ଭୁବନେଶ୍ୱର/ଶାସକ ପ୍ରଶାସକ : ଆସନ୍ତା ଦୁଇ ବର୍ଷରେ ଓଡିଶାରେ ଆବଶ୍ୟକ ତୁଳନାରେ ଅଧିକ ଡାକ୍ତର ଉପଲବ୍ଧ ହେବେ । ମେଡିକାଲ କଲେଜ ଗୁଡିକରୁ ଅଧିକ ସଂଖ୍ୟାରେ ଡାକ୍ତର ଉତ୍ତୀର୍ଣ୍ଣ ହେବାକୁ ଯାଉଥିବାରୁ ଆଗାମୀ ଦିନରେ ରାଜ୍ୟର କୌଣସି ଚିକିତ୍ସାଳୟରେ ଆଉ ଡାକ୍ତର ଅଭାବ ରହିବନାହିଁ । ସଚିବାଳୟ ଠାରେ ଆଜି ଦପ୍ତର ପ୍ରବେଶ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଦାସ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ସବୁବେଳେ ଏକ ବଡ ଆହ୍ୱାନ । ତେବେ ସମସ୍ତ ପ୍ରକାର ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।ସଚିବାଳୟ ମନ୍ତ୍ରୀ କରିଡରର ଦ୍ୱିତୀୟ ମହଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରକୋଷ୍ଠ ମିଳିଥିବାବେଳେ ଆଜି ପୂର୍ବାହ୍ନରେ ବିଧିବଦ୍ଧ ଭାବେ ମନ୍ତ୍ରୀ ସେଠାରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦପ୍ତର କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ଛୋଟିଆ ପୂଜାପାଠର ଆୟୋଜନ ହୋଇଥିଲା ।
ଆଜି ଶ୍ରୀ ଦାସଙ୍କ ଦପ୍ତର କାର୍ଯ୍ୟ ଆରମ୍ଭ ସମୟରେ ମନ୍ତ୍ରୀଙ୍କ ଦପ୍ତରର ସମସ୍ତ କର୍ମଚାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।