ଭୁବନେଶ୍ୱର(ଶାସକ ପ୍ରଶାସକ) :ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ ଜଣ୍ଡିସ୍ ଭଳି ଭେକ୍ଟର ଓ ଜଳ ବାହିତ ରୋଗ ଯେଭଳି ନବ୍ୟାପିବ ସେଥି ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି । ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ଇସ୍ପାତ ଓ ଖଣି ବିଭାଗ ସହ ମିଳିତ ଭାବେ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ମିଳିତ ଭାବେ ଲେଖିଥିବା ପତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ଏହି ରୋଗ ସଂକ୍ରାନ୍ତରେ ସଚେତନ କରିବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ବିଦ୍ୟାଳୟ ଗୁଡିକ ଯେଭଳି କାର୍ଯ୍ୟକରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ପ୍ରଧାନଶିକ୍ଷକ ଓ ଅନ୍ୟ ବଛା ବଛା ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଭେକ୍ଟର ବାହିତ ରୋଗ ସଂକ୍ରାନ୍ତରେ ସଚେତନ କରିବେ । ପାଠପଢା ସମୟରେ ପିଲାଙ୍କୁ ରୋଗ ସଂକ୍ରାନ୍ତରେ ସଚେତନ ଲାଗି କୁହାଯାଇଛି ।
ମଶାବଂଶ ବୃଦ୍ଧି ରୋକିବା ସହିତ ପରିବେଶକୁ ସଫା ସୁତୁରା ରଖିବା, ହାତ ଧୋଇବା ଏବଂ ଏକ ସୁସ୍ଥ ପରିବେଶ ଗଠନ ଉପରେ ସେମାନଙ୍କୁ ସଚେତନ କରାଯିବ । ଏହା ଉପରେ ବିଦ୍ୟାଳୟରେ ବିଭିନ୍ନ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ ଲାଗି କୁହାଯାଇଛି । ଜିଲ୍ଲା ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ୍ ସହାୟତାରେ ଏହି ସଚେତନତା କାର୍ଯ୍ୟକ୍ରମ ଚଳାଯିବ । ଏନ୍ଏସ୍ଏସ୍, ଏନ୍ସିସି, ସ୍କାଉଟ୍ ଏବଂ ଗାଇଡ୍ମାନଙ୍କୁ ସଚେତନ କାର୍ଯ୍ୟକ୍ରମରେ ସାମିଲ ପାଇଁ ପରାମର୍ଶ ଦିଆଯାଇଛି । ସ୍କୁଲ ପରିସରକୁ ପରିଷ୍କାର ରଖିବା ସହିତ ଛାତ୍ରାବାସ ଗୁଡିକରେ ମଶାରୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଧା ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ଏହିସବୁ ରୋଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଲାଗି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସାମିଲ ଲାଗି କୁହାଯାଇଛି । ଜୁଲାଇ ୩ ତାରିଖରେ ଆହୂତ ସ୍ୱତନ୍ତ୍ର ଗ୍ରାମସଭା ଓ ପଲିସଭାରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହିତ ତ୍ସାସ୍ଥ୍ୟ ବାର୍ତ୍ତା ପାଠ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଧା ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମକୁ ଲେଖିଥିବା ପତ୍ରରେ ପୌରାଞ୍ଚଳରେ ୱାର୍ଡ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ଲାଗି ପରାମର୍ଶ ଦେଇଛନ୍ତି । ସହରାଞ୍ଚଳରେ ଥିବା ଆଶା, ଉଷା, ଅଙ୍ଗନବାଡି, ଏଏନ୍ଏମ୍, ଏପିଏ୍ମ୍, ସାନିଟାରୀ ଇନ୍ସପେକ୍ଟରମାନଙ୍କୁ ଏଥିରେ ନିୟୋଜିତ ଲାଗି କୁହାଯାଇଛି । ରୋଗୀ କଲ୍ୟାଣ ଓ ୱାର୍ଡ କଲ୍ୟାଣ ସମିତିର ବୈଠକ ଡାକିବା ସହିତ ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ ଓ ଜଣ୍ଡିସ୍ ରୋଗର କାରଣ ଓ ନିରାକରଣ ସଂକ୍ରାନ୍ତରେ ସଚେତନ ଲାଗି ପରାମର୍ଶ ଦିଆଯାଇଛି । ମହାନଗର ନିଗମ ଗୁଡିକ ତୁରନ୍ତ ଡ୍ରେନ୍ ଓ ଅନ୍ୟାନ୍ୟ ଜଳ ଉତ୍ସ ଗୁଡିକୁ ପରିଷ୍କାର ଲାଗି କୁହାଯାଇଛି । ଆବଶ୍ୟକ ସ୍ଥଳେ ୧୦୮ ଓ ୧୦୨ ଆମ୍ବୁଲାନ୍ସର ଉପଯୋଗ ଲାଗି ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଇସ୍ପାତ ଓ ଖଣି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କିଶୋର ଶର୍ମା ଓ ସ୍ୱାସ୍ଥ୍ୟ ସଚିବ ଡାକ୍ତର ମେହେର୍ଦ୍ଧା ମିଳିତ ଭାବେ ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ଶିଳ୍ପ ଓ ଖଣି ଅଞ୍ଚଳରେ ଯେଭଳି ଭେକ୍ଟର ଓ ଜଳ ବାହିତ ରୋଗ ନବ୍ୟାପିବ ସେ ଦିଗରେ ଦକ୍ଷେ ନେବାକୁ କହିଛନ୍ତି । ଶିଳ୍ପସଂସ୍ଥା ଓ ଖଣି ମାଲିକମାନେ ସେମାନଙ୍କ କାରଖାନା ଓ ଖଣି ପରିସରରେ ଯେଭଳି ମଶାବଂଶ ବୃଦ୍ଧି ହେଲା ଭଳି କୌଣସ ସାମଗ୍ରୀ ଡି ନରୁହେ ସେଥିପାଇଁ ପଦକ୍ଷେ ନେବାକୁ କୁହାଯାଇଛି । କେବଳ ଶିଳ୍ପ କିମ୍ବା ଖଣି ଇଲାକା ନୁହେଁ ଏମାନେ ପୋଷ୍ୟ ଭାବେ ଗ୍ରହଣ କରିଥିବା ଆଖପାଖର ଗାଁ ଗୁଡିକରେ ମଧ୍ୟ ଯେଭଳି ଭେକ୍ଟର କିମ୍ବା ଜଳ ବାହିତ ରୋଗ ନବ୍ୟାପେ ସେଥିପାଇଁ ନିୟମିତ ଭାବେ ସଫେଇ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।
ରାଜ୍ୟ
ବର୍ଷାଦିନିଆ ରୋଗ ପ୍ରତିହତ ଲାଗି ୫ ବିଭାଗ ମିଳାଇଲେ ହାତ
- Hits: 423