ଝରକା ଭାଙ୍ଗି ଲୁଟି ନେଲେ ୫ଲକ୍ଷ ଟଙ୍କାରୁ ଅଧିକ ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା
ବାରିପଦା(୦୭/୦୬)- ଜନତାଙ୍କ ଧନ ଜୀବନ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛି । ବାରିପଦା ସହରରେ ହତ୍ୟା, ଚୋରୀ, ଠକେଇ, ଛିନତାଇ ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପୁଲିସର ଏଦିଗରେ ନିଘା ନାହିଁ କି ପଘା ନାହିଁ ଭଳି କାର୍ଯ୍ୟ କରୁଛି । ବିଶେଷ କରି ବାରିପଦା ଟାଉନ ଥାନା ଅଧିକାରୀ ଭାବେ ଅଶୋକ କୁମାର ନାୟକ ଦାୟିତ୍ୱ ଭାର ସମ୍ଭାଳିବା ପରଠାରୁ ସହରରେ ଅପରାଧ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ ଜୁନ ୬ ଗୁରୁବାର ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ଥାନା ଅଧିନ ତଥା ବାରିପଦା ପୌରପରିଷଦର ୱାର୍ଡ ନଂ ୧୨ରେ କୃପାନିଧି ପ୍ରତିହାରୀଙ୍କ ଘରେ ଭଡା ରେ ରହୁଥିବା ସୁବ୍ରତ ବିଶ୍ୱାଳଙ୍କ ଘରୁ ଚୋରମାନେ ଝରକା ଭାଙ୍ଗି ସର୍ବସ୍ୱ ଲୁଟି ନେଇଯାଇଥିବାର ଅଭିଯୋଗ ହୋଇଛି । ଶ୍ରୀବିଶ୍ୱାଳଙ୍କ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ଗତକାଲି ରାତ୍ରିରେ ସେମାନେ ଘରେ ନ ଥିବା ସମୟରେ ଦୁର୍ବୁତ୍ତମାନେ ଏପରି ଘଟଣା ଭିଆଇଥିଲେ ବୋଲି କହିଛନ୍ତି। ଚୋରମାନେ ଘରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଯାଇଛନ୍ତି। ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାର ଜଣାପଡିଛି ।