ହେଡଲାଇନସ୍:

ଯୁବତୀକୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅଧୀନ ତଥା ବାରିପଦା – ଚିତ୍ରଡ଼ା ରାସ୍ତା ପାଶ୍ୱର୍ରେ ଥିବା ଗୁଞ୍ଜୁସାହି ସଂରକ୍ଷିତ ଜଙ୍ଗଲ ପରିସରରୁ ସଦର ଥାନା ପୁଲିସ ଗତ ମାର୍ଚ୍ଚ ୨ରେ ଏକ ଯୁବତୀର ଉଦ୍ଧାର କରିବା ପରେ ଥାନାରେ ୧୫/୦୨.୦୩.୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ।  ଶେଷରେ ଉଦ୍ଧାର ହୋଇଥିବା କଙ୍କାଳ ଉପରୁ ପରଦା ହଟିଛି । ଯୁବତୀ ଜଣକ ବାଲେଶ୍ୱର ଜିଲ୍ଲା ଶିଙ୍ଗଲା ଥାନା ଅନ୍ତର୍ଗତ ଜାମୁଶୁଳୀ ଅଞ୍ଚଳର ଅଭିମନୁ୍ୟ ମହାନ୍ତିଙ୍କ ଝିଅ ଲିପି ଓରଫ ଲୋପାମୂଦ୍ରା ମହାନ୍ତି(୧୯) ବୋଲି ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ଲୋପାମୂଦ୍ରା ଜାମୁଶୁଳୀସ୍ଥିତ ଏଲ ଏନ ମହାବିଦ୍ୟାଳୟରେ +୩ ବିଜ୍ଞାନରେ ଦ୍ୱିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । ଗତ ଫେବୃଆରୀ ୧୬ରେ ମହାବିଦ୍ୟାଳୟକୁ ଇଣ୍ଟରନାଲ ପରୀକ୍ଷା ଦେବା ଆସି ଆଉ ଘରକୁ ଫେରିନଥିଲେ । ଲୋପାମୂଦ୍ରା ବ୍ୟବହାର କରୁଥିବା ମୋବାଇଲକୁ ଫୋନ କରିବା ପରେ ସୁଇଚ ଅଫ ରହିଥିବାର ଜଣାପଡ଼ିଥିଲା । ଏଥି ସହିତ ଲୋପାମୂଦ୍ରାର ସାଙ୍ଗସାଥୀ, ବନ୍ଧୁବାନ୍ଧବ ସବୁଆଡେ଼ ଖୋଜାଖୋଜି କରି ନିଜ ଝିଅର କୌଣସି ସନ୍ଧାନ ନପାଇବା ପରେ ଝିଅ ସହିତ ମିଳାମିଶା କରୁଥିବା ବାଲିଆପାଳ ଥାନା ଖଗଡ଼ାପାଳ ଗ୍ରାମର ଗିରିଜା ଓରଫ ଆଶିଷ କୁମାର ଦେଙ୍କ ଉପରେ ସନେ୍ଦହ ହେବାରୁ ତା ନାମରେ ଶିଙ୍ଗଲା ଥାନାରେ ଅଭିଯୋଗ କରିଥିଲେ । ଘଟଣାରେ ଫେରାର ରହିଥିବା ଅଭିଯୁକ୍ତ ଆଶିଷକୁ ଶିଙ୍ଗଲା ଥାନା ପୁଲିସ ଗିରଫ କରିବା ପରେ ପ୍ରକୃତ ଘଟଣା ଉପରୁ ପରଦା ହଟିଥିଲା । ଅଭିଯୁକ୍ତ ଆଶିଷ ଶିଙ୍ଗଲା ଥାନା ପୁଲିସ ନିକଟରେ ସମସ୍ତ ଅପରାଧ ସ୍ୱୀକାର କରିଥିଲା । ଲୁପାମୁଦ୍ରାକୁ ଅପହରଣ କରିବା ପରେ ହତ୍ୟା କରି ଗୁଞ୍ଜୁସାହି ଜଙ୍ଗଲରେ ଫିଙ୍ଗି ଦେଇଥିବାର ପୁଲିସ ନିକଟରେ ପ୍ରକାଶ କରିଥିଲା । ଫଳରେ ଅଭିଯୁକ୍ତ ଆଶିଷ କହିବା ଅନୁସାରେ ଶିଙ୍ଗଲା ଥାନା ପୁଲିସ ବାରିପଦା ସଦର ଥାନା ପୁଲିସର ସହାୟତା ନେଇଥିଲା ଏବଂ ଗୁଞ୍ଜୁସାହି ଜଙ୍ଗଲ ମଧ୍ୟରୁ ବାରିପଦା ସଦର ଥାନା ପୁଲିସ ଜବତ କରିଥିବା ଯୁବତୀର କଙ୍କାଳ ସହିତ ବସ୍ତ୍ର ଆଦିକୁ ଦେଖି ଏହା ଲୁପାମୁଦ୍ରାର ବୋଲି ଅଭିଯୁକ୍ତ ଚିହ୍ନଟ କରିଥିଲା । ଉକ୍ତ ହତ୍ୟା ମାମଲାରେ ଅଧିକ ସୂଚନା ଜାଣିବା ନିମନ୍ତେ ଶିଙ୍ଗଲା ଥାନା ପୁଲିସ ଆଶିଷକୁ ଥାନାକୁ ନେଇ ପଚରାଉଚରା ଚଳାଇଥିବାର ଜଣାପଡ଼ିଛି ।

0
0
0
s2sdefault