ବାରିପଦା ପୌରପରିଷଦରେ ଦୁର୍ନୀତିକୁ ନେଇ ବିବାଦ ପିଛା ଛାଡ଼ୁନାହିଁ ।
ବାରିପଦା(ଶାସକ ପ୍ରଶାସକ)- ଦୁର୍ନୀତି କଣ ଜାଣିବାର ଓ ଦେଖିବାର ଅଛି ଯଦି ତେବେ ବାରିପଦା ପୌରପରିଷଦକୁ ଆସ ବୋଲି ଜନସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୪ ପରବର୍ତ୍ତୀ ସମୟରୁ ବାରିପଦା ପୌରପରିଷଦରେ ଦୁର୍ନୀତିକୁ କେନ୍ଦ୍ର କରି ବିବାଦ ଥମୁନଥିବା ବେଳେ ବର୍ତ୍ତମାନ ବାରିପଦା ପୌରପରିଷଦର ପୁରୁଣା ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ମାର୍କେଟ କମ୍ପେ୍ଲକ୍ସରେ ମରାମତି ଓ ଉନ୍ନତିକରଣ ନାମରେ ୬,୬୩,୨୦୦ ଟଙ୍କାର ଦୁର୍ନୀତିକୁ ନେଇ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ଭାଇରାଲ ହୋଇଥିବା ଉକ୍ତ ଭିଡ଼ିଓକୁ ଯାଞ୍ଚ କରିବା ନିମନ୍ତେ ପ୍ରଥମେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବହୁ ଖୋଜାଖୋଜି କରିବା ପରେ ପୁରୁଣା ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ପୌରପରିଷଦର ମାର୍କେଟ କମ୍ପେ୍ଲକ୍ସର ଦୁଇ ତାଲିା ଛାତ ଉପରର ବୋଲି ଜଣାପଡ଼ିଥିଲା । ଛାତ ଉପରକୁ ଯିବା ପରେ ସେଠାରେ ନିର୍ମିତ ହୋଇଥିବା ଏକ ବାଥରୁମ କାନ୍ଥରେ ପୌରପରିଷଦ ପକ୍ଷରୁ ହୋଇଥିବା ଏକ କାର୍ଯ୍ୟର ସୂଚନା ଫଳକ ଥିବାର ଦେଖିବାକୁ ମିଳିଥିଲା । ସୂଚନା ଫଳକରେ ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ କାର୍ଯ୍ୟଟି ମାର୍କେଟ କମ୍ଲେକ୍ସର ମରାମତି ଓ ଉନ୍ନତି କରଣ ରହିଥିବା ବେଳେ ପ୍ରସ୍ତାବିତ ମୂଲ୍ୟ ୬,୬୩,୨୦୦ ଟଙ୍କା, ଠିକାର- ଅଜୟ କୁମାର ମହାପାତ୍ର, କାର୍ଯ୍ୟ ଆରମ୍ଭର ତାରିଖ- ୧୯.୦୭.୨୦୧୮ ଓ କାର୍ଯ୍ୟ ସମାପ୍ତର ୨୧.୦୧.୨୦୧୯ ରହିଛି । ଏହାପରେ ଦୁଇ ତାଲା ମାର୍କେଟ କମ୍ପେ୍ଲକ୍ସର ଛାତରେ ଥିବା ବାଥରୁମ କାନ୍ଥରେ ଥିବା ଏହି ସୂଚନା ଫଳକର ପାରିପାଶ୍ୱର୍କ ଅବସ୍ଥାକୁ ଅନୁଧ୍ୟାନ କରିବା ପରେ ଛାତ ଉପରେ ଏକ ସିମେଣ୍ଟ ନନ୍ଦରେ ନିର୍ମିତ ପାଣି ଟାଙ୍କି ସହ ମହିଳା ଓ ପୁରୁଷ ଶୌଚ ନିମନ୍ତେ ବ୍ୟବହାର ଉପଯୋଗୀ ଟିଣ ସିଟ ପକାଯାଇଥିବା ଦୁଇଟି ଛୋଟ ଘର ଦେଖିବାକୁ ମିଳିଥିଲା । ମହାପରେ ମହିଳା ଦର୍ଶାଯାଇଥିବା ଘର ଭିତରେ ମହିଳାଙ୍କ ଶୌଚ ନିମନ୍ତେ ଏକ ପ୍ୟାନ, ପାଣି ଟେପ ଓ ଗୋଟାଏ ମଗ ଏବଂ ପୁରୁଷ ରୁମରେ ପରିସ୍ରା କରିବା ନିମନ୍ତେ କାନ୍ଥରେ ଏକ ପ୍ୟାନ, ପାଣି ଟେପ ଓ ଗୋଟାଏ ମଗ ବ୍ୟବତୀତ ଦ୍ୱିତୀୟ କିଛି ଦେଖିବାକୁ ମିଳିନଥିଲା । ଏହାପରେ ଆମ ପ୍ରତିନିଧି ପହଁଞ୍ଚିଥିଲେ ପୌରକାର୍ଯ୍ୟାଳୟରେ । ସେଠାରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କୁ ସାକ୍ଷାତ କରି କାର୍ଯ୍ୟ ବିଷୟରେ ପରତାଳ କରିବାକୁ ଚାହିଁଥିଲେ ; କିନ୍ତୁ ନିର୍ବାହୀ ଅଧିକାରୀ ଶ୍ରୀଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ତାହା ସମ୍ଭବ ହୋଇପାରିନଥିଲା । ଫଳରେ ଉକ୍ତ କାର୍ଯ୍ୟକୁ ତଦାରଖ ଦାୟିତ୍ୱରେ ଥିବା ପୌରକର୍ମଚାରୀଙ୍କ ବିଷୟରେ ଖବର ନେବାରୁ କନିଷ୍ଠ ଯନ୍ତ୍ରୀ ଯାଦବେନ୍ଦ୍ର ମହାପାତ୍ର ଥିବାର ଜଣାପଡ଼ିଥିଲା ଓ କନିଷ୍ଠ ଯନ୍ତ୍ରୀ ମଧ୍ୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ । ତେଣୁ ଉକ୍ତ କାର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଜାଣିବା ନିମନ୍ତେ ଉଭୟ ନିର୍ବାହୀ ଅଧିକାରୀ ଶ୍ରୀଦାଶଙ୍କୁ ତାଙ୍କ ସେଲ ନମ୍ବର ୯୪୩୭୦୩୪୧୮୪ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶ୍ରୀମହାପାତ୍ରଙ୍କୁ ତାଙ୍କର ସେଲ ନମ୍ବର ୭୯୭୮୦୦୩୫୦୯ରେ ଯୋଗାଯୋଗ କରିବାରୁ ପ୍ରଥମେ ଫୋନ ଧରିନଥିଲେ । କିଛି ଘଣ୍ଟା ବ୍ୟବଧାନରେ କଲବେକ କରିବାରୁ ଅର୍ଥ ମାର୍କେଟ କମ୍ଲେକ୍ସର ମରାମତିରେ ଖର୍ଚ୍ଚ ହୋଇଥିବାର ପ୍ରକାଶ କରିବା ସହ ସେ ବେଙ୍ଗୁଲୁରୁରେ ଥିବାର ସୂଚନା ମିଳିଥିଲା । କନିଷ୍ଠ ଯନ୍ତ୍ରୀ ବେଙ୍ଗୁଲୁରୁ ଯାଇଥିବା ବେଳେ ପୌରପରିଷଦକୁ ଏବିଷୟରେ ଅବଗତ କରାଇଛନ୍ତି କି ନାହିଁ ତାହା ପରବର୍ତ୍ତି ବିଷୟ ହୋଇଥିବା ବେଳେ ବାରିପଦା ପୁରୁଣା ବସଷ୍ଟାଣ୍ଡ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସ ୨୦୧୮-୧୯ରେ କୌଣସି ମରାମତି ଓ ଉନ୍ନତିକରଣ କାର୍ଯ୍ୟ ହୋଇନାହିଁ ବୋଲି ସ୍ଥାନୀୟ ଜନସାଧାରଣ ମତପ୍ରକାଶ କରିଛନ୍ତି । ଏଥି ସହିତ ବାରିପଦା ପୌରପରିଷଦ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଭିଜିଲାନ୍ସ ପୌରପରିଷଦରେ ହୋଇଥିବା ଦୁର୍ନୀତି ଉପରେ ହସ୍ତକ୍ଷେପ କରିବା ନିମନ୍ତେ ଦାବି କରିଛନ୍ତି ।