ହେଡଲାଇନସ୍:

ତେଜୁଛି ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାର ଆସୋସିଏସନ ପକ୍ଷରୁ ୩ ଦିନିକିଆ କୋର୍ଟ ବନ୍ଦ

ବାଲେଶ୍ୱର,(ଉଜ୍ଜ୍ୱଳ କର): ଉତ୍ତରାଞ୍ଚଳରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପୁଣି ସକ୍ରିୟ ହୋଇ ଉଠିଛି ବାଲେଶ୍ୱର ଜିଲ୍ଳା ବାର ଆସୋସିଏସନ । ବାରମ୍ବାର ଦାବି ପରେ ବି ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ନହେବା ଯୋଗୁଁ ବାର ଆସୋସିଏସନ ପକ୍ଷରୁ ଆଜିଠାରୁ  ଆରମ୍ଭ ହୋଇଛି ତିନିଦିନିଆ କୋର୍ଟବନ୍ଦ ଆନେ୍ଦାଳନ । ସଂଘର କର୍ମକର୍ତ୍ତା ଓ ସଦସ୍ୟଙ୍କ ସମେତ ବାଲେଶ୍ୱରର ଆଇନଜୀବୀମାନେ  କାର୍ଯ୍ୟବନ୍ଦ ସହ ଜିଲ୍ଲା ଜଜ୍ କୋର୍ଟ ସମ୍ମୁଖରେ ବିଷୋଭ ପ୍ରଦର୍ଶନ କରିଥିଲେ ।  ସଂଗଠନର ସଭାପତି ନିରଂଜନ ପଣ୍ଡା ଓ ସମ୍ପାଦକ ସମ୍ବିତ୍ ନନ୍ଦୀଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ଆଇନଜୀବୀ ଯୋଗଦେଇ ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାଳକ୍ଷେପଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ପଶ୍ଚିମ ଓଡ଼ିଶାରେ ବେଞ୍ଚ ପ୍ରତିଷ୍ଠା  ଦାବିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ ବି ଉତ୍ତର ଓଡ଼ିଶା କ୍ଷେତ୍ରରେ ଚୁପ୍ ରହିବା ଆଦୌ ସମୀଚୀନ ନୁହେଁ ବୋଲି ସଂଗଠନର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଓତ୍ତର ଓଡ଼ିଶାର ସର୍ବାଧିକ ମାମଲା ସମ୍ପ୍ରତି ହାଇକୋର୍ଟରେ ପଡ଼ିରହିଥିବା ବାର ଆସୋସିଏସନ ସମ୍ପାଦକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପକ୍ଷରେ ଦୂରତା ଦୃଷ୍ଟିରୁ ଉତ୍ତର ଓଡ଼ିଶାର ମୟୂରଭଂଜ ଓ ରାୟରଙ୍ଗପୁର ଆଦି ଅଞ୍ଚଳ ୩୫୦ କିମିରୁ ଅଧିକ ହେବ । ଏଭଳି ସ୍ଥିତିରେ ଉତ୍ତର ଓଡ଼ିଶାର କେନ୍ଦ୍ରସ୍ଥଳ ବାଲେଶ୍ୱରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ଏକାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ତେବେ ପ୍ରତୀକ ଧର୍ମଘଟ ଭାବେ ଆସୋସିଏସନ ପକ୍ଷରୁ ୩ ଦିନ ପାଇଁ କାର୍ଯ୍ୟବନ୍ଦ  ଆନ୍ଦୋଳନ ଡକରା ଦିଆଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଆଗାମୀ ଦିନରେ  ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ଜିଲ୍ଲା ଜଜଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଓ କର୍ମଚାରୀମାନଙ୍କୁ ଆନ୍ଦୋଳନକାରୀମାନେ କୋର୍ଟ ମଧ୍ୟକୁ ପ୍ରବେଶ କରାଇ ଦେଇନଥିଲେ । ତେବେ ଗେଟ୍ ନିକଟରୁ ସେମାନଙ୍କୁ ଫେରାଇ ଦିଆଯିବା ସହ ଆସୋସିଏସନ ପକ୍ଷରୁ ଜିଲ୍ଳା ଜଜଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ଆନ୍ଦୋଳନକାରୀ ଆଇନଜୀବୀମାନେ  ବିଭିନ୍ନ କୋର୍ଟକୁ ବୁଲି କାର୍ଯ୍ୟବନ୍ଦ କରାଇଥିଲେ । ଫଳରେ ଦୂରଦୂରାନ୍ତରୁ କୋର୍ଟ କାର୍ଯ୍ୟରେ ଆସିଥିବା ସାଧାରଣ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ସତ୍ତ୍ୱେ ବି ଆଇନଜୀବୀଙ୍କ ପକ୍ଷରୁ ହେଉଥିବା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault