ବର୍ଜ୍ଜ୍ୟବସ୍ତୁ ସୁପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭା ଗୃହ ଠାରେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା କାର୍ଯ୍ୟକ୍ରମରେ ପାରଳା ସହରରୁ ବାହାରୁ ଥିବା ବର୍ଜ୍ୟବସ୍ତୁର ସୁପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୫୦ରୁ ଉର୍ଧ୍ଵ ମହିଳା ପୁରୁଷ ମେହେନ୍ତର , ସଫେଇ , ଝାଡୁଦାର କର୍ମଚାରୀଙ୍କ ସମେତ ଜମାଦାର ଓ ପରିମଳ ନୀରିକ୍ଷକ ଯୋଗଦେଇ ସେମାନଙ୍କୁ ମୁଖ୍ୟତଃ ବିଭିନ୍ନ ସହରାଞ୍ଚଳରେ ଘର ଓ ବାହାର ଅଞ୍ଚଳରୁ ବାହାରୁଥିବା ବର୍ଜ୍ଜ୍ୟବସ୍ତୁକୁ କିଭଳି ପରିଚାଳନା କରାଯାଉଛି ତାହା ସ୍ଲାଇଡ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଇବା ସହ ଟିକିନିଖି ବୁଝାଇଥିଲେ ।
ପ୍ରଶିକ୍ଷଣ ଶିବିର ସଭାରେ ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ଭିତ୍ତିଭୂମି ଦକ୍ଷତା ଅଧିକାରୀ ସନ୍ଦିପ କୁମାର, ପୌରଯନ୍ତ୍ରୀ ବି.ଭେଙ୍କେଟ ରାବଣା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟତଃ ବର୍ଜ୍ଜ୍ୟବସ୍ତୁ ସୁପରିଚାଳନାରେ କେନ୍ଦ୍ରସରକାରଙ୍କ ପରିବେଶ ଓ ପ୍ରଦୂଷଣ ବିଭାଗ ପକ୍ଷରୁ ଗତ ଏପ୍ରିଲ ୨୦୧୬ରେ ଯେଉଁ ବିଜ୍ଞପ୍ତି ଜାରି କରାଯାଇଛି ଏହାକୁ କିପରି ସୁଚାରୁରୁପେ କାର୍ଯ୍ୟକାରୀ କରାଯିବ ସେ ସବୁ ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ । ଅନ୍ୟ ପକ୍ଷରେ ଏ ଦିଗରେ ପୌରପରିଷଦର ଦାୟିତ୍ୱ ଓ କର୍ତ୍ତବ୍ୟ ସହ ଭୂମିକା ଉପରେ ବୁଝାଇ କିଭଳି ଆମେ ପ୍ରତିଗୃହରୁ ଅଳିଆ ଅବର୍ଜନା ସବୁ ସଂଗ୍ରହ କରିବା ଏବଂ ତାହା କିଭଳି ଆମେ ସଠିକ ଭାବେ ଓଦା ଓ ଶୁଖିଲା ବର୍ଜ୍ଜ୍ୟବସ୍ତୁକୁ ନୀଳ ଓ ସବୁଜ ରଙ୍ଗର ମଇଳା ବକ୍ସରେ ସଂଗ୍ରହ କରି କମ୍ପୋଷ୍ଟ ପିଟ୍ ରେ ପକାଇ ପୁଣି ସେଠାରୁ କମ୍ପୋଷ୍ଟ ପ୍ରୋସେସିଂ ପ୍ଲାଣ୍ଟକୁ ନେବା ତାହା ବୁଝାଇଥିଲେ ।
ଏଠାରେ ସୂଚନା ଯୋଗ୍ୟଯେ ପାରଳାଖେମୁଣ୍ଡି ସହରରୁ ଦୈନିକ ପ୍ରାୟ ୭ରୁ ୮ ଟନ ବିଭିନ୍ନ ସ୍ଥାନରୁ ଅଳିଆ ଅବର୍ଜନା ତଥା ବର୍ଜ୍ୟବସ୍ତୁ ବାହାରିଥାଏ | ହେଲେ ସେ ସବୁକୁ ପକାଇବା ପାଇଁ ଉପଯୁକ୍ତ ସ୍ଥାନ ନାହିଁ । ଏ ସବୁକୁ ଦୃଷ୍ଟିରେ ରଖି ଓଡିଶାଗୃହ ନିର୍ମାଣ ଓ ନଗର ନିର୍ମାଣ ବିଭାଗ ସହାୟତାରେ ପୌରସଂସ୍ଥା ପକ୍ଷରୁ ପାରଳାଖେମୁଣ୍ଡି ସହର ମୋଟ ୧୬ଗୋଟି ୱାର୍ଡରେ ପ୍ରାୟ ୩୦୦ଟି କମ୍ପୋଷ୍ଟ ପିଟ୍ ଯୁଦ୍ଧକାଳୀନଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ କରାଯିବା ସହ ସ୍ଥାନୀୟ ରାମନଗର ଠାରେ ଦେଢକୋଟି ଟଙ୍କା ବ୍ୟୟରେ ୫୦ମିଟର x ୩୫ମିଟର ରେ ଏକ କମ୍ପୋଷ୍ଟ ପ୍ରଶୋସିଂ ପ୍ଲାଣ୍ଟ ନିର୍ମାଣ ହେବା ଏବଂ ତାହା ଅତି ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ୧୫୦ଜଣଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ହିମାଂଶୁ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।