ବାରିପଦାରୁ ଦିଲ୍ଲୀପ ମହାନ୍ତି : ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇଥାଏ । ପର୍ବକୁ ୭ ଦିନ ବ୍ୟାପି ଆନନ୍ଦଉଲ୍ଲାସର ସହିତ ପାଳନ କରାଯାଇ ଆସୁଥିବା ବେଳେ ଧାନ ଉତ୍ପାଦନ ପରେପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷିକର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୋଷ୍ଠ ସମୟ ବୋଲି ବିବେଚନା କରାଯାଇ ଥାଏ । ବିଶେଷକରି ସଂକ୍ରାନ୍ତିଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଶ୍ରେଣୀର ଜନସାଧାରଣ ସମସ୍ତ କର୍ମଜଞ୍ଜାଳ ଏବଂ ସାହୁକାରଙ୍କଠାରୁ ଦୂରେଇ ରଖିବା ଅନୁଭବକୁ ମନୋରଞ୍ଜନ ଧର୍ମୀ ନାଚଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ନିୟୋଜିତ ରଖି ନିଜକୁକିଛି ଦିନ ଭୂଲିଯିବାକୁ ଶ୍ରେୟ ମଣିଥାନ୍ତି । ଜିଲାରେ ମକର ଆସିବା ପୂର୍ବରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଥାଏ । ସାପ୍ତାହିକ ହାଟ ସହିତ ବିଭିନ୍ନ କୁକୁଡ଼ାପାଡ଼ାମାନଙ୍କରେ କୁକୁଡ଼ା ଲଢେ଼ଇ ସହିତ ପାରମ୍ପରିକ ଜୁଆଖେଳ, ନୂତନ ବସ୍ତ୍ର ପରିଧାନ ଓ ଆମିଷ ଭୋଜନର ମଜା ଉଠାଇଥାନ୍ତି । ଭାରତ ବର୍ଷର ବିଭିନ୍ନ ରାଜ୍ୟମାନଙ୍କରେ ଏହି ମକର ପର୍ବ ପାଳିତ ହେଉଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ମକରସଂକ୍ରାନ୍ତକୁ ଏକ ଧର୍ମ ଓ କୃଷିଭିତ୍ତିକ ପର୍ବଭାବେ ପାଳନ କରାଯାଇ ଆସୁଥିବା ସମୟରେ ମୟୂରଭଞ୍ଜ ଜିଲାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ପକ୍ଷରୁମକରକୁ ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ଦିବସ ଟୁସୁପର୍ବ ଭାବେ ପାଳନ କରାଯାଇ ଆସୁଛି । ଏହି ପର୍ବ ଅବସରରେ କୁଡ଼ୁମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରାର ବହୁ ପରୁଣା କାଳରୁ ପ୍ରଚଳିତ ହୋଇଆସିଛି । ପର୍ବକୁ ଅତି ଆନନ୍ଦ ଉହ୍ଲାସର ସହକାରେ ପାଳନ କରିବା ନିମନ୍ତେ ଅର୍ଥ ଅଭାବରୁ ନିଜର ଚାଷଜମି, ଆବାସପତ୍ର ଓ ଗହଣାଗାଣ୍ଠିକୁ ସାହୁକାରଙ୍କ ନିକଟରେ ବନ୍ଧକ ଦେବାକୁ ପଛେଇ ଯାଇ ନ ଥିବାର ଦୃଷ୍ଟାନ୍ତ ରହିଛି । ପର୍ବର ପାଳନକୁ ନେଇ ଏକ ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଆସିଛି ଓ ଏହା ଯେତିକି ହୃଦୟ ବିଦାରକ , ସେତିକି ଦାରୁଣ ଓ କରୁଣ ଘଟଣାବଳୀ ।
କୁଡ଼ୁମୀ ସମାଜରେ ରହିଆସିଥିବା ଲୋକକଥା ଅନୁସାରେ ଉତ୍ତରପ୍ରଦେଶର ପଞ୍ଚକୋଟ କାଶୀ ରାଜ୍ୟରେ ବୀରବଲ ସିଂହ ନାମରେ ଏକ କୁର୍ମୀ ରାଜା ରାଜତ୍ୱ କରୁଥିଲେ । ତାଙ୍କର ତୁସ୍ମନୀ ନାମ୍ନୀ ଅନିନ୍ଦ୍ୟ ସୁନ୍ଦରୀ ରାଜକୁମାରୀ ରହିଥିଲେ । ସେହି ସମୟରେ ଭାରତ ବର୍ଷକୁ ମୁସଲମାନ ସମ୍ପ୍ରଦାୟ ସାଶନ କରୁଥିଲେ ଏବଂ ସେମାନଙ୍କର ଅତ୍ୟାଚାରରେ ହିନ୍ଦୁମାନେ ଭିତତ୍ରସ୍ତ ଅବସ୍ଥାରେ କାଳାତୀପାତ କରିଆସୁଥିଲେ । କିନ୍ତୁ କୁର୍ମୀ ରାଜା ବୀରବଲ ଜଣେ ପ୍ରବଳ ପରାକ୍ରମୀ, ପ୍ରତାପୀ ଓ ସାହାସୀ ଯୁଦ୍ଧା ଭାବରେ ଖ୍ୟାତିଲାଭ କରିଥିଲେ । ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଧିନ ଖିଲିଜଙ୍କ ଲୁଲୁପ ଦୃଷ୍ଟି ରାଜକୁମାରୀ ତୁସ୍ମନୀଙ୍କ ଉପରେ ପଡ଼ିଥିଲା ଓ ତାଙ୍କୁ ପାଇବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ଫଳରେ କଳେବଳେ କୌଶଳରେ ତୁସ୍ମନୀଙ୍କୁ ଅପହରଣ କରାଇ ନେବାକୁ ସୈନ୍ୟସାମନ୍ତମାନଙ୍କୁ ଆଦେଶ ଦେବା ପରେ ରାଜା ବିରବଲ୍ ନିଜର ପ୍ରଜାମାନଙ୍କ ସହିତ ରାଜ୍ୟ ଛାଡ଼ିବାର ନିଷ୍ପତ୍ତି ନେଇ ତୁସ୍ମନୀକୁ ସାଥୀରେ ଧରି ପଳାୟନ କରୁଥିବା ବେଳେ ସୁଲତାନଙ୍କର ସୈନ୍ୟସାମନ୍ତ ଏହା ଜାଣି ପିଛା କରିଥିଲେ । ଶେଷରେ ତୁସ୍ମନୀକୁ ସୈନ୍ୟମାନେ ରାସ୍ତାରୁ ଅପହଣ କରି ସୁଲତାନ ଆଲ୍ଲାଉଦ୍ଧିନ ଖିଲିଜଙ୍କ ନିକଟକୁ ନେଇ ଯାଉଥିବା ବେଳେ ରାସ୍ତାରେ ଗଙ୍ଗାନଦୀର ବିସ୍ତୃତ ବାଲୁକା ଶଯ୍ୟାରେ ସୈନ୍ୟମାନଙ୍କର ଘୋଡ଼ା ଦୌଡ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରାଇଥିଲା । ଏହାର ସୁଯୋଗ ନେଇ କୌଶଳ କ୍ରମେ ସୈନ୍ୟମାନଙ୍କ ନିକଟରୁ ଖସି ସତୀତ୍ୱ ରକ୍ଷା କରିବାକୁ ଯାଇ ଗଙ୍ଗାନଦୀ ଗର୍ଭକୁ ଠିକ୍ ମକର ସଂକ୍ରାନ୍ତି ଦିନ ଆତ୍ମ ବିସର୍ଜନ ଦେଇଥିଲେ ।
ଏଣୁ ଏହି ଦିବସରେ କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ତୁସ୍ମନୀଙ୍କ ମୂର୍ତ୍ତିକୁ ତ୍ୟାଗ ଓ ଆତ୍ମ ବିସର୍ଜନର ମୂର୍ତ୍ତିମନ୍ତ ଦେବୀ ବୋଲି ବିବେଚନା କରି ପୂଜାର୍ଚ୍ଚନା କରିବାର ପରମ୍ପରା ରହିଆସିଛି ଏବଂ ମକର ସଂକ୍ରାନ୍ତି ଦିନରେ ତୁସ୍ମନୀଙ୍କ ସ୍ମୃତି ରକ୍ଷା କରିବା ଉଦେ୍ଧଶ୍ୟରେ ନଦୀ ଗର୍ଭରେ ଭକ୍ତି ନୈବେଦ୍ୟର ଅର୍ଘ୍ୟ ଅର୍ପଣ କରି ଆସୁଛନ୍ତି । କିନ୍ତୁ ଏହାର ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଭାବେ ନିଆରା । ବିଧି ଅନୁସାରେ କେବଳ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ଦଳବଦ୍ଧ ଭାବେ ଟୁସୁ ପର୍ବ ପାଳନ କରିଥାନ୍ତି । ପ୍ରତି ଦଳରେ ୪ରୁ ଅଧିକ କୁମାରୀ କନ୍ୟାମାନେ ଯୋଗ ଦେଇ ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଜଣଙ୍କ ଘରେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି । ପୁରାଣ ତଥା ଐତିହାସିକ ଗାଥା ଉପରେ ଅଧାରିତ ବିଭିନ୍ନ ୍ନସଙ୍ଗୀତକୁ ସମ୍ମିଳିତ ସ୍ୱରରେ ଗାନ କରନ୍ତି । ଠିକ୍ ସଂକ୍ରାନ୍ତିର ପୂର୍ବ ଦିନରେ କୁମାରୀ କନ୍ୟାମାନଙ୍କର ଦଳ ଟୁସୁ ଦେବୀଙ୍କୁ ଘରକୁ ଘର ନେଇ ଅଭ୍ୟର୍ଥନା କରାଇଥାନ୍ତି । ଏହି ସମୟରେ ବିଭିନ୍ନ ଉପଢେ଼øକନ ଅଥବା ଉପହାରମାନ ପ୍ରଦାନ କରାଯାଉଥିବାର ଲକ୍ଷ୍ୟ କରାଯାଏ । ସାନ ଭଉଣୀର ଆଦରରେ ବୟସ୍କ ମହିଳାମାନେ କନ୍ୟା ଭାବେ ଶଙ୍ଖୋଳି ନେଉଥିବା ବେଳେ ନବ ବଧୂ ଓ ବୟସ୍କା ରମଣୀମାନେ ପ୍ରିୟ ସଙ୍ଗିନୀ ଭାବେ ସମ୍ମାନ ଜଣାଇଥାନ୍ତି । ଉକ୍ତ ଦିବସର ରାତିରେ ବ୍ରତଧାରୀ କନ୍ୟାମାନେ ମକର ଚାଉଳ ତଥା ପିଠାପଣା ସମର୍ପି ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ସାରାରାତି ଅନିଦ୍ରା ରହି ପାରମ୍ପରିକ ଗୀତ, ନୃତ୍ୟରେ ନିଜକୁ ହଜାଇ ଦିଅନ୍ତି । ସଂକ୍ରାନ୍ତି ଦିନସମ୍ପୂର୍ଣ୍ଣ ଉପବାସ ରହି ଟୁସୁ ପ୍ରତିମାକୁ ନିକଟସ୍ଥ ନଦୀ ଅଥବା ପୁଷ୍କରଣୀରେ ବିସର୍ଜନ କରାଇଥାନ୍ତି ଓ ଏହି ବିସର୍ଜନ ପର୍ବ ମଧ୍ୟ ନିଆରା ଢ଼ଙ୍ଗରେ ସମାପନ କରାଯାଇଥାଏ । ଆବାଳ-ବୃଦ୍ଧ-ବନୀତା ବିସର୍ଜନ ପର୍ବର ଚିତାକର୍ଷକ ଦୃଶ୍ୟକୁ ଭରପୁର ଭେବେ ଉପଭୋଗ କରିବା ସଂଗେସଂଗେ ନୃତ୍ୟଗୀତର ତାଳେତାଳେ ଝୁମିଥାନ୍ତି । ନଦୀରେ ଦେବୀଙ୍କୁ ବିସର୍ଜନ କରା ଯାଉଥିବା ବେଳେ ମାତୃ ସ୍ଥାନୀୟ ମହିଳାମାନେ ଦେବୀଙ୍କୁ ଶେଷ ଶ୍ରଦ୍ଧା ପ୍ରଦର୍ଶନ ପୂର୍ବକ ଅତୀତର ଆତ୍ମ ବିସର୍ଜନର ଗାଥାକୁ ଗାନ ପୂର୍ବକ ବାହୁନିବାର ଲକ୍ଷ୍ୟ କରା ଯାଇଥାଏ । ମାତ୍ର ଏହି ସମୟରେ ବ୍ରତଧାରୀ କନ୍ୟାମାନେ ବୀରହାତ୍ମକ ଗୀତ ଗାନକରି ଟୁସୁ ଦେବୀଙ୍କୁ ବିସର୍ଜନ କଲାବେଳର ପରିବେଶକୁ ସ୍ତବଦ୍ଧ କରିପକାଇ ଥାଏ । ପର୍ବର ପରିସମାପ୍ତି ପରେ ସମସ୍ତେ ଘରକୁ ଫେରିଥାନ୍ତି ଓ ଘରର ମୁରବୀମାନେ ଦିବସ ପାଳନର ଐତିହ୍ୟ ଓ ମୂଲ୍ୟବୋଧ ଭିତ୍ତିକ ତାତ୍ୱିକ ଦିଗଉପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଅବଗତ କରାଇଥାନ୍ତି ।