଚାସୀନ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ବରିଷ୍ଠ ସଦସ୍ୟ ସତ୍ୟସୁନ୍ଦର ଭଂଜ । ।