ହେଡଲାଇନସ୍:

ମନ୍ତ୍ରୀ ମାନିଲେ: ୪୦୯୫୫ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ ଗୃହ ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୬୧୭ ସ୍କୁଲ୍‍ର ୨୦୨୬ଟି ଶ୍ରେଣୀଗୃହ ବିପଦଶଙ୍କୁଳ

ଭୁବନେଶ୍ୱର,: ରାଜ୍ୟରେ ଶିକ୍ଷାର ଅବସ୍ଥା କେତେ ସାଂଘାତିକ ସେ କଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଉତ୍ତରରୁ ଜଳ ଜଳ ଦେଖାଯାଉଛି । ସେ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ମୋଟ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ । ଏହାଛଡ଼ା, ୨୩୩ଟି ହାଇସ୍କୁଲର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । କେବଳ ସେତିକି ନୁହେଁ, ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।
ଆଜି ବିଜେପି ବିଧାୟକ ମୋହନ ଚରଣ ମାଝୀ ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତା’ର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ରାଜ୍ୟରେ ମୋଟ ୫୦୩୭ଟି ସରକାରୀ ୩୨୫୭ଟି ସରକାରୀ ଅନୁଦାନପ୍ରାପ୍ତ ଓ ୮୧୪ଟି ବେସରକାରୀ ହାଇସ୍କୁଲ୍‍ ରହିଛି । ସେଥିମଧ୍ୟରୁ ୨୩୩ଟି ବିଦ୍ୟାଳୟର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏଥିରୁ ରାଜ୍ୟର ଶିକ୍ଷା କିଭଳି ସ୍ଥିତି ଦେଇ ଗତି କରୁଛି ତାହା ଅନୁମାନ କରିହେବ ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଲେ ଯେ ରାଜ୍ୟରେ ମୋଟ ୩୩ ହଜାର ୩୮୩ଟି ପ୍ରାଥମିକ ବିଦ୍ୟାଳୟ ଓ ୧୭ ହଜାର ୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଅର୍ଥାତ୍‍ ମୋଟ ୫୦ ହଜାର ୫୨୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀ ଗୃହ ଅଛି । ପରୋକ୍ଷରେ ଏହା ସୂଚାଉଛି ଯେ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ ।
ଗଣଶିକ୍ଷା ମନ୍ତ୍ରୀ ଉଲ୍ଲିଖିତ ନିୟମ ଅନୁସାରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଅନୁପାତରେ ମଞ୍ଜୁର ହୋଇଥାଏ ବୋଲି ସୂଚନା ଦେଇଥିଲେ । ଏହି ନିୟମ ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯଥାକ୍ରମେ ୩୦ଜଣ, ୩୫ଜଣ ଓ ୪୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ନିର୍ମାଣ କରାଯାଇପାରିବ ।
ୟୁଡଆଇଏସ୍‍ଇ, ୨୦୧୭-୧୮ ତଥ୍ୟ ଅନୁଯାୟୀ ଚଳିତ ପିଏବି ୨୦୧୯-୨୦ ବର୍ଷରେ ୬୦୯୩ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ମଞ୍ଜୁରି ପାଇବା ପରେ ନିର୍ମାଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

0
0
0
s2sdefault