ବାରିପଦା-(ଦିଲ୍ଲୀପ ମହାନ୍ତି) ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱବଧାନରେ ବାରିପଦା ଦେବତର ବିଭାଗ ପକ୍ଷରୁ ତା.୦୪.୦୬.୨୦୧୯ ରିଖ ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ରଥଯାତ୍ରା ସମନ୍ୱୟ କମିଟିର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ମୟୂରଭଞ୍ଜ ବିନୀତ୍ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମୟୂରଭଞ୍ଜ, ଆବୋଲି ସୁନିଲ୍ ନରୱାଣେ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବତର, ବାରିପଦା ଦିବ୍ୟଜ୍ୟୋତି ପରିଡା, ପ୍ରମୁଖ ସମେତ ସଂପୃକ୍ତ ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ, ରଥ ମହାପାତ୍ର, ସେବାୟତ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କୀତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ମତପୋଷଣ କରିଥିଲେ ।
ବୈଠକରେ ସହକାରୀ ଜିଲ୍ଲାପାଳ ତଥା ସହକାରୀ ନିର୍ବାହୀ ଅଧିକାରୀ ଦେବୋତ୍ତର, ବାରିପଦା ବିଶ୍ୱରଂଜନ ମହାନ୍ତି ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବାରିପଦା ରଥଯାତ୍ରା - ୨୦୧୯ ପାଳନ ସଂପର୍କୀତ ପ୍ରସ୍ତୁତି କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଏହା ଉପରେ ସବିଶେଷ ଆଲୋଚନା କରଯାଇ ସଂପୃକ୍ତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଏବଂ ଦେବତର ବିଭାଗ ଓ ସେବାୟତ ମଧ୍ୟରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରୀତ ସମୟରେ ସୂଚାରୁ ରୂପେ ସଂପାଦନ ପୂର୍ବକ ସୁପରିଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଅଛି । କାର୍ଯସୂଚୀ ଅନୁଯାଇ ଶ୍ରୀ ଶ୍ରୀ ହରିବଳଦେବ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରା ଙ୍କ ରଥ ନିର୍ମାଣ ଏବଂ ବାରିପଦା ଦେବତର ଅଧୀନସ୍ଥ ଅନ୍ୟାନ୍ୟ ରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ବନଖଣ୍ଡ ବାରିପଦା, କରଂଜିଆ ଓ ରାଇରଙ୍ଗପୁର ଙ୍କ ତତ୍ୱାବଧାନରେ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବାରିପଦା ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିଦ୍ଧାରୀତ ସମୟ ମଧ୍ୟରେ ଶେଷ କରାଯିବା ଏବଂ ନିୟମିତ ତଦାରଖ କରି ଫିଟ୍ନେସ୍ ସାର୍ଟିଫିକେଟ୍ ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ ପୂର୍ତ ବିଭାଗ ମୟୂରଭଞ୍ଜ ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି ବାରିପଦା ଦେବତର ବିଭାଗ ଅଧିନସ୍ଥ ସମସ୍ତ ରଥ ନିର୍ମାଣରେ ଆଗାମୀ ବର୍ଷ ପାଇଁ ଆବଶ୍ୟକ ପଡୁଥିବା କାଠ ଯୋଗାଇ ଦେବା ଏବଂ କାଠର ସଠିକ ବ୍ୟବହାର ତଥା ସାଇତି ରଖାଯିବା ଦିଗରେ ବହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ଶ୍ରୀ ଶ୍ରୀ ହରିବଳଦେବ ଜୀଉ, ସାନ ଜଗନ୍ନାଥ, ରାଧା ମୋହନ ଓ ମାଉସୀମାବାଡି ଆଦି ମନ୍ଦିର ଏବଂ ରଥରେ ରଙ୍ଗ ଦେବା ଆଦି ଆନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଦ୍ଧାରୀତ ସମୟରେ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି । ରଥଯାତ୍ରା ସମୟରେ ରଥ ବଡଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ରଥଟଣା ସମୟରେ ଏନ.ସି.ସି., ଏନ୍.ଏସ୍.ଏସ୍ ୟୁଥ୍ ରେଡକ୍ରସ ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଯୁବ ସ୍ୱେଚ୍ଛାସେବୀ ଙ୍କୁ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷୁରୁ ସ୍ୱାସ୍ଥ୍ୟ ସେବାଶିବିର ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା ଯୋଗାଇ ଦେବା ସହ ହୋଟେଲ, ଜଳଖିଆ ଦୋକାନ ଦ୍ୱାରା ପ୍ରସ୍ତୁତି ଖାଦ୍ୟ ପଦାର୍ଥର ମାନ, ଗୁଣବର୍ତା ଯାଂଚ ଓ ତଦାରଖ କରାଯିବା, ସହର ଓ ବଡଦାଣ୍ଡ ଅଂଚଳର ସ୍ୱାସ୍ଥ୍ୟ ପରିମଳ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ନିତ କରାଯିବା, ବଡଦାଣ୍ଡରେ କୌଣସି ପ୍ରକାର ଆମିଷ ଭୋଜନ ପ୍ରସ୍ତୁତି ଓ ବିକ୍ରୟ ସଂପୂର୍ଣ୍ଣ ନିଶେଧ କରାଯିବା, ସମସ୍ତ ପ୍ରକାର ମଦ ଦୋକାନ ଗୁଡିକ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢାଉ କରାଯିବା ଆଦି ଦିଗ ପ୍ରତି ତୀକ୍ଷଣ ଦୃଷ୍ଟି ଦେଇ କାର୍ଯ୍ୟ ସୁପରିଚାଳନା କରିବା ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ଗୁରୁତ୍ୱାରୋପ କରିଛନ୍ତି । ରଥଯାତ୍ରା ସମୟରେ ବଡଦାଣ୍ଡରେ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସଂନ୍ଧ୍ୟାରେ ରାଜ୍ୟ ତଥା ସ୍ଥାନୀୟ ଅଂଚଳର ସାଂସ୍କୃତିକ ଦଳଦ୍ୱାରା ଭଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ରଥଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା ସର୍କସ, ଦୋଳି, ମୀନାବଜାର ପାଇଁ ଏନ୍.ଓ.ସି ପ୍ରଦାନ କରାଯିବାରେ ନିୟମକୁ କଡାକଡି ପାଳନ କରାଯିବା ସହିତ ଉଠାଦୋକାନୀ ମାନଙ୍କୁ ଆବଶ୍ୟକୀୟ ଜାଗା ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କ ତତ୍ୱାବଧାନରେ ଆବଣ୍ଟନ କରାଯିବା ଏବଂ ଏବାବଦ ଆୟରୁ ୫୦ ପ୍ରତିଶତ ଦେବତରକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ପାଇଁ ନିଷ୍ପତି ନିଆଯାଇଛି । ସର୍ବୋପରି ଚଳିତ ବାରିପଦା ରଥଯାତ୍ରା ର ସିଧାପ୍ରସାରଣ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଫେସ୍ବୁକ୍ / ୟୁଟୁ୍ୟବ୍ ରେ ପ୍ରସାର କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ବାରିପଦା ରଥଯାତ୍ରା-୨୦୧୯ କାର୍ଯ୍ୟ ନିର୍ଘଣ୍ଟନୁଯାଇ ତା.୦୪.୦୭.୨୦୧୯ ରିଖରେ ଶ୍ରୀ ଗୁଣ୍ଡିଚା ପହଣ୍ଡି ବିଜେ ଏବଂ ତା.୦୫.୦୭.୧୯ ରିଖି ଓ ତା.୦୬.୦୭.୨୦୧୯ ରିଖ ଦୁଇ ଦିନ ରଥଟଣା ଯିବ । ସେହିପରି ତା.୧୨.୦୭.୨୦୧୯ ରିଖ ବାହୁଡା ରଥଯାତ୍ରା ପହଣ୍ଡି ବିଜେ ଏବଂ ତା.୧୩.୦୭.୨୦୧୯ ରିଖ ଓ ତା.୧୪.୦୭.୨୦୧୯ ରିଖ ଦୁଇଦିନ ରଥଟଣାଯିବ । ମା ସୁଭଦ୍ରା ରଥକୁ ପରମ୍ପରା ଅନୁଯାଇ କେବଳ ମହିଳାମାନଙ୍କ ଦ୍ୱାରା ଟଣା ଯିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ଇନର କାର୍ଡରେ ମହିଳା କନେଷ୍ଟବଳ ଓ ଗାର୍ଡ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦନ ନିମନ୍ତେ ସଂପୃକ୍ତ ବିଭାଗ ଅଧିକାରୀ ତଥା ଦେବତର ବିଭାଗର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଅଛି । ଚଳିତ ବର୍ଷ ବାରିପଦା ରଥଯାତ୍ରା ପାଇଁ ୩୫ଲକ୍ଷ ୯୫ ହଜାର ରୁ ଅଧିକ ବ୍ୟୟ ଅଟକଳ ଆକଳନ କରାଯାଇଅଛି । ଶେଷରେ ସହକାରୀ ନିର୍ବାହୀ ଅଧିକାରୀ, ଶ୍ରୀ ମହାନ୍ତି ବାରିପଦା ଦେବତର ସମସ୍ତକୁ ଧନ୍ୟବାଦ ଦେଇଥିଲେ ।
ରାଜ୍ୟ
ମୟୂରଭଞ୍ଜ ବାରିପଦା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦକ କରାଯିବା ଉପରେ ଗୁରୁତ୍ୱ
- Hits: 485