ଋିଲିଫ, ପୁନରୁଦ୍ଧାର ପାଇଁ ଦିଆଯାଇଛି ୧୪୮୧.୨୫ କୋଟି
୧୯ ବର୍ଷରେ ଓଡ଼ିଶାର ଦାବି ୩୮୦୯୪ କୋଟି, ପାଇଛି ୪୫୭୨ କୋଟି
ଭୁବନେଶ୍ୱର, ୨୭ା୦୬: ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଆଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଆକଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ ଓ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୧୪୮୧.୨୫ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା: ମରୁଡ଼ି, ବନ୍ୟା, ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି, ଫାଇଲିନ୍, ହୁଡ୍ହୁଡ୍, ତିତିଲି ଓ ସର୍ବଶେଷରେ ଫନି ବାତ୍ୟା ଜନିିତ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ମୋଟ ୩୮୦୯୪ କୋଟି ୫୧ ଲକ୍ଷ ଟଙ୍କା ଦାବି କରିଛନ୍ତି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଦେଇଛନ୍ତିି ମାତ୍ର ୪୫୭୨ କୋଟି ୯୭ ଲକ୍ଷ ଟଙ୍କା ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ତଥା ବିପର୍ଯ୍ୟୟ ସଂପର୍କିତ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓଡ଼ିଶା ରିଲିଫ କୋଡ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ପ୍ରାଥମିକ ଆକଳନ ୭ ଦିନ ମଧ୍ୟରେ କରାଯାଇଥିବା ବେଳେ ବିସ୍ତୃତ ଆକଳନ ପାଇଁ ଏକ ମାସ ସମୟ ଲାଗିଥିଲା । ମୋଟ କ୍ଷୟକ୍ଷତି ଆକଳନ ପରିମାଣ ୯୩୩୬.୨୭ କୋଟି ଟଙ୍କା । ତେବେ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମ ଅନୁଯାୟୀ ୫୨୨୭.୬୮ କୋଟି ଟଙ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏଡିଆରଏଫ୍)ରୁ ୭୮୮.୮୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରକାଶ କରିଛନ୍ତି ।
ଗତ ୧୯ ବର୍ଷର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଦାବି ସଂକ୍ରାନ୍ତରେ ଉଲ୍ଲେଖ କରି ମନ୍ତ୍ରୀ କହିଲେ ଯେ ୨୦୦୩ ଅକ୍ଟୋବର ମାସର ବନ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୩୪୮.୭୮ କୋଟି ଦାବି କରିଥିବା ବେଳେ ଟଙ୍କାଏ ବି ମିଳିନଥିଲା । ସେହିପରି ୨୦୦୫ର ବନ୍ୟା ଓ ପ୍ରବଳ ବର୍ଷା, ୨୦୦୬ ଜୁଲାଇ ଓ ଅଗଷ୍ଟ ଓ ସେପେ୍ଟମ୍ବର ମାସର ବନ୍ୟା, ୨୦୦୯ ଝଡ଼ବାତ୍ୟା, ଅଚାନକ ବନ୍ୟା ଓ ମରୁଡ଼ି, ୨୦୧୪ର ହୁଡ୍ହୁଡ୍ ଓ ୨୦୧୮ର ମରୁଡ଼ି ନିମନ୍ତେ ମଧ୍ୟ ଟଙ୍କାଏ ବି କେନ୍ଦ୍ର ଦେଇନଥିଲା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୩ ମସିହାରେ ଘଟିଥିବା ଅତି ପ୍ରଳୟଙ୍କରୀ ଫାଇଲିନ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ମିଳିଥିଲା ୧୧୪୯.୮୩ କୋଟି ଟଙ୍କା । ସେହିପରି ୨୦୧୪ର ହୁଡ୍ହୁଡ୍ ବାତ୍ୟା ପାଇଁ ରାଜ୍ୟ ସରକାର ମାଗିଥିଲେ ୭୭୭.୧୨ କୋଟି ଟଙ୍କା । କିନ୍ତୁ ଟଙ୍କାଏ ବି ମିଳିଲା ନାହିଁ । ୨୦୧୮ର ତିତିଲି ବାତ୍ୟା ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୨୭୭୯.୩୨ କୋଟି ଟଙ୍କା । କିନ୍ତୁ ମିଳିଥିଲା ୩୪୧.୭୨ କୋଟି ଟଙ୍କା ।