ଜଳସଂପଦ ମନ୍ତ୍ରୀଙ୍କ ଜିଲ୍ଲାରେ ନାହିଁ ଜଳସେଚନ ପ୍ରକଳ୍ପ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଏଣିକି ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଆଉ ସମ୍ଭବ ନୁହେଁ । ଏ ନେଇ ଜମି ଅଧିଗ୍ରହଣ ବେଳେ ବଡ଼ ଧରଣର ବିସ୍ଥାପନ ସମସ୍ୟା ସହିତ ଜଟିଳ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଫଳରେ ରାଜ୍ୟରେ ଅଧିକାଂଶ ବୃହତ୍ ଜଳସେଚନ ପ୍ରକଳ୍ପ ଆଗେଇ ପାରୁନାହିଁ । ଏହି ଦୃଷ୍ଟିରୁ କୃଷିର ବିକାଶକୁ ଆଗେଇ ନେବା ପାଇଁ ରାଜ୍ୟରେ କ୍ଷୁଦ୍ର ଜଳସେଚନର ଆବଶ୍ୟକତା ଅଧିକ । କିନ୍ତୁ ନିର୍ମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୪୧ଟି ପୂରା ଅଚଳ ହୋଇପଡ଼ିଥିବା ବେଳେ ୩୯୩ଟି ଆଂଶିକ ଅଚଳ ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୨୯ଟି ଜିଲ୍ଲାରେ ୩୮୨୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ୫ ଲକ୍ଷ ୫୪ ହଜାର ୯୦ ହେକ୍ଟର ଜମିକୁ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏହି ସଂଖ୍ୟକ ପ୍ରକଳ୍ପଗୁଡ଼ିକ ଅଚଳ ହେବା ଯୋଗୁଁ ବର୍ତ୍ତମାନ ୪ ଲକ୍ଷ ୭୭ ହଜାର ୪୭୬ ହେକ୍ଟର ଜମିକୁ ପ୍ରକୃତରେ ଜଳସେଚନ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ସବୁଠାରୁ କୌତୁହଳର ବିଷୟ ଯେ ଖୋଦ୍ ଜଳ ସଂପଦ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଗୋଟିଏ ବି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାହିଁ । ସମ୍ଭବତଃ ଏହି କାରଣରୁ ସେ ତାଙ୍କ ଲିଖିତ ଉତ୍ତରରେ ୨୯ଟି ଜିଲ୍ଲାରେ ଜଳସେଚନ ପ୍ରକଳ୍ପର ସ୍ଥିତି ସଂପର୍କରେ ଜିଲ୍ଲାୱାରୀ ତଥ୍ୟ ଦେଇଥିଲେ ବି ନିଜ ଜିଲ୍ଲାର ତଥ୍ୟ ଦେଇ ନାହାନ୍ତି । ସେ ଯାହାହେଉ ସଂପୂର୍ଣ୍ଣ ଓ ଆଂଶିକ ଅଚଳ ଥିବା ୫୩୪ଟି ପ୍ରକଳ୍ପ ଯୋଗୁଁ ୩୫୨୬୦ ହେକ୍ଟର ଜମିକୁ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଏପରି କି ଅଚଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ହେଲେ ୧୭୬.୩୦ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ସେ ଦର୍ଶାଇଛନ୍ତି ।