-
ପୁରୀ ଶରଧାବାଲିରେ ଦଳଚକଟାରେ ମୃତୁ୍ୟବରଣ କରିଥିବା ଭକ୍ତଙ୍କ ପାଇଁ ସରକାର ଦାୟୀ: ବିଜେଡି
-
ଅଘଟଣ ସମୟରେ କୌଣସି ପ୍ରଶାସନିକ ଅଫିସର ଓ ପୋଲିସ୍ ନଥିଲେ କ’ଣ ପାଇଁ ?
ଭୁବନେଶ୍ୱର, ୩୦/୦୬/୨୦୨୫: ଚଳିତବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ବୋଲି ସରକାର ବାରମ୍ବାର ଦାବି କରି ଆସୁଥିଲେ, କିନ୍ତୁ ଅବ୍ୟବସ୍ଥା ଓ ମହାବିଭ୍ରାଟ ଯୋଗୁଁ ୩ ଜଣ ଭକ୍ତଙ୍କ ଜୀବନ ଗଲା । ଏଥିପାଇଁ ଯେଉଁମାନେ ଦାୟୀ, ସରକାର ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜୁ ଜନତା ଦଳ କହିଛି ।
ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ଗତକାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମହାପ୍ରଭୁ ଜଗନ୍ନାଥଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ଯେଭଳି ୩ ଭକ୍ତଙ୍କ ପ୍ରାଣ ଗଲା ଓ ୫୦ରୁ ଊଦ୍ଧ୍ୱର୍ ଆହତ ହେଲେ, ଏଥିପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ ଅଟନ୍ତି । ପୋଲିସ୍ ବ୍ୟବସ୍ଥା ଅନୁଯାୟୀ ଘଟଣା ଘଟିଥିବା ସମୟରେ ସେଠାରେ ୨୨ ପ୍ଲାଟୁନ ପୋଲିସ୍ ଫୋର୍ସ ରହିବା କଥା । ମାତ୍ର ବଡ଼ ଦୁଃଖର କଥା ସେଠାରେ କେହି ପୋଲିସ୍ ଉପସ୍ଥିତ ନଥିଲେ, ଭିଡ଼ ଯୋଗୁଁ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଏହି ସମ୍ବେଦନଶୀଳ ଘଟଣା ଉପରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟୁଇଟ୍ ମାଧ୍ୟମରେ ମୃତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ପରେ ସରକାରଙ୍କ ଚେତା ପଶିଲା । ଧର୍ମକୁ ଆଖିଠାର ସଦୃଶ୍ୟ ସରକାର ତରବରିଆ ଭାବେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଚେଷ୍ଟା କରିଛନ୍ତି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଯେଉଁ ଅଭିଜ୍ଞ ଅଫିସରମାନଙ୍କୁ ଘଟଣା ଘଟିବା ପରେ ଦାୟିତ୍ୱରେ ପଠାଗଲା, ସେମାନଙ୍କୁ ଆଗରୁ କାହିଁକି ଦାୟିତ୍ୱ ଦିଆଯାଇ ନଥିଲା ? ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ପୋଲିସ୍ ମହାନିଦେ୍ର୍ଦଶକ ଶ୍ରୀ ପ୍ରକାଶ ମିଶ୍ର ଯେଭଳି ଭାବରେ ଗଣମାଧ୍ୟମ ଆଗରେ ନିଜର ପାରିବା ପଣିଆକୁ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି, ଯଦି ଏହିଭଳି ତତ୍ପରତା ପୂର୍ବରୁ ଦେଖାଇଥାନ୍ତେ, ତାହେଲେ ଆଜି ନିରୀହ ୩ଟି ମୂଲ୍ୟବାନ ଜୀବନ ଯାଇନଥାନ୍ତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଯେଉଁଭଳି ଭାବରେ ପୋଲିସ୍ ପ୍ରଶାସନକୁ ପ୍ରଶଂସାରେ ପୋତି ପକାଉଥିଲେ, ଆଜି କ’ଣ ପାଇଁ ସେ ମୁହଁ ଖୋଲୁନାହାନ୍ତି? ଏଆଇ କ୍ୟାମେରା ଓ ମାଳ ମାଳ ସିସିଟିଭି ରଥଯାତ୍ରାକୁ ନିରୀକ୍ଷଣ କରୁଥିବାର ବଡ଼ ବଡ଼ କଥା କହୁଥିବା ସରକାରର ମୁଖା ଖୋଲିଦେଇଛି । ଯଦି ଏତେ ବ୍ୟବସ୍ଥା ଥିଲା, ତାହେଲେ ଏଭଳି ଅଘଟଣ ଘଟିଲା କେମିତି ? ଆଗାମୀ ଦିନରେ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ସମସ୍ତ ଭକ୍ତଙ୍କ ପାଇଁ ସରକାର ଇନସୁ୍ୟରାନ୍ସ କଭରେଜ୍ କରନ୍ତୁ । ଏହି ଘଟଣା ପାଇଁ ରଥଯାତ୍ରା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଇସ୍ତଫା ଦିଅନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି ।