କିଚିଣ୍ଡାରେ ଭିଏଚପିର ଧର୍ମରକ୍ଷା ଯଜ୍ଞ
ରାଜଗାଙ୍ଗପୁର/ସୁନ୍ଦରଗଡ଼(HORACHAND DEURIA) - ଆଜି ଭାରତ ତଥା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅଶାନ୍ତି ଓ ବିଦ୍ବେଷରୁ ରକ୍ଷା ପାଇବାକୁ ହେଲେ ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରିବାର ବହୁ ଆବଶ୍ୟକତା ରହିଛି। କାରଣ ଜଗନ୍ନାଥ ସଂସ୍କୃତିରେ ହି ବସୁଧେବ କୁଟୁମ୍ବକମ୍ ଓ ସାମାଜିକ ସମାନତାର ମାହାତ୍ମ୍ୟ ଭରିରହିଛି। ତେଣୁ ଜଗନ୍ନାଥ ସଂସ୍କୃତି ହି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବ। ଆଜି ରାଜଗାଙ୍ଗପୁର ବ୍ଳକ ଅନ୍ତର୍ଗତ ବଣପାହାଡ ଘେରା କିଚିଣ୍ଡା ଗ୍ରାମରେ ଦେବସ୍ନାନ ପୂର୍ଣିମା ଅବସରରେ ଅନୁଷ୍ଠିତ ଧର୍ମରକ୍ଷା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ବିଶ୍ବହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ। ଶ୍ରୀ କୁସୁମ ଏହି ଅବସରରେ ଆହୁରି କହିଛନ୍ତି ଯେ, ଆଜି ବିଶ୍ବର ଅନେକ ଅରାଷ୍ଟ୍ରିୟ ଶକ୍ତି ହିନ୍ଦୁ ସଂସ୍କୃତିକୁ ଲୁପ୍ତ କରିବାକୁ ଯୋଜନାବଧ ଭାବରେ କାର୍ଯ୍ୟ କରୁଛନ୍ତି। ବନବାସୀ କ୍ଷେତ୍ରରେ ବସବାସ କରୁଥିବା ଶାନ୍ତ ଶରଳ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଓ ଅନ୍ଧବିଶ୍ବାସ ଦେଖାଇ ବଳପୂର୍ବକ ଧର୍ମାନ୍ତରିକରଣ କରିବାକୁ ଷଡଯନ୍ତ୍ର କରୁଛନ୍ତି। ହେଲେ ଆମେ ସେଇ ଧର୍ମାନ୍ତରିକରଣକାରିକୁ ସଠିକ ଭାବରେ ଚିହ୍ନିବା ସହିତ ତାଙ୍କୁ କଡା ଜବାବ ଦେବାକୁ ଶ୍ରୀ କୁସୁମ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆହ୍ବାନ କରିଥିଲେ। ଆଜି ସକାଳ 10 ଟାରେ ଗାଁର ମା ଭଉଣୀମାନେ କଳଶ ଶୋଭାଯାତ୍ରାରେ ନିକଟସ୍ଥ ନାଳରୁ ପାଣି ଆଣିଲା ପରେ ଯଜ୍ଞ ମଣ୍ଡପରେ କଳଶ ସ୍ଥାପନ ହୋଇଥିଲା। ତାପରେ ଯଜ୍ଞ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଯଜ୍ଞ କାର୍ଯ୍ୟର ପୂର୍ଣାହୁତି ପରେ ଅନୁଷ୍ଠିତ ଧର୍ମସଭାରେ ଶ୍ରୀ କୁସୁମ ଜଗନ୍ନାଥ ସଂସ୍କୃତିର ମହିମା ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ଜଗନ୍ନାଥ ସଂସ୍କୃତିକୁ ଜୀବନରେ ଧାରଣ କରି ଜୀବନ ଅତିବାହିତ କରିବାକୁ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଥିଲେ। ହିରାଲାଲ କୁଜୁରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇମନି କୁଜୁର, ସନ୍ତୋଷ ଏକ୍କା, ପୁରଞ୍ଜନ ମାଝୀ, ଅଞ୍ଜନା କୁଜୁର, ଆନିତା କୁଜୁର, ଲକ୍ଷ୍ମୀ ଲାକ୍ରା, ରୁପା ଲାକ୍ରା, ପୁଜା ଲାକ୍ରା, ଆଶବିନି ଲାକ୍ରା, ବିଶାଖା ଦଲଦଲିଆ, କଳ୍ପନା ଦଲଦଲିଆ, କର୍ଣ୍ଣ ଦଲଦଲିଆ, ଗାରବୁ ଲାକ୍ରା, ଦିନୁ କୁଜୁର, ବଲ ଲାକ୍ରା, ଶୁକ୍ରାମ କୁଜୁର, ବସନ୍ତ ଲାକ୍ରା, ସୂର୍ଯ୍ୟ ମାଝୀ, ବିର ଲାକ୍ରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉପାନ୍ତ ଅଞ୍ଚଳରେ ବିଶ୍ବହିନ୍ଦୁ ପରିଷଦର ଏପ୍ରକାର କାର୍ଯ୍ୟକ୍ରମ ହିନ୍ଦୁ ଧର୍ମାବଲମ୍ବିଙ୍କ ମଧ୍ୟରେ ବେଶ ଉସାହ ସୃଷ୍ଟି କରିଥିବା ପରିଲକ୍ଷିତ ହୋଇଥିଲା।